ତିହିଡି, ୨୧/୦୮(ଯଦୁମଣି ପାଣିଗ୍ରାହୀ): ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଯାତ୍ରୀଙ୍କ ଠାରୁ ଅଧିକ ବସ ଭଡା ଆଦାୟ କରାଯାଉଥିବା ତଥା ଯାତାୟାତ କରୁଥିବା ବସ ଗୁଡିକରେ ରେଟ ଚାଟ ଲଗାଯାଉ ନଥିବାରୁ ଯାତ୍ରୀମାନେ ସଠିକ୍ ଭଡା ସଂପର୍କରେ ଅବଗତ ହୋଇ ନପାରି ଶୋଷଣର ଶିକାର ହେଉଥିଲେ । ତେବେ ଏଥିନେଇ ଗତ ଜୁଲାଇ ୧ ତାରିଖରେ ତିହିଡି ବ୍ଲକ ପରିସରରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଶୁଣାଣି ଶିବିରରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ଜିଲ୍ଲାପାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏଥିନେଇ ଅବଗତ କରାଇଥିଲେ । ତେବେ ଭଦ୍ରକ ଭିତରେ ଚଳପ୍ରଚଳ କରୁଥିବା ଯେଉଁ ବସ ଗୁଡିକ ଅଧିକ ବସ ଭଡା ଆଦାୟ କରୁଛନ୍ତି ତଥା ରେଟ ଚାର୍ଟ ଲଗାଇ ନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ତାଙ୍କ ଚିଠି ନଂ-୧୫୫୪/୦୨-୦୭-୨୫ରେ ଏମଭିଆଇଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି । ଯାହାକୁ ନେଇ ନିର୍ମଳ ଚନ୍ଦ୍ର ଦଳେଇ, ସତ୍ୟବ୍ରତ କୁଣ୍ଡ, ତପନ ପଣ୍ଡା, ରାଜକିଶୋର ଲେଙ୍କା, ନାରାୟଣ ଦାସ, ଶ୍ରୀକାନ୍ତ ପଣ୍ଡା, ସ୍ମୃତିରେଖା ପଣ୍ଡା, ମୁକ୍ତିକାନ୍ତ ଭୋଳ, ପୁରସ୍ତମ ବାରିକ ଓ ଲକ୍ଷ୍ମୀଧର ବେହେରା ପ୍ରମୁଖ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏଠାରେ ସୂଚନାଥାଉ କି ସାଧାରଣ ବସରେ କିଲୋମିଟର ପିଛା ୮୮ପଇସା ଓ ଏକ୍ସପ୍ରେସ ବସରେ କିଲୋମିଟର ପିଛା ୯୨ ପଇସା ନେବାକୁ ସରକାରୀ ଭାବେ ଧାର୍ଯ୍ୟ ହୋଇଥିବା ବେଳେ ଏହା ଠାରୁ ଯଥେଷ୍ଟ ଅଧିକ ଭଡା ଆଦାୟ କରାଯାଉଛି ।