ତିହିଡି, ୦୪/୦୮(ଯଦୁମଣି ପାଣିଗ୍ରାହୀ): ଗଣଶିକ୍ଷା ବିଭାଗ ପକ୍ଷରୁ ଲାଗୁ କରାଯାଇଥିବା ୟୁନିଫାଏଡ ଅଟୋମେସନ ସିଷ୍ଟମକୁ ସ୍ଥଗିତ ରଖିବା ଦାବିରେ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରସନର ନିଷ୍ପତ୍ତି କ୍ରମେ ତିହିଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସୋମବାର ଅପରାହ୍ଣରେ ବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ମର୍ମରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ତିହିଡି ସଂଘ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ଯାଏଁ ଓ ସେଠାରୁ ଫେରି ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଇଓଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ମୁତାବକ ସରକାର ବର୍ତ୍ତମାନ ଶିକ୍ଷକ ମାନଙ୍କ ଉପରେ ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟକୁ ଲଦି ଦେଇଛନ୍ତି । ଯାହାଦ୍ୱାରା ଗୁଣାତ୍ମକ ଶିକ୍ଷାର ମାନ ହ୍ରାସ ହେଉଛି । ଅଧିକାଂଶ ବିଦ୍ୟାଳୟ ୨ରୁ ୩ ଜଣ ଶିକ୍ଷକଙ୍କ ଦ୍ୱାରା ଚାଲୁଅଛି । ଏବେ ପୁଣି ଶିଶୁ ବାଟିକା ନାମରେ ନୂତନ ଶ୍ରେଣୀଟିଏ ବିଦ୍ୟାଳୟରେ ଯୋଡି ଦିଆଯାଇଛି । କିନ୍ତୁ ସେଥିପାଇଁ ଆବଶ୍ୟକ ଶିକ୍ଷକ ବ୍ୟବସ୍ଥା କରାଯାଇନାହିଁ । ଏତେସବୁ ସମସ୍ୟା ଥିବା ସତ୍ତ୍ୱେ ବିଭାଗ ପକ୍ଷରୁ ୟୁଏଏସ୍ କାର୍ଯ୍ୟକାରୀ କରିବା ପାଇଁ ନିଦେ୍ର୍ଦଶନାମା ଆସିଛି । ଉକ୍ତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ହେଲେ ଶ୍ରେଣୀ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଦିନତମାମ ଉକ୍ତ କାର୍ଯ୍ୟରେ ନିୟୋଜିତ ରହିବେ । ଏଭଳି ପରିସ୍ଥିତିରେ ଶିକ୍ଷାଦାନ କାର୍ଯ୍ୟ ନିଶ୍ଚିତ ବାଧାପ୍ରାପ୍ତ ହେବ । ଏହାବ୍ୟତୀତ ଅଧିକାଂଶ ସ୍ଥାନରେ ମୋବାଇଲ ନେଟ ୱାର୍କ ନଥିବାରୁ ଅଧିକାଂଶ ବିଦ୍ୟାଳୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ ନାହିଁ । ତେଣୁ ୟୁୁଏଏସ୍ ପ୍ରଚଳନ ପୂର୍ବରୁ ସରକାର ପ୍ରଥମେ ଶ୍ରେଣୀୱାରୀ ଶିକ୍ଷକ ଓ ବିଷୟ ଭିତ୍ତିକ ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା କରନ୍ତୁ । ଶିକ୍ଷକ ମାନଙ୍କର ବହୁଦିନର ନ୍ୟାର୍ଯ୍ୟ ଦାବି ଯଥା-ପଦୋନ୍ନତି, ପ୍ରାରମ୍ଭିକ ସ୍ତର ଗ୍ରେଡ ପେ ବୃଦ୍ଧି, କ୍ୟାଡର ସଂଶୋଧନ, ବଦଳି ନିୟମ ପରିବର୍ତ୍ତନ, ପୁରୁଣା ପେନସନ ପ୍ରଚଳନ, ଅନ୍ତଃଜିଲ୍ଲା ବଦଳି ଏବଂ ଶିକ୍ଷକ ମାନଙ୍କ ସ୍ୱସ୍ଥ୍ୟବୀମା ଦାବି ଗୁଡିକ ପୂରଣ କରନ୍ତୁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଶିକ୍ଷକ ସଂଘ ସମ୍ପାଦକ ରମାକାନ୍ତ ଦାସ, ଜିଲ୍ଲା ସଂଘର ସଙ୍ଗଠନ ସମ୍ପାଦକ ରୂପେଶ କୁମାର ସାହୁ, ବ୍ଲକ ସଂଘ ସଭାପତି ମାୟାଧର ସାହୁ, ଗିରିଧାରୀ ଚାନ୍ଦ, ଦେବବ୍ରତ ଶତପଥି, ତ୍ରିନାଥ ସେଠୀ, ରବିନ୍ଦ୍ର ମଲ୍ଲିକ, ଲକ୍ଷ୍ମୀକାନ୍ତ ପରିଡା, ପ୍ରମୋଦ ମହାପାତ୍ର, ରେବତୀ ପଲେଇ, ବଂଶୀଧର ଦାସ, ସସ୍ମିତା ମଞ୍ଜରୀ ନାୟକ, ଶ୍ରୀନାଥ ମଲ୍ଲିକ, ମନ୍ମଥ ଦାସ, ଗୋପାଳ ଦାସ, ସଞ୍ଜୟ ମହାଳିକ, ରାଜେନ୍ଦ୍ର ବାରିକ, ଶୁଭେନ୍ଦୁ ସାହୁ ଓ ମଧୁସ୍ମିତା ପଣ୍ଡା ପ୍ରମୁଖ ସାମିଲ ଥିଲେ ।