ତିହିଡି, ୧୭/୦୭(ଯଦୁମଣି ପାଣିଗ୍ରାହୀ): ପଞ୍ଜିକୃତ ବରିଷ୍ଠ ନାଗରିକଙ୍କୁ ଉଦ୍ଧାର କରିବାରେ ତିହିଡି ଥାନାଧିକାରୀ ଓ ଏସଡିପିଓଙ୍କ ଉଦାସୀନତାକୁ ନେଇ ବରିଷ୍ଠ ନାଗରିକ ମାନେ କ୍ଷୋଭ ପ୍ରକାଶ କରିଥିବା ବେଳେ ପୋଲିସର କାର୍ଯ୍ୟକଳାପକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ପୋଲିସ ଠାରୁ ନିରାଶ ହେବା ପରେ ମାମଲା ହାଇକୋର୍ଟକୁ ନେବାକୁ ବରିଷ୍ଠ ନାଗରିକ ମାନେ ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ବରିଷ୍ଠ ନାଗରିକ ବଳରାମ ପଣ୍ଡାଙ୍କୁ ଗତମାସ ୨୪ ତାରିଖ ରାତିରେ ବଳ ପ୍ରୟୋଗ କରି ଉଠାଇ ନେଇ ଏକ ବେସରକାରୀ ନିଶା ନିବାରଣ କେନ୍ଦ୍ରରେ ରଖିବାକୁ ନେଇ ୨୬ ତାରିଖ ଦିନ ବରିଷ୍ଠ ନାଗରିକ ମାନେ ଶ୍ରୀ ପଣ୍ଡାଙ୍କ ସ୍ତ୍ରୀ ଓ ଦୁଇ ପୁଅଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଏଥିନେଇ ପୋଲିସର ନିଷ୍କ୍ରିୟତାକୁ ଦେଖି ୩୦ ତାରିଖ ଦିନ ତିହିଡିରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ବରିଷ୍ଠ ନାଗରିକ ମାନେ ଅଭିଯୋଗ କରିବା ସହିତ ଚଳିତ ମାସ ୨ ତାରିଖରେ ଏସପିଙ୍କୁ ଭେଟି ଯଥାଶିଘ୍ର ଶ୍ରୀ ପଣ୍ଡାଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ । ମାମଲାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏସପି ଧାମନଗର ଏସଡିପିଓଙ୍କୁ ଦାୟିତ୍ୱ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଜମିଜମାକୁ କେନ୍ଦ୍ର କରି ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଭଦ୍ରକ କୋର୍ଟରେ ଏକ ମୋକଦ୍ଦମା କରିଛନ୍ତି । ଏହା ବିଚାରଧୀନ ଅଛି । ପାରିବାରିକ ମନୋମାଳିନ୍ୟ କାରଣରୁ ଶ୍ରୀ ପଣ୍ଡା ୫ ବର୍ଷ ହେଲା ପରିବାର ଠାରୁ ପୃଥକ ରହୁଛନ୍ତି । ଶ୍ରୀ ପଣ୍ଡାଙ୍କର କୌଣସି ନିଶାର ବଦାଭ୍ୟାସ ନ ଥିଲା ସ୍ଥଳେ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛାଡି ନିଶା ଇଞ୍ଜେକସନ ଓ ଓøଷଧ ଦେଇ ମାରିଦେବାକୁ ଷଡଯନ୍ତ୍ର ରଚାଯାଇଛି ବରିଷ୍ଠ ନାଗରିକ ମାନେ ଆଶଙ୍କା କରୁଛନ୍ତି । ଏପରିସ୍ଥଳେ ଅଭିଯୋଗକୁ ହାଲୁକା ଭାବେ ଗ୍ରହଣ କରୁଥିବାରୁ ପୋଲିସ ବରିଷ୍ଠ ନାଗରିକଙ୍କୁ କି ପ୍ରକାର ସୁରକ୍ଷା ଯୋଗାଇ ଦେବ ବୋଲି ବରିଷ୍ଠ ନାଗରିକ ମାନେ ପ୍ରଶ୍ନ ଉଠାଇବା ସହିତ ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ତଥା ଶ୍ରୀ ପଣ୍ଡାଙ୍କୁ ନ୍ୟାୟ ଦେବା ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚହାଇକୋର୍ଟ ଯିବ ବୋଲି ପ୍ରଫେସର ବିଜୟ ନାୟକ, ମାନବିକ ଅଧିକାର କର୍ମୀ ନିର୍ମଳ ସେନାପତି, ସମାଜସେବୀ ପ୍ରବୋଧ ମହାନ୍ତି, ହୃଷିକେଶ ବଳ ଓ ତ୍ରିଲୋଚନ ପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି ।