ତିହିଡି, ୩୦/୦୬(ଯଦୁମଣି ପାଣିଗ୍ରାହୀ): ଆଜି ତିହିଡି ବ୍ଳକରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ବଳିତ ମୋଟ ୧୩୦ଟି ଅଭିଯୋଗ ଆଗତ ହୋଇଥିଲା । ସାହାପୁର ପଞ୍ଚାୟତର ସାହାପୁର ଗାଁର ମହାକୁଡ ସାହି ଓ ପତିସାହି ଗାଁ ରାସ୍ତାରୁ ଜଳ ନିଷ୍କାସନ ହୋଇ ନପାରିବା ନେଇ ସେଠାକାର ଲୋକେ ଅଭିଯୋଗ କରିଥିବା ବେଳେ ପୁରାତନ ଖାଙ୍କି ନାଳ ସଂସ୍କାର ନେଇ ମିର୍ଜାପୁର ମୌଜାର ଚାଷୀ ମାନେ ଅଭିଯୋଗ କରିଥିଲେ । ସେହିପରି ତିହିଡି ତହସିଲରେ ଚାଲିଥିବା ବିଭିନ୍ନ ଅନିୟମିତତା ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟପକ୍ଷେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଅତ୍ୟଧିକ ବସ ଭଡା ଆଦାୟ କରାଯାଉଥିବା ଓ ବସରେ ରେଟ ଚାଟ୍ ଲଗା ଯାଉ ନଥିବା ନେଇ ମଧ୍ୟ ଅଭିଯୋଗ ଆଗତ ହୋଇଥିଲା । ଜମିଜମା ସମସ୍ୟା ନେଇ ତିହିଡି ତହସିଲରୁ ନ୍ୟାୟ ନ ମିଳିବା, ଭିନ୍ନକ୍ଷମଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରା ନଯିବା, ଅନ୍ତଦ୍ୟୋୟ ଯୋଜନାରେ ସାମିଲ କରା ନଯିବା ଓ ରାସନ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ନ ମିଳିବା ନେଇ ବି ଭିନ୍ନ ଭିନ୍ନ ଅଭିଯୋଗ ଆଗତ ହୋଇଥିଲା । ସେହିପରି ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟର ଦୂରାବସ୍ଥା ନେଇ ବି ଅଭିଯୋଗ ଆଗତ ହୋଇଥିଲା । ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଏସପି ମନୋଜ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧିର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ବିଡିଓ ନିରଞ୍ଜନ ବାରିକ, ତହସିଲଦାର ଜୟ୍ରଦ୍ରଥ ଆଚାର୍ଯ୍ୟ ଓ ବ୍ଳକ ଅଧ୍ୟକ୍ଷା ଅବନ୍ତୀ ଦାସ ପ୍ରମୁଖ ଉପସ୍ଥିତ ରହି ଜନଶୁଣାଣି କରିଥିଲେ । ସାଳନ୍ଦୀ ଜଳସେଚନ ବିଭାଗ ବ୍ୟତୀତ ଅନ୍ୟ ସବୁ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ନରେନ୍ଦ୍ରପୁର ପଞ୍ଚାୟତର ପ୍ରଶାନ୍ତ ପଣ୍ଡାଙ୍କୁ ବସ ପାସ୍ ଓ ବାହାବଳପୁର ପଞ୍ଚାୟତର ବେଣୁଧର ଦାସଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା ।
