ତିହିଡ଼ି,୧୯ା୬(ଯଦୁମଣି ପାଣିଗ୍ରାହୀ): ଦଶମୌଜା କେନାଲ ଯାହା କାଗଜପତ୍ରରେ ରହିଛି । ହେଲେ ଆବଶ୍ୟକତା ବେଳେ ଏଥିରେ ପାଣି ମିଳେନାହିଁ । ହଁ ବର୍ଷାରେ ଉଦବୃତ୍ତ ଜଳ ହେଲେ କେନାଲରେ ପାଣି ଦେଖାଯାଏ ନ ହେଲେ ନାହିଁ । ଯେଉଁ ଉଦେଶ୍ୟକୁ ନେଇ କେନାଲ ଖୋଳା ହୋଇଥିଲା ସେହି ଲକ୍ଷ୍ୟ ଆଦୌ ପୂରଣ ହୋଇପାରୁନାହିଁ । ଚାଷ ଜମିକୁ ଜଳସେଚିତ କରିବା ପାଇଁ ଥିବା ଦଶମୌଜା କେନାଲ ଚାଷୀଙ୍କ ଉପକାରରେ ଲାଗିପାରୁନାହିଁ । ଦଶମୌଜା କେନାଲ ଠିକାଦାରଙ୍କର ନେଉଟିଆ ଶାଗ କିଆରି ହୋଇଥିବା ବେଳେ ନିଜର ଶକ୍ତି ପ୍ରଦର୍ଶନ କରିପାରୁନଥିବା ବିଚରା ଚାଷୀଟି କିନ୍ତୁ ଚାଷ କିଆରିକୁ ପାଣି ପାଇବାରେ ସକ୍ଷମ ହୋଇପାରୁନାହିଁ । କାମ ଚାଲିଛି କହି ବହୁ ସମୟରେ ଏହି କେନାଲରେ ପାଣି ଛଡ଼ା ଯାଏ ନାହିଁ । ପାଣି ଛଡ଼ା ଗଲା କୁହାଗଲେ ବି ପାଣି ପହଞ୍ଚେନାହିଁ । ଦଶମୌଜା କେନାଲ ଓ ଏଥିରୁ ବାହାରିଥିବା ଛୋଟଛୋଟ ନାଳର ଅବସ୍ଥା ଓ ବ୍ୟବସ୍ଥା କଥା ନ କହିଲେ ଭଲ । କିଛି ବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟରେ ପୁନରୁଦ୍ଧାର ହୋଇଥିବା ଏହି କେନାଲରେ ବୋର ଦଳ ଭର୍ତ୍ତି । ଏଠିରୁ ବାହାରିଥିବା କେନାଲ ଗୁଡ଼ିକର ମଧ୍ୟ ଅସ୍ତିତ୍ୱ ଲୋପ ପାଇବାକୁ ବସିଲାଣି । ଫଳରେ ଜଳସେଚନ ପାଇଁ ଏହା ଉପରେ ନିର୍ଭର କରୁଥିବା ଚାଷୀମାନେ ହତାଶ ହେଉଛନ୍ତି । ପ୍ରତିବର୍ଷ କେନାଲରେ ପାଣି ପାଇଁ କର ଭରୁଥିବା ବେଳେ ବିଲକୁ ପାଣିଠୋପେ କିନ୍ତୁ ପାଉନାହାନ୍ତି ଚାଷୀ । ଯେତେବେଳେ ବି କେନାଲରେ ପାଣି ଛଡ଼ା ଯାଉଛି ତାହା ମଧ୍ୟ ତଳମୁଣ୍ଡରେ ପହଞ୍ଚିପାରୁନାହିଁ । କିଛିବର୍ଷ ହେଲା କେନାଲ ସଫା ହୋଇନଥିବାରୁ ଏପ୍ରକାର ପରିସ୍ଥିତି ଉପୁଜିଛି । ତିହିଡ଼ି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ରେକର୍ଡ଼ରେ ପୋଖରୀ ଥିଲେ ବି ଏହାକୁ ପୋତି ଘର ସବୁ କରିଦିଆଗଲାଣି । ଗୋରୁଗାଈ, ଛେଳିମେଣ୍ଢା, ପଶୁପକ୍ଷୀଙ୍କ ପାଇଁ ପାଣିର ଆବଶ୍ୟକତା ରହିଛି । ଦଶମୌଜା କେନାଲରେ ଖାଲି ବର୍ଷା ବେଳେ ନୁହେଁ ବର୍ଷା ହେଉନଥିବା ବେଳେ ପାଣି ଯୋଗାଇ ଦିଆଯିବାକୁ ଚାଷୀମାନେ ଦାବି କରିଛନ୍ତି ।