Odisha news

ମନ୍ଦିର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଅଭିଯୋଗ

0

ତିହିଡି, ୧୦/୦୬(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ମହରମପୁର ପଞ୍ଚାୟତ ଜେନାସାହିରେ ଅବସ୍ଥାପିତ ମା’ ମଙ୍ଗଳା ମନ୍ଦିର ମରାମତି ଓ ପୁନରୁଦ୍ଧାର ନାଆଁରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ଲାଗି ଅର୍ଥ ମଞ୍ଜୁର ହୋଇଥିବା ଗ୍ରାମବାସୀ ଏବେ ଏକ ମନ୍ଦିରର କିଛି ଦୂରରେ ରାସ୍ତା କଡରେ ଏକ ଫଳକରୁ ଜାଣିବାକୁ ପାଇଛନ୍ତି । ପୂର୍ବରୁ ଉକ୍ତ ସ୍ଥାନରେ ଅନ୍ୟ ଏକ ପ୍ରକଳ୍ପର ଫଳକ ଲାଗିଥିଲା ମାତ୍ର ତାହାକୁ ଲିଭାଇ କିଛିଦିନ ତଳେ ଏକ ନୂତନ ଫଳକ ଲାଗିଛି ଯାହାକି ବିଧାୟକଙ୍କ ଆଞ୍ଚଳିକ ପାଣ୍ଠିରୁ ଅନୁଦାନପ୍ରାପ୍ତ ହୋଇଥିବା ଜଣାଯାଇଛି । ସ୍ଥାନୀୟ ଅବନୀ କୁମାର ପାଣିଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ତେବେ ସଂପୃକ୍ତ ମନ୍ଦିରରେ କୌଣସି କାର୍ଯ୍ୟ କରାଯାଇ ନାହିଁ ବରଂ ପ୍ରଶାସନ କଳକୁ ଅପବ୍ୟବହାର କରାଯାଇ ୨ ଲକ୍ଷ ଟଙ୍କା ହଡପ କରାଯାଇଥିବା ଗ୍ରାମର ବସନ୍ତ ଜେନା, ଦାମୋଦର ଜେନା, ଗଣନାଥ ଜେନା, ବଟକୃଷ୍ଣ ଜେନା, ପୁରସ୍ତମ ଜେନା, ସୁବୋଧ ଜେନା, ରମାକାନ୍ତ ଜେନା, ମୁରଲୀ ଜେନା, ମାଳତୀ ଜେନା, ସଜନୀ ଜେନା, ସାବିତ୍ରୀ ଜେନା, ଛବି ଜେନା, ଯଶୋଦା ଜେନା, ରଞ୍ଜୁବାଳା ଜେନା ଓ ଭାନୁମତୀ ଜେନା ପ୍ରମୁଖ ବିଡିଓଙ୍କ ନିକଟରେ ଫେରାଦ୍ ହୋଇଛନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମନ୍ଦିରର ମରାମତି ଓ ପୁନରୁଦ୍ଧାର କରିବାକୁ ସେମାନେ ଦାବି କରିଛନ୍ତି । ଏଥିସହ ସୂଚନା ଆଇନ୍ ବଳରେ ତଥ୍ୟ ହାସଲ ପାଇଁ ଆବେଦନ କରାଯାଇଛି । କେଉଁ ବ୍ୟକ୍ତିବିଶେଷ ଏପରି କାର୍ଯ୍ୟରେ ଲିପ୍ତ ରହିଛନ୍ତି ତାହାର ଖୁଲାସା ·ହିଁଛନ୍ତି ଗ୍ରାମବାସୀ । ସୂଚନା ମୁତାବକ, ୧୯୯୬-୯୭ ମସିହାରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ପ୍ରଶାସନ ତରଫରୁ ପ୍ରଥମ ପର୍ଯ୍ୟାୟରେ ୨୫ ହଜାର ଟଙ୍କା ଅନୁଦାନ ମିଳିଥିଲା । ପରେ ୨୦୧୩ ମସିହାରେ ୫୦ ହଜାର ଟଙ୍କା ଅନୁଦାନ ବଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି । ତେବେ ଉକ୍ତ ମନ୍ଦିରର ମରାମତି ଓ ପୁନରୁଦ୍ଧାର ଲାଗି କିଛି ମାସ ତଳେ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଥିଲେ । ଏହି ପ୍ରସଙ୍ଗକୁ ନେଇ ସରପଞ୍ଚ ତାପସ କୁମାର ମହାପାତ୍ର ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମା’ ମଙ୍ଗଳା ମନ୍ଦିରର ମରାମତି ଓ ପୁନରୁଦ୍ଧାର ଫଳକ ଲଗାଯାଇଥିବା ମନ୍ଦିର କୁଅଁରସାହିରେ ଅବସ୍ଥିତ ଏବଂ ମାର୍ଫତଦାର ସୁଧାକର ବାରିକ । ଗୋଟିଏ ୱାର୍ଡରେ ସମାନ ନାମଧାରୀ ୨ଟି ମନ୍ଦିରର ଅବସ୍ଥାପନକୁ ନେଇ ବିବାଦ ଦେଖା ଦେଇଛି ହେଲେ କୁଅଁରସାହିସ୍ଥିତ ମନ୍ଦିରର ମରାମତି ଓ ପୁନରୁଦ୍ଧାର ପାଇଁ ୨ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା ଏବଂ ବିନିଯୋଗ ମଧ୍ୟ ହୋଇଥିବା ସେ କହିଛନ୍ତି ।

Leave A Reply