ତିହିଡି, ୩୧/୦୩(ଯଦୁମଣି ପାଣିଗ୍ରାହୀ) : ବାସୁଦେବପୁର ନିର୍ବାଚନମଣ୍ଡଳୀ ଲାଗି ୨ୟ ଥର ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ବିଷ୍ଣୁବ୍ରତ ରାଉତରାୟଙ୍କ ନାମ ପୁନର୍ବାର ଘୋଷଣା ପରେ ଶ୍ରୀ ରାଉତରାୟ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ୯ ପଞ୍ଚାୟତ ପରିକ୍ରମା କରିଛନ୍ତି । ଏହି ଅବସରରେ ଦଳୀୟ କର୍ମୀ ଓ ସମର୍ଥକ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଦଳ ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଏଠାରେ ପ୍ରାର୍ଥୀ କରିଥିବାରୁ ଶ୍ରୀ ରାଉତରାୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଶ୍ରୀ ରାଉତରାୟ ରବିବାର ଦିନ ନନ୍ଦପୁରସ୍ଥିତ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦଳୀୟ କର୍ମୀମାନେ ଏକ ବାଇକ ଶୋଭାଯାତ୍ରାରେ ତାଙ୍କୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୯ ପଞ୍ଚାୟତ ପରିକ୍ରମାରେ ପାଛୋଟି ନେଇଥିଲେ । ଶ୍ରୀ ରାଉତରାୟ ପ୍ରଥମେ ନିଜ ଗାଁ ମୁକୁନ୍ଦପୁର ଯାଇ ନିଜ ଜେଜେବାପା ସ୍ୱର୍ଗତ ନୀଳମଣି ରାଉତରାୟ ଓ ବାପା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରିଥିଲେ । ପରେ କାଳିମେଘା ଦଧିବାମନ ମନ୍ଦିର ଦର୍ଶନ କରିଥିଲେ । ସେଠାରୁ ତିହିଡି ପୁରୁଣାହାଟ ସଂଖ୍ୟାଲଘୁ ବସ୍ତି ଜମାଲସାହା ବାବାଙ୍କ ମାଝାର ପରିଦର୍ଶନ, ତିହିଡି ବଜାରରେ ଥିବା ଦୁଇ ତୁଙ୍ଗ ନେତା ସ୍ୱର୍ଗତ ବିଷ୍ଣୁ ସେଠୀ ଓ ସ୍ୱର୍ଗତ ବୈରାଗୀ ଜେନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରୁ ଶ୍ରୀ ରାଉତରାୟ ସୟା ବୁଢା ମହାଦେବ ମନ୍ଦିର, ବହାବଳପୁର ବାବା ଧବଳେଶ୍ୱର ମନ୍ଦିର, କମାରିଆ, କନାଟିଆ ଲକ୍ଷ୍ମୀ ନାରାୟଣ ମନ୍ଦିର, ମଙ୍ଗଳପୁର ମା’ ମଙ୍ଗଳା ମନ୍ଦିର, ସିନେ୍ଦାଳ ନୂଆ ଲକ୍ଷ୍ମୀନାରାୟଣ ମନ୍ଦିର, ଇନ୍ଦିରା ପୀରବାବା ବସ୍ତି ପରିଦର୍ଶନ ପରେ ସିନେ୍ଦାଳ ପୁରୁଣା ଲକ୍ଷ୍ମୀନାରାୟଣ ପୀଠରେ ପହଞ୍ଚି ଲକ୍ଷ୍ମୀ ନାରାୟଣଙ୍କ ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଉତରାୟଙ୍କ ସହିତ ତାଙ୍କ ବଡଭାଇ ଦୁର୍ଗାଦତ୍ତ ରାଉତରାୟ, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ବରିଷ୍ଠ ନେତା ସୁରେନ୍ଦ୍ର ନାୟକ, ହରିହର ସେନାପତି, ଜିଲ୍ଲା ବିଜେଡି ସଂପାଦକ କମଳାକାନ୍ତ ଲେଙ୍କା, ପ୍ରବୀର ନାୟକ, କୀର୍ତ୍ତନ ରାଉତ, ନିତ୍ୟାନନ୍ଦ ବେହେରା, ଗଣେଶ ନାୟକ, କୈଳାସ ରାଉଳ, ବୈକୁଣ୍ଠ ପାଣି, ପ୍ରଦୀପ ଦାସ, ଉମାକାନ୍ତ ସେଠୀ, ନରେନ୍ଦ୍ର ବାରିକ, ଭରତ ମହାପାତ୍ର, ସଂଗ୍ରାମ ଦାସ, ଅନିରୁଦ୍ଧ ବାରିକ, ବିଷ୍ଣୁ ଦାସ, ଉର୍ମିଳା ସେଠୀ, ମମତା କୁଣ୍ଡ ଓ ପଦ୍ମାବତୀ ସେଠୀ, ତିଳୋତ୍ତମା ସାହୁ, ବାସନ୍ତୀ ସାହୁ ଓ ପାର୍ବତୀ ସାହୁ ପ୍ରମୁଖ ବହୁ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।