ତିହିଡି, ୩୦/୦୩ : ଏକ ଗଣ୍ଡଗୋଳ ମାମଲାରେ ପୋଲିସର ସ୍ଥାଣୁତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପୀରହାଟ ଥାନାଧି ଉତ୍ତର ଦୌଲତପୁରର ଗ୍ରାମବାସୀ । ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ପୋଲିସ ବିରୋଧରେ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜମିବାଡିକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ଏକ ବାଲି ବୋଝେଇ ଗାଡିକୁ ଅନ୍ଲୋଡ କରିବା ସମୟରେ ଗତକାଲି ଅପରପକ୍ଷ ସଂଘବଦ୍ଧ ଆକ୍ରମଣ କରିଥିଲା । ଯାହାର ମୁକସାକ୍ଷୀ ସାଜିଥିଲେ ଗ୍ରାମବାସୀ । ଆକ୍ରମଣର ଶିକାର ହୋଇଥିବା ୩ ଜଣଙ୍କୁ ମେଡିକାଲ ପଠେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର ବି କଲା ହେଲେ ଦୁଇଦିନ ବିତିବାକୁ ବସିଲାଣି ପୋଲିସର ନୀରବତାକୁ ନେଇ ଗ୍ରାମବାସୀ ସନେ୍ଦହ ପ୍ରକାଶ କରିଛନ୍ତି । ସଠିକ୍ ତଦନ୍ତ କରି ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନିଆନଗଲେ ପୋଲିସ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିକଟରେ ଗୁହାରୀ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଗ୍ରାମର ଉମାକାନ୍ତ ପାଢୀଙ୍କ ଅଭିଯୋଗ ଅନୁଯାୟୀ, ଜମିବାଡି ବିବାଦକୁ ନେଇ ସେମାନଙ୍କର ଅପରପକ୍ଷଙ୍କ ସହିତ ବିବାଦ ରହିଥିଲା । ତେବେ ଏକ ବାଲି ବୋଝେଇ ଗାଡି ଅନ୍ଲୋଡ୍ କରିବା ସମୟରେ ଅପରପକ୍ଷ ଶୁକଦେବ ପାଢୀ, ଧର୍ମାନନ୍ଦ ପାଢୀ, ବ୍ରହ୍ମାନନ୍ଦ ପାଢୀ, ମଙ୍ଗଳ ପାଢୀ, ସୂର୍ଯ୍ୟକାନ୍ତ ପାଢୀ, ଶୁଭଦ୍ରା ମହାକୁଡ, ଚନ୍ଦ୍ରକାନ୍ତ ମହାକୁଡ, ହିରାମଣି ମହାକୁଡ, ଗୀତା ପାଢୀ, ରୋଜୀ ପାଢୀ ଓ ପୂଜା ପାଢୀ ପ୍ରମୁଖ ସଂଘବଦ୍ଧ ଭାବେ ରଡ, ବାଡି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ । ଯାହାକୁ ଗ୍ରାମବାସୀ ବିରୋଧ କରିବା ସହିତ ଅଟକାଇଥିଲେ ମଧ୍ୟ । ହେଲେ ସେମାନେ ଅଟକି ନଥିଲେ । ଆକ୍ରମଣରେ ଏକାଧିକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କର ମୁଣ୍ଡ, ଗୋଡ, ଛାତି, ପିଠି ଓ ହାତ ଆଦି ରକ୍ତାକ୍ତ ଓ କ୍ଷତାକ୍ତ ହୋଇଛି । ଜଣେ ଜୀବନ ମରଣ ସହ ସଂଗ୍ରାମ କରୁଛି । ସେମାନଙ୍କ ମଧ୍ୟରୁ ମାନସ ରଞ୍ଜନ ପାଢୀ ଭୁବନେଶ୍ୱରକୁ ସ୍ଥôାନାନ୍ତର ହୋଇଥିବା ବେଳେ ରବିନ୍ଦ୍ର ପାଢୀ ଓ ମଧୁସୂଦନ ପାଢୀ ସଂପ୍ରତି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ ହୋଇଛନ୍ତି । ସେହିପରି ଚନ୍ଦ୍ର ପାଢୀ ଓ ଜିତେନ୍ଦ୍ର ପାଢୀ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଗାଁରେ ଏକ ପ୍ରକାର ତାଟି କବାଟ ପଡିଥିଲା । ଅପର ପକ୍ଷ ପୋଲିସକୁ କରାୟତ୍ତ କରି ମିଥ୍ୟା ଏତଲା ଦେଇ ଗ୍ରାମବାସୀଙ୍କ ଫସେଇବାକୁ ଉଦ୍ୟମ ଚଳାଇଥିବା ଏବଂ ପୋଲିସ ସେମାନଙ୍କ ବିରୋଧରେ ଏଯାବତ କୌଣସି ପଦକ୍ଷେପ ଗ୍ରହଣ ନକରିବା ବିଡମ୍ବନା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ତେବେ ଏହି ପାରିବାରିକ ଗଣ୍ଡଗୋଳକୁ ନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ମଙ୍ଗଳ ମହାକୁଡଙ୍କ ଏତଲା ମୂଳେ ଥାନାରେ ଏକ ମାମଲା ୭୬/୨୪ ଏବଂ ଉମାକାନ୍ତ ପାଢୀଙ୍କ ଏତଲା ମୂଳେ ଅନ୍ୟ ଏକ ମାମଲା ୭୭/୨୪ ରୁଜୁ ହୋଇଛି । ନିର୍ବାଚନ ପରି·ଳନା ତଥା କୋର୍ଟ କେଶ ମାମଲାରେ ଆଇଆଇସି ସମେତ ଦୁଇଜଣ ପଦାଧିକାରୀ ଶନିବାର ଦିନତମାମ ବ୍ୟସ୍ତ ଥିଲେ । ସଂଧ୍ୟାରେ ତଦନ୍ତ ଆରମ୍ଭ ହୋଇଛି ଏବଂ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ଅଜୟ କୁମାର ମୁର୍ମୁ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
