ତିହିଡି, ୧୬/୦୨(ଯଦୁମଣି ପାଣିଗ୍ରାହୀ): ଓଡିଶାର ଅଦ୍ୱିତୀୟ ସୂର୍ଯ୍ୟ ଉପାସନା କ୍ଷେତ୍ରଭାବେ ପରିଚିତ ତିହିଡି ବ୍ଲକର ପ୍ରସିଦ୍ଧ ବିରଞ୍ଚôନାରାୟଣ ପୀଠରେ ଷଷ୍ଠୀ ତିଥି ଗୁରୁବାର ସଂଧ୍ୟାରେ ଚୂଳଚଢା ପର୍ବ ପାଳିତ ହୋଇ ଯାଇଛି । ପ୍ରଭୁଙ୍କ ବଡସିଂହାର ବେଶ କରାଯିବା ପରେ ମନୋହର ଭୋଗ ଲାଗିଛି । ଶାସ୍ତ୍ର ମତାନୁସାରେ ବର୍ଷରେ କେବଳ ଏହି ତିଥିରେ ମନ୍ଦିରର ଉତ୍ତର ଦ୍ୱାର ଖୋଲା ଯାଇଥାଏ । କୁଷ୍ଠରୋଗୀମାନେ ମାନସିକ ଉପଚାର ପାଇଁ ଏହି ଦ୍ୱାରରେ ଅଧିଆ ପଡିଥାନ୍ତି ଏବଂ ଆଜିର ଦିନରେ ଦର୍ଶନ କରି ରୋଗମୁକ୍ତ ହୋଇଥାନ୍ତି । କିମ୍ବଦନ୍ତୀ କହେ, ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଶାପ ଦଶା ମୁକ୍ତ ପାଇଁ ଏଠାରେ ସୂର୍ଯ୍ୟ ଉପାସନା କରିଥିଲେ ଏବଂ ଆଜିର ଦିନରେ ଏଠାରୁ ବିଦାୟ ନେଇଥିଲେ । ଯାହା ବିରଞ୍ଚôନାରାୟଣଙ୍କ ଏହି ଚୂଳଚଢା ଦର୍ଶନ କଲେ ସମସ୍ତ ଚର୍ମ ରୋଗରୁ ମୁକ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତୁଳସୀ ପତ୍ର ଓ ଫୁଲରେ ତିଆରି ଫୁଲଛତା ଅର୍ପଣ କରା ଯାଇଥାଏ । ଏଥିସହ ଅରୁଆ ଚାଉଳରେ ତିଆରି ଚୂନା, ଗୁଆ ଘିଅ, ଗୁଡ, ନଡିଆକୋରା ଓ ବିଭିନ୍ନ ପ୍ରକାରର ବାସ ମସଲାରେ ତିଆରି ହୋଇଥିବା ପ୍ରଭୁଙ୍କର ମୁଖ୍ୟ ମନୋହରି ଭୋଗ ଲାଗିଥାଏ । ପ୍ରାଚୀନ କାଳରୁ ଏହି ଅର୍କକ୍ଷେତ୍ରରେ ସୌର ଚାଳନା ଅନୁଯାୟୀ ପର୍ବ ପର୍ବାଣିମାନ ପାଳନ କରା ଯାଇଥାଏ । ଏହି ପୀଠକୁ ଓଡ଼ିଶାର ଦ୍ୱିତୀୟ କୋଣାର୍କ ଭାବେ ବିବେଚନା କରାଯାଏ । ଏଠାରେ ଚର୍ତୁମୁଖୀ ବ୍ରହ୍ମା ପୂଜା ପାଆନ୍ତି ଯାହା ଏସିଆ ମହାଦେଶର ଅଦ୍ୱିତୀୟ ଦର୍ଶନ ସ୍ଥାନ ବୋଲି କୁହାଯାଉଛି । ଐତିହାସିକମାନେ ଏହାକୁ ସୂର୍ଯ୍ୟ ଉପାସନା କ୍ଷେତ୍ର ବୋଲି ଚିହ୍ନିତ କରିଥାନ୍ତି । ଅଘିରା ପୂର୍ଣ୍ଣମୀର ପରଦିନରେ ଏଠାରେ ଗୁଣ୍ଡୁଣୀ ମେଳା ଅନୁଷ୍ଠିତ ହୋଇଥାଏ । ଏଠାରେ ସୂଚନା ଥାଉକି, କୋଣାର୍କ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ବେଳେ ଏହି ବିରଞ୍ଚôନାରାୟଣ ମନ୍ଦିର ନବମ ଶତାବ୍ଦୀର ବୋଲି ଐତିହାସିକ ମତ ରହିଛି । ଚୂଳଚଢା ପର୍ବରେ ମୁଖ୍ୟ ପୂଜକ ରବିନାରାୟଣ ପଣ୍ଡା, ଅଜୟ ପଣ୍ଡା ଓ ସରୋଜ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ କରିଥିବା ବେଳେ ମନ୍ଦିର ଟ୍ରଷ୍ଟି ମୁଖ୍ୟ ବସନ୍ତ କୁମାର ନାୟକ, ମାଳି ସେବାୟତ ବିଜୟ ପାତ୍ର ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଡିଓ ଜ୍ୟେତିର୍ମୟ କର ଓ ସୁଧନ୍ୱା ନାୟକ ପ୍ରମୁଖ ବିରଞ୍ଚôନାରାୟଣଙ୍କ ବଡସିଂହାର ବେଶ ଦର୍ଶନ କରିଥିଲେ ।