ତିହିଡି,୩୦/୧୧: ତିହିଡି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ଆରସା ଗାଁର ଯୁବ ଔଷଧ ବ୍ୟବସାୟୀ ଶୁଭାଶିଷ ପଣ୍ଡାଙ୍କର ଆଜି ସକାଳେ ହୃଦଘାତରେ ମୃତୁ୍ୟ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା । ତିହିଡି ବଜାରରେ ସ୍ୱର୍ଗତ ପଣ୍ଡା ପ୍ରଧାନମନ୍ତ୍ରୀ ଜନ ଔଷଧ କେନ୍ଦ୍ର ଖୋଲିଥିଲେ । ଆଜି ସକାଳେ ସେ ଗାଧୋଇ ସାରି ଦୋକାନକୁ ଆସିବାକୁ ପ୍ରସ୍ତୁତ ହେଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ତିହିଡି ମେଡିକାଲଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ପଣ୍ଡା ଜଣେ ସରଳ, ନମ୍ର, ମେଳାପୀ ଓ ପରୋପକାରୀ ଯୁବକ ଭାବରେ ଜଣାଶୁଣା ଥିଲେ । ସ୍ୱର୍ଗତ ପଣ୍ଡାଙ୍କର ୨ଟି ପୁଅ ଅଛନ୍ତି । ତାଙ୍କ ମୃତୁ୍ୟରେ ତାଙ୍କ ଗାଁ ସମେତ ତିହିଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମୃତୁ୍ୟରେ ଶୋକବ୍ୟକ୍ତ କରିଛନ୍ତି ।