ତିହିଡ଼ି,୧୭ା୧୦: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାରେ ରହିଥିବା ତ୍ରୁଟିବିଚୁ୍ୟତିକୁ ନେଇ ଜିଲ୍ଲାବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଛି । ସମଗ୍ର ଜିଲ୍ଲାରେ ୱାର୍ଡ ସଭ୍ୟ ଠାରୁ, ସରପଞ୍ଚ , ସମିତିସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦର ବିଭିନ୍ନ ଜୋନ ସଂରକ୍ଷଣ ବିରୋଧରେ ଶତାଧିକ ଅଭିଯୋଗ ଜିଲ୍ଲା ପ୍ରଶାସନ ଠାରେ ଆଗତ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଯେଉଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ସେଥିରେ ବଦଳ କ୍ରମ(ରୋଟେସନ) ଓ ଅକ୍ଷର କ୍ରମ(ଆଲଫାବେଟିକାଲ)ନିୟମରେ ବ୍ୟାପକ ତ୍ରୁଟି କରାଯାଇଛି । ୨୦୧୭ ନିର୍ବାଚନରେ ଯେଉଁ ୱାର୍ଡ ଅନୁସୂଚିତ ଜାତି ଲାଗି ସଂରକ୍ଷିତ ଥିଲା ତାକୁ ପୁଣି ବିଭିନ୍ନ ପଞ୍ଚାୟତରେ ଦୋହରା ଯାଇଛି । ଯାହାକି ବଦଳ କ୍ରମ (ରୋଟେସନ) ନିୟମର ସଂପୂର୍ଣ୍ଣ ପରିପନ୍ଥୀ । ସେହିପରି ସରପଞ୍ଚ ଓ ସମିତିସଭ୍ୟ କ୍ଷେତ୍ରରେ ଗତ ୩ ଟି ନିର୍ବାଚନରେ ମହିଳା ଥିବା ବେଳେ ଆସନ୍ତା ନିର୍ବାଚନ ଲାଗି ତାହା ମଧ୍ୟ ପୁଣି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି । ଗତ ୨୦୦୨ ପଞ୍ଚାୟତ ନିର୍ବାଚନରେ ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଓବିସି ମହିଳାଙ୍କ ଲାଗି,୨୦୦୭ରେ ଓବିସି, ୨୦୧୨ରେ ଅନୁସୂଚିତ ଜାତି ଓ ୨୦୧୭ରେ ଅଣ ସଂରକ୍ଷିତ ମହିଳାଙ୍କ ଲାଗି ସଂରକ୍ଷିତ ଥିବା ବେଳେ ଆସନ୍ତା ୨୦୨୨ ନିର୍ବାଚନ ଲାଗି ଏହଚୁ ଅଣ ସଂରକ୍ଷିତ କରା ନଯାଇ ପୁଣି ଥରେ ଅଣ ସଂରକ୍ଷିତ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି । ଯାହାକି ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଯିବା ସହ ତିହିଡି ବ୍ଲକରୁ ଏଥିନେଇ ମୋଟ ୧୦ଟି ଅଭିଯୋଗ ଆଗତ କରାଯାଇଛି । ଏଭଳି କରାଯିବା ଦ୍ୱାରା ବ୍ଲକର ଅଣ ସଂରକ୍ଷିତ ପୁରୁଷ ବର୍ଗର ପ୍ରାର୍ଥୀମାନେ ପଞ୍ଚାୟତ ସମିତି ନିର୍ବାଚନରେ ଅଂଶ ଗ୍ରହଣ କରିବା ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗରେ ଦର୍ଶାଯାଇଛି । ଏଭଳି ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ସମଗ୍ର ବ୍ଲକରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଅତି ବେପରୁଆ ଭାବେ ଓ ନୀତି ନିୟମକୁ ଉଲ୍ଲଘଂନ କରି ଏହି ସଂରକ୍ଷଣ ତାଲିକା ପ୍ରସ୍ତୁତ କରିଥିବା ଅଭିଯୋଗ ହେଉଛି । ଏଭଳି ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ଚିଠା ତାଲିକାର ସଂଶୋଧନ ଲାଗି ରାଜ୍ୟ ନିର୍ବାଚନ ଅଧିକାରୀ ନିଦେ୍ର୍ଦଶ ଦେବାକୁ ସେମାନେ ଦାବି କରିଛନ୍ତି । ଆଗାମୀ ୨୬ ତାରିଖ ଚୂଡାନ୍ତ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବା ପୂର୍ବରୁ ଉପରୋକ୍ତ ତ୍ରୁଟିବିଚୁ୍ୟତିକୁ ସଂଶୋଧନ କରିବାକୁ ଲୋକେ ଦାବି କରିଛନ୍ତି ।
Comments are closed.