ତିହିଡି,୦୧/୦୮: ଦୀର୍ଘ ୧୬ ମାସରୁ ଅଧିକ ସମୟ ହେଲା ସମଗ୍ର ପୃଥିବୀ କରୋନା ମହାକାରୀରେ କବଳିତ । ଏହି କରୋନା ମହାମାରୀ କରିଛି ଅନେକ କୋମଳମତି ଶିଶୁଙ୍କୁ ବାପା-ମାଆ ଛେଉଣ୍ଡ । ମହାମାରୀରେ ବାପା-ମାଆଙ୍କ ହରାଇଥିବା ଶିଶୁଙ୍କ ପାଇଁ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ଆଶୀର୍ବାଦ ଯୋଜନା ଯାହା ସେମାନଙ୍କ ଲାଗି ଆଶୀର୍ବାଦ ସଦୃଶ ସାବ୍ୟସ୍ତ ହୋଇଛି । ତେବେ ଏହି ଯୋଜନାରୁ ଯେପରି ଅନାଥ ହୋଇ ପଡିଥିବା ଶିଶୁମାନେ ଉପକୃତ ହୋଇପାରିବେ ସେ ଦିଗରେ ଅଧିକାରୀ ମାନେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।
ସୂଚନାଯୋଗ୍ୟ ଯେ, ତିହିଡି ବ୍ଳକ ଅନ୍ତର୍ଗତ ରାଜନଗର ପଞ୍ଚାୟତର ବରଦା ଗାଁର ଧରଣୀଧର ପଲାଇଙ୍କ କରୋନାରେ ମୃତୁ୍ୟ ହେବା ପରେ ତାଙ୍କର ଦୁଇ ନାବାଳକ ଶିଶୁ ଏବେ ବାପ ଛେଉଣ୍ଡ ହୋଇପଡିଛନ୍ତି । ଧରଣୀଧର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କ ଅବର୍ତ୍ତମାନରେ ପରିବାର ଲୋକେ ଏବେ ବଡ ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ଏ ଯାଏଁ ତାଙ୍କ ପତ୍ନୀ ଯଶୋଦାଙ୍କୁ ବିଧବା ଭତ୍ତାଟିଏ ବି ମିଳି ପାରିନାହିଁ । ଦୁଇ ପିଲାଙ୍କୁ କିଭଳି ଲାଳନପାଳନ କରିବେ ଓ ପାଠଶାଠ ପଢାଇବେ ସେହି ଚିନ୍ତାରେ ଯଶୋଦା ଭାଙ୍ଗି ପଡିଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ତାଙ୍କ ଦୁଇ ପିଲାଙ୍କୁ ତୁରନ୍ତ ଆଶୀର୍ବାଦ ଯୋଜନାରେ ସାମିଲ କରିବାକୁ ଯଶୋଦା ନିବେଦନ କରିଛନ୍ତି ।
Comments are closed.