Odisha news

କଳାବଜାରୀଙ୍କୁ ସୁହାଉଛି ଲକ୍ଡାଉନ : ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ନେଇ ଖାଉଟି ହନ୍ତସନ୍ତ

0

ତିହିଡି,୦୬/୦୫: ସାରା ଦେଶରେ ମହମାରୀର କରୋନା କାୟା ବିସ୍ତାର କରିଚାଲିଛି । ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଅପରପକ୍ଷେ ଲକଡାଉନରୁ ଫାଇଦା ଉଠାଇବାରେ ଲାଗି ପଡିଛନ୍ତି କିଛି କଳାବଜାରୀ ଓ ମୁନାଫାଖୋର ବ୍ୟବସାୟୀ । ଲକଡାଉନ ଘୋଷଣା ହେବା ପରଠାରୁ ତିହିଡି ବ୍ଲକର ବିଭିନ୍ନ ବଜାରର ଚିତ୍ର ବଦଳି ଯାଇଛି । ତିହିଡି, ଦୋଳସାହି ଓ ପୀରହାଟ ବଜାରରେ ଲୋକଙ୍କର ଅସମ୍ଭବ ଗହଳି ପରିଲକ୍ଷିତ ହୋଇଥିଲା । ଏହାକୁ ଲକ୍ଷ୍ୟ କରି ବ୍ୟବସାୟୀ ମାନେ ଅତ୍ୟାବଶ୍ୟକ ସାମଗ୍ରୀର ଅଚାନକ ଦରବୃଦ୍ଧି କରି ଦେଇଥିଲେ । ଏପରିକି ଆଳୁ, ପିଆଜ ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର କୃତ୍ରିମ ଅଭାବ ମଧ୍ୟ ଦେଖା ଦେଇଥିଲା । ମୁନାଫାଖୋର ବ୍ୟବସାୟୀମାନେ ଅଧିକ ଲାଭ ଆଶାରେ ଏହି ଅଭାବ ସୃଷ୍ଟି କରିଥିବା ବେଳେ ସାମଗ୍ରୀ ନ ମିଳିବା ଆଶଙ୍କାରେ ଲୋକମାନେ ଚଢା ଦରରରେ କିଣିବାକୁ ବାଧ୍ୟ ହୋଇଥିଲେ । ବୁଧବାର ଠାରୁ ଲକଡାଉନ ଆରମ୍ଭ ହୋଇଛି ଏବଂ ସାମଗ୍ରୀର ଚଡା ଦର ଅପରିବର୍ତ୍ତିତ ରହିଛି । ଏହି ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟିମାନେ ଚିନ୍ତାରେ ପଡି ଯାଇଛନ୍ତି । ଅଧିକାଂଶ ପରିବାରର ରୋଜଗାର ଏକପ୍ରକାର ଠପ୍ ହୋଇଯାଇଥିବା ବେଳେ ଦର ବୃଦ୍ଧି ସେମାନଙ୍କ ପାଇଁ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି । ଅପରପକ୍ଷେ ପ୍ରଶାସନ ପକ୍ଷରୁ ଦରଦାମ ରୋକିବା ଦିଗରେ କୌଣସି ପଦକ୍ଷେପ ନିଆ ନଯିବା ଖାଉଟିଙ୍କୁ ହତୋତ୍ସାହିତ କରିଛି । ମୁନାଫାଖୋର ବ୍ୟବସାୟୀଙ୍କ ଗୋଦାମରେ ଚଢାଉ କରାଯାଉ । ପ୍ରଶାସନ ପକ୍ଷରୁ ଉଚିତ ଦାମରେ ଖାୁଟିଙ୍କୁ ସାମଗ୍ରୀ ବଣ୍ଟନର ସୁବ୍ୟବସ୍ଥା କରାଯିବାକୁ ଦାବି ହୋଇଛି । ଏ ପ୍ରକାର ପଦକ୍ଷେପ ନିଆଯିବା ସହ ବ୍ୟବସାୟୀଙ୍କ ଉପରେ ଆଇନଗତ କଟକଣା ଲାଗୁ କରାଗଲେ ସେମାନେ କଳାବଜାରୀରୁ କ୍ଷାନ୍ତ ରହିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Nalco
Leave A Reply