Odisha news

ଜୋର ଧରିଲା ଶୀତଳ ଭଣ୍ଡାର ପତିଷ୍ଠା ଦାବି : ଲାଭବାନ ହେବେ ଉଭୟ ଚାଷୀ ଓ ଖାଉଟି

0

ତିହିଡି : ମହାମାରୀ କରୋନା ସମୟରେ ତିହିଡି ବ୍ଲକର ଅନେକ ଲୋକ ଜୀବିକା ହରାଇଛନ୍ତି । ଆତ୍ମ ନିର୍ଭରଶୀଳ ହେବା ପାଇଁ ସେମାନଙ୍କ ମଧ୍ୟରୁ ଅଧିକାଂଶ ପନିପରିବା ଭଳି ଚାଷକୁ ଆପଣେଇ ନେଇଛନ୍ତି । ଯାହାଦ୍ୱାରା ଏବେ ବ୍ଲକରେ ଏହି ଚାଷର ପରିମାଣ ଦ୍ୱିଗୁଣିତ ହୋଇଯାଇଛି । ତେବେ ବ୍ଲକରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ପନିପରିବାକୁ ସଂରକ୍ଷିତ ରଖିବାକୁ କୌଣସି ବ୍ୟବସ୍ଥା ନାହିଁ । ଯାହାଫଳରେ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡୁଛି । ଏହି ପରିପ୍ରେକ୍ଷୀରେ ବ୍ଲକରେ ଏକ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଦାବି ଜୋରଦାର ହୋଇଛି । ପୂର୍ବରୁ ଚାଷୀମାନେ ଏ ସଂପର୍କରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି କୃଷି ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରି ଆସିଥିଲେ ମଧ୍ୟ ଏହା ଫଳପ୍ରଦ ହୋଇପାରିନାହିଁ । ସୋମବାର ଦୋଳସାହି ପଞ୍ଚାୟତ ଅଧିନସ୍ଥ ଗାଜିପୁର ଗ୍ରାମର ଚାଷୀ ମାନେ ଏ ସଂପର୍କରେ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେବା ସହ ଶୀତଳଭଣ୍ଡାର ପ୍ରତିଷ୍ଠା ହେଲେ ଉଭୟ ଚାଷୀ ଓ ଖାଉଟି ଲାଭବାନ ହେବେ ବୋଲି ଦର୍ଶାଇଛନ୍ତି । ଚାଷୀ ଗଣେଶ ପ୍ରସାଦ ଖାମୁରାଇ, ଅକ୍ଷୟ ମହାନ୍ତି, ଯଦୁନାଥ ସାହୁ, ହରେକୃଷ୍ଣ ପଣ୍ଡା, ରାଜେନ୍ଦ୍ର ନାୟକ ଓ ସୁଶାନ୍ତ ବାରିକ ପ୍ରମୁଖ ଦର୍ଶାଇଛନ୍ତି ଯେ, ତିହିଡି ବ୍ଳକର ଗାଜିପୁର, ଦୋଳସାହି, ନୂଆନନ୍ଦ, ପାଳିଆବିନ୍ଧା, କୁବେରା, ଗୁଆମାଳ, ତାଳପଦା, ବିଲଣା ଓ ତଳଗୋପବିନ୍ଧା ଗ୍ରାମରେ ପ୍ରଚୁର ପରିମାଣରେ ପନିପରିବା ଚାଷ ହେଉଛି ।

ଚାଷୀମାନେ କୃଷି ବିଭାଗର ପରାମର୍ଶ କ୍ରମେ ଉନ୍ନତ ଜ୍ଞାନକୌଶଳରେ ଏହି ଚାଷ କରୁଛନ୍ତି । ସେମାନଙ୍କ ପରିବାର ପ୍ରତିପୋଷଣର ଏହା ଏକମାତ୍ର ମାଧ୍ୟମ ହୋଇଥିବାରୁ ଚାଷ ପାଇଁ ସେମାନେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ତେବେ ଆମଦାନୀ ସମୟରେ ପନିପରିବାର ଦର ହ୍ରାସ ପାଉଥିବାରୁ ସେମାନେ ଚାଷରୁ ବିଶେଷ ଭାବେ ଲାଭବାନ ହୋଇପାରୁନାହାନ୍ତି । ତିହିଡି ବଜାର, ଦୋଳସାହି, ଭଦ୍ରକକୁ ବାଦ ଦେଲେ ସେମାନଙ୍କୁ ବାଲେଶ୍ୱର, ସୋର, ରାଉରକେଲା ପ୍ରମୁଖ ସ୍ଥାନକୁ ପନିପରିବା ପଠାଇବାକୁ ହୋଇଥାଏ । ପ୍ରତିଦିନ ବିକ୍ରୀ ବାଦେ ପନିପରିବାକୁ ସଂରକ୍ଷିତ ରଖିବାକୁ ଶୀତଳଭଣ୍ଡାର ନଥିବାରୁ ଅଧିକାଂଶ ସମୟରେ ଖୁବ ଶସ୍ତାରେ ପନିପରିବା ବିକ୍ରୀ କରିବାକୁ ପଡିଥାଏ କାରଣ ଏହା ରହିଲେ ନଷ୍ଟ ହେବାର ସମ୍ଭାବନା ଥାଏ । ଏହା ଛଡା ବ୍ୟବସାୟୀମାନେ ସ୍ଥାନୀୟ ଅଞ୍ଚଳକୁ ବାଦ ଦେଲେ ଅନ୍ୟ ଜିଲ୍ଲାରୁ ପନିପରିବା ଆଣି ବିକ୍ରୀ କରୁଥିବାରୁ ଚାଷୀମାନଙ୍କୁ ଅନେକ ସମୟରେ ଅଭାବୀ ବିକ୍ରୀକୁ ସାମ୍ନା କରିବାକୁ ହୋଇଥାଏ । ଏପରିସ୍ଥଳେ ଶୀତଳଭଣ୍ଡାର ଥିଲେ ଲୋକମାନେ ସବୁବେଳେ ଦେଶୀ ପନିପରିବା ସୁଲଭ ମୂଲ୍ୟରେ ପାଇପାରନ୍ତେ । ତେଣୁ ପନିପରିବାର ପେଣ୍ଠ ସ୍ଥଳୀ ଭାବେ ସୁପରିଚିତ ଦୋଳସାହିରେ ଏକ ଶୀତଳଭଣ୍ଡାର ହେଲେ ଚାଷୀମାନଙ୍କ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେମାନେ ଦର୍ଶାଇଛନ୍ତି ।

Ad2
Leave A Reply