Odisha news

କାଳିମେଘା ମେଳନର ଭିନ୍ନ ପରମ୍ପରା : ଅବିରରେ ଆରମ୍ଭ କାଦୁଅ ଖେଳରେ ଶେଷ

ତିହିଡି,୨୬/୦୩: ରାଧାକୃଷ୍ଣଙ୍କ ମିଳନକୁ ମେଳନର ରୂପ ଦିଆଯାଇଛି । ଏହି ମେଳନ ଭିନ୍ନ ଭିନ୍ନ୍ନ ପରମ୍ପରା ଅନୁଯାୟୀ ବିଭିନ୍ନ ସ୍ଥାନରେ ପାଳିତ ହୋଇଥାଏ । ସେହିପରି ତିହିଡି ବ୍ଲକ ଅଧିନ ମୁକୁନ୍ଦପୁର ପଞ୍ଚାୟତର କାଳିମେଘା ମେଳନ ମଧ୍ୟ ଏକ ସ୍ୱତନ୍ତ୍ର ପରମ୍ପରାରେ ଅନୁଷ୍ଠିତ ହୋଇଆସୁଛି । ଏହି ମେଳନ ଅବିରରୁ ଆରମ୍ଭ ହୋଇ କାଦୁଅ ଖେଳରେ ଶେଷ ହୋଇଥାଏ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ମେଳନକୁ ଆସିଥିବା ଲୋକମାନେ ପରସ୍ପର ଦେହରେ ଅବିର ଲଗାଇ ଭାଇଚାରା ସୃଷ୍ଟି କରିଥାନ୍ତି । ଶ୍ରୀଚୈତନ୍ୟଙ୍କ ଆଗମନ କାଳରୁ ଏହି ମେଳନ ଅନୁଷ୍ଠିତ ହେଉଥିବା କୁହାଯାଏ । ଦୋଳପୂର୍ଣ୍ଣିମା ରାତିରେ ବତିମରାପଦାରେ ତୋପର ଶବ୍ଦ ଶୁଣାଯାଇଥାଏ । ପ୍ରଥମ ବିମାନ ରୂପେ ଗୁଡୁପାଳର ଶ୍ରୀ ରାଧାବଲ୍ଳଭ ଜୀଉ ପଡିଆ ଭିତରକୁ ଶୋଭାଯାତ୍ରାରେ ଅଗ୍ରସର ହୋଇଥାନ୍ତି । ଏହା ପରେ ସମସ୍ତ ବିମାନ ନିଜ ନିଜର ନମ୍ବର ଅନୁଯାୟୀ ମେଳନ ପଡିଆକୁ ପ୍ରବେଶ କରିଥାନ୍ତି । ବିମାନ ସବୁ ଶ୍ରୀ ଦଧିôବାମନ ଜୀଉଙ୍କୁ ପ୍ରଦକ୍ଷିଣ କରିବା ପରେ ପଡିଆ ମଧ୍ୟକୁ ଯାଇଥାନ୍ତି । ଏହା ପୂର୍ବରୁ ଥାନପତି ଗୋପୀନାଥ ଜୀଉ ସମସ୍ତ ଠାକୁରଙ୍କୁ ଅବିର ଦେଇ ମେଳନକୁ ଯିବାକୁ ନିମନ୍ତ୍ରଣ ଦେଇଥାନ୍ତି । ଅପରାହ୍ଣ ଯାଏଁ ମେଳନ ଚାଲୁ ରହିଥାଏ । ପରେ ଦଧିବାମନ କାଦୁଅ ଖେଳି ଖେଳି ପଡିଆ ମଧ୍ୟକୁ ପ୍ରବେଶ କରିଥାନ୍ତି । ସମସ୍ତ ଠାକୁରଙ୍କୁ ଭେଟିବା ପରେ ମେଳନ ଭାଙ୍ଗିବା ଲାଗି ନିଦେ୍ର୍ଦଶ ଦେଇଥାନ୍ତି । ଶ୍ରୀ ରାଧାବଲ୍ଲଭ ଜୀଉ ପ୍ରଥମେ ମେଳନସ୍ଥଳରୁ ଉଠିବା ପରେ ସମସ୍ତ ଠାକୁର ମେଳନ ସ୍ଥଳ ପରିତ୍ୟାଗ କରିଥାନ୍ତି । ମେଳନ କମିଟିର ସଭାପତି ବାଣୀକଲ୍ୟାଣ ମହାପାତ୍ର ଓ ସମ୍ପାଦକ ଗଣେଶ ନାୟକଙ୍କ ସମେତ କମିଟି ସମସ୍ତ କର୍ମକର୍ତ୍ତା ମେଳନକୁ ସୁପରିଚାଳନା କରିଥାନ୍ତି । ତେବେ ଚଳିତ ବର୍ଷ କୋଭିଡ ନିୟମ ଅନୁଯାୟୀ ମେଳନ ଅନୁଷ୍ଠତ ହେବାକୁ ସ୍ଥିର ହୋଇଛି । ମେଳନରେ କେବଳ ସଂକୀର୍ତ୍ତନ ଦଳ ଭାଗ ନେବେ ଓ ଅଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ମେଳନ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ସେହିପରି ବିଭିନ୍ନ ଅଞ୍ଚଳରୁ ଆସି ଏଠାରେ ଦୋକାନ କରୁଥିବା ଦୋକାନୀ ମାନେ ଏଥର ଦୋକାନ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ଫଳରେ ଚଳିତ ବର୍ଷ ଏହି ମେଳନ ଫିକା ପଡିବାର ଆଶଙ୍କା ଦେଖାଦେଇଛି ।

Comments are closed.