Odisha news

ଯୁବ ସମାଜସେବୀ ପ୍ରଶାନ୍ତ ସେଠୀଙ୍କ ଅକାଳ ବିୟୋଗ

0

ତିହିଡ : ତିହିଡି ବ୍ଲକ ଅନ୍ତର୍ଗତ ଦୌଲତପୁର ପଞ୍ଚାୟତ ବାଇବଳ ଗାଁର ବଳରାମ ସେଠୀଙ୍କ ପୁଅ ତଥା ଯୁବ ସମାଜସେବୀ ପ୍ରଶାନ୍ତ ସେଠୀ(୩୬)ଙ୍କର ଗତ ୯ ତାରିଖ ଦିନ କଟକସ୍ଥିତ ଏକ ଘରୋଇ ନର୍ସିଂହୋମରେ ପରଲୋକ ଘଟିଛି । ଶ୍ରୀ ସେଠୀ ହଠାତ ଅସୁସ୍ଥ ହୋଇପଡିବା ଯୋଗୁଁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସେ ଲିଭର ଜନିତ ରୋଗରେ ପୀଡିତ ଥିବା ଜଣା ପଡିଥିଲା । ତେବେ ତାଙ୍କୁ ଚିକିତ୍ସା ପାଇଁ ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ପରଲୋକ ଘଟିଥିଲା । ଶ୍ରୀ ସେଠୀ ଏକ ସ୍ୱାବଲମ୍ବୀ କାରିଗର ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିବା ସହିତ ପରବର୍ତ୍ତୀ ସମୟରେ ଭାରତୀୟ ଖାଦ୍ୟ ନିଗମରେ ରୁପ୍ସା ଠାରେ କାର୍ଯ୍ୟରତ ଥିଲେ ।

ଗତ କିଛି ବର୍ଷ ହେଲା ସେ ତିହିଡି ଠାରେ ନିଜ ପରିବାର ସହିତ ବସବାସ କରୁଥିବା ବେଳେ ତିହିଡିର ଅଗ୍ରଣୀ ସେବା ସଙ୍ଗଠନ ‘ ସେବା ସଙ୍କଳ୍ପ ସମାଜ’ର ଜଣେ ସଭ୍ୟ ଭାବେ ବିଭିନ୍ନ ସେବା ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ । ସେ ଜଣେ ସରଳ, ନିଷ୍ଠାପର, ହୃଦୟବାନ ଓ ପରୋପକାରୀ ଯୁବକ ଭାବରେ ନିଜ ଗାଁ ଠାରୁ ପୁଣି ତିହିଡି ଯାଏଁ ବେଶ ଜଣାଶୁଣା ଥିଲେ । ଯିଏ ଯେତେବେଳେ ଶ୍ରୀ ସେଠୀଙ୍କ ସହାୟତା ଲୋଡୁଥିଲେ ସେ ଅକୁଣ୍ଠିତ ହୃଦୟରେ ସହଯୋଗର ହାତ ବଢାଇ ଦେଉଥିଲେ । ତାଙ୍କର ଅକାଳ ବିୟୋଗରେ ତାଙ୍କ ଗାଁ ସମେତ ତିହିଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜିଲା ସ୍ୱାବଲମ୍ବୀ କାରିଗର ସଂଘର ଜିଲ୍ଲା ସଂପାଦକ ହରେକୃଷ୍ଣ ପଣ୍ଡା, ସେବା ସଙ୍କଳ୍ପ ସମାଜର ସଭାପତି ଯଦୁମଣି ପାଣିଗ୍ରାହୀ, ନିର୍ମଳ ସେନାପତି, ନାରାୟଣ କର, ପ୍ରଫୁଲ ନାୟକ, ନିତ୍ୟାନନ୍ଦ ମଲ୍ଲିକ ପ୍ରମୁଖ ଶ୍ରୀ ସେଠୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply