Odisha news

ସକାରାତ୍ମକ ବିଚାର

0

ପ୍ରତିଟି ମୁହୂର୍ତ୍ତରେ ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟ ପ୍ରକୃତିଠାରେ ବିଦ୍ୟମାନ । ପ୍ରତ୍ୟକ ଜୀବଙ୍କ ପରିତ୍ରାଣ ଓ କଲ୍ୟାଣ ପାଇଁ ପରମାତ୍ମା ଓ ପ୍ରକୃତି ସଦାସର୍ବଦା ତତ୍ପର । ତେଣୁ ସକାରାତ୍ମକ ଦୃଷ୍ଟିକୋଣରେ ବଜାୟ ରହିଥାଏ ନିରନ୍ତରତା । ନିଜ ବିଚାରକୁ ସକାରାତ୍ମକ ଦୃଷ୍ଟିଭଙ୍ଗିରେ ବିକଶିତ କରିବା ଓ ଅପର ପ୍ରତି କୃତଜ୍ଞତା ପ୍ରକାଶ କରିବାର ଆବଶ୍ୟକତା ରହିଛି । ପ୍ରକୃତିକୁ ଟିକେ ତଲେଇ ନିରୀକ୍ଷଣ କଲେ ଆମେ ସବୁ କିଛି ବେଶ୍ ଭଲ ଭାବରେ ହୃଦୟଙ୍ଗମ କରିପାରିବା । ଆଉ ଯେଉଁଦିନ ଆମେ ବଂଚି ରହୁଛେ ସେଇ ଦିନକୁ ସେହି ବର୍ଷର ଶ୍ରେଷ୍ଠଦିନ ରୂପେ ଜାଣି ଜିଇଁପାରିବା ।
ମନୁଷ୍ୟ ସେହି ପ୍ରାଣୀ ଯାହାର ସୃଷ୍ଟି ହୋଇଥାଏ କେବଳ ତାର ବିଚାରରୁ । ସିଏ ଯାହା ଭାବେ ସେଇଆ ହୋଇଯାଏ । ତେଣୁ ନିଜ ବିଚାର ଭାବନାର ପରିସୀମା ମଧ୍ୟରେ ସେ ନିଜକୁ ବିକଶିତ କରିଚାଲେ ।

ଯେଉଁ ବ୍ୟକ୍ତି ନିଜର ବିଚାରକୁ ସୀମିତ ରଖେ ସିଏ କେବେ ବି ସାକାର କରିପାରି ନଥାଏ ତାର ଅସୁମାରୀ ସ୍ୱପ୍ନକୁ । ସେଥିପାଇଁ ଆମକୁ ସର୍ବଦା ନିଜର ବିଚାରକୁ ବ୍ୟାପକ କରିବାକୁ ପଡିବ । ବର୍ତ୍ତମାନ ଆମେ ଯେଉଁ ଚିଜ ବାବଦରେ ଭାବୁଛେ ଆମେ ତାକୁ ପ୍ରାପ୍ତି କରିପାରୁନା । ସଫଳତା ଓ ଆମର ବିଚାର ମଧ୍ୟରେ ଅନ୍ତର ମାତ୍ର କେଇ ପାଦ । ଆମେ ସଫଳତା ସେବେ ସାଉଁଟିପାରିବା ଯେବେ ଆମେ ନିଜର ନକାରାତ୍ମକ ବିଚାରକୁ ତ୍ୟାଗକରି ନିଜକୁ ଏଥିପାଇଁ ଯୋଗ୍ୟ ବୋଲି ମଣିବା । ପୁଣିଁ ଏହି ବିଚାର ବିଦଳିବା ମାତ୍ରେ ହିଁ ଜୀବନରେ ବିରାଟ ପରିବର୍ତ୍ତନକୁ ପ୍ରତ୍ୟକ୍ଷ କରିପାରିବା ।
ଜୀବନ ସତତ ଗତିଶୀଳ ଓ ପ୍ରବହମାନ । ସେଇଠି କେବଳ ତାର ସକଳ ଖୁସି ମଧ୍ୟରେ ଘୋଟିଆସେ ଦୁଃଖର କଳା କିଟିକିଟି ବାଦଲ । ଏଣୁ କୌଣସି ପ୍ରକାରର ପରିସ୍ଥିତିରୁ ରକ୍ଷା ପାଇବା ସମ୍ଭବ ହୋଇନଥାଏ । ତେବେ ଏହି ପରିସ୍ଥିତିରୁ ନିଜକୁ ରକ୍ଷା କରିପାରିବା ନିଜର ଭାବନାତ୍ମକ ଚିନ୍ତନ ଓ ଆଧ୍ୟାତ୍ମକତା ବଳରେ ।


ଏ କଥା ନିଛକ ସତ ଯେ, କେବଳ ସକାରାତ୍ମକ ଚିନ୍ତନ ଓ ବିଚାର ହିଁ ଆମକୁ ଶାନ୍ତି ଦିଏ । ଏ ପାର୍ଥିକ ଦୁନିଆରେ ନକାରାତ୍ମକ ବିଚାର ଆମକୁ ଛିଡା କରେଇଦିଏ ଦୁଃଖର ପାହାଡ ଉପରେ । ଏଥିସହିତ ଆମର ଭବିଷ୍ୟତ ଭାବନା ଓ ପରିସ୍ଥିତିର ମଂଜି ମଧ୍ୟ ରୋପେ । ଯଦି ଆମେ ସକାରାତ୍ମକ ରହିବା ତେବେ ଦୁଃଖଦ ପରିସ୍ଥିତି ବି ସୁଖଦାୟୀ ହୋଇଯାଏ । ତେଣୁ ଆମକୁ ସକାରାତ୍ମକ ଭାବନା ପୋଷଣ କରିବାକୁ ହେବ । ମନ ସକାରାତ୍ମକ ହେବା ମାତ୍ରେ ଆମେ ଦିବ୍ୟ ସତ୍ତାଙ୍କୁ ଅନୁଭବ କରିପାରିବା । କାରଣ ସକାରାତ୍ମକତା ନିର୍ମଳତାର ନିର୍ଦ୍ଦଶନ । ଆଉ ମନର ନିର୍ମଳତାରେ ଥାଏ ପରମ ସୁଖ,ପରମ ଶାନ୍ତି ଓ ପରମ ଆନନ୍ଦ । ତେଣୁ ଯିଏ ସକାରାତ୍ମକ ମନୋଭାବସମ୍ପନ୍ନ ସିଏ ପରମ ସତ୍ତାଙ୍କ ଅଭିମୁଖେ ଅଗ୍ରସର ହୁଏ । ଏଥିପାଇଁ ମାବବଜାତିର ମଙ୍ଗଳ ସକାଶେ ଆମକୁ ନକାରାତ୍ମକ ଖୋଳପାରୁ ବାହାରିଆସିବାକୁ ହେବ । ଜୀବନରେ ସଫଳତା ସାଉଁଟିବା ତଥା ସକାରାତ୍ମକ ବିଚାରକୁ ଆପଣଇବା ପାଇଁ ବ୍ୟକ୍ତି ଅଯଥା ବିତଣ୍ଡା ଯୁକ୍ତିତର୍କ ଓ ବାଦାନୁବାଦରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ । ବେକାର କଥାରେ ଯୁକ୍ତି କଲେ ମାନସିକ ଉତ୍ତେଜନା ଓ ଅବସାଦ ବୃଦ୍ଧିପାଇଥାଏ ।


ସୁତରାଂ ଜୀବନକୁ ସ୍ୱାଭାବିକ ରଖିବା ଆମ ପକ୍ଷେ ଏକାନ୍ତ ଜରୁରୀ । ଉତୁଙ୍ଗ ତଥା ଅବନତ ପାହାଡ ଚୂଡାରେ ପହଁଚିବା ଲାଗି ମଣିଷ ତା ଜୀବନକୁ ଏକ ସକାରାତ୍ମକ ଢାଂଚାରେ ପକାଇଥାଏ । ଯେଉଁ ବ୍ୟକ୍ତି ନିଜ ଜୀବନକୁ ସୁଢଳ ସୁନ୍ଦର ଓ ଆନନ୍ଦମୟ କରିବାରେ ଅସମର୍ଥ ସିଏ ଯେତେ ପ୍ରତିଭାବାନ ଧନବାନ ଓ ଜ୍ଞାନବାନ ହୋଇ ଥାନ୍ତି ପଛକେ ମହାନତାର ଶିଖରରେ ପହଁଚିପାରିବେ ନାହିଁ । ତେଣୁ ଆମକୁ ଏବେଠୁ ନିଜ ମହାର୍ଘ ଜୀବନକୁ ସଫଳ ଓ ସାର୍ଥକ କରିବାକୁ । ଅସଲ କଥା ହେଉଛି ଆମେ ଯାହା ଭାବିବା ସେଇଆ ହି ପ୍ରାପ୍ତ କରିବା । ଆମର ନକାରାତ୍ମକ ବିଚାର ନୈରାଶ୍ୟ ହାତାଶା ଗ୍ଲାନୀ ତଥା ବିଫଳତା ଆଡକୁ ଠେଲିନେଉଥିବା ବେଳେ ସକାରାତ୍ମକ ଭାବନା ଆମକୁ ସଫଳତା ଆଡକୁ ଅଗ୍ରସର କରାଏ । ଆମେ ଯଦି ମନେ ମନେ ସ୍ଥିର କରିବା ଯେ ଆମେ ଯାହା ଦିନସାରା ଭାବୁଛେ ତାହା ଭଲ ବୋଲି ତେବେ ନିଶ୍ଚିତ ରୂପେ ଆମର ଦିନଟି ଖୁବ ଭଲରେ କଟିଯିବ । ଏଭଳି ପ୍ରୟାସ ଓ ପ୍ରୟୋଗ ଆମେ ଆନାୟାସରେ ସପ୍ତାହକ ପର୍ଯ୍ୟନ୍ତ କରିପାରିବା । ୟା ପରେ ଜୀବନରେ କଣ ଗୋଟେ ଅଦ୍ଭୁତ ପରିବର୍ତ୍ତନ ଆସିଛି ବୋଲି ଆମେ ପ୍ରତ୍ୟକ୍ଷ କରିପାରିବା ।

Leave A Reply