Odisha news

ମହାରାଷ୍ଟ୍ର ସରକାର କଥା ବଦଳେଇଛନ୍ତି : ରାଜ୍ୟରେ ୨୫ ଘରୋଇ ବିମାନ ଉଡ଼ାଣ ନେଇ ଅନୁମତି

0

ମୁମ୍ବାଇ: କିଛି ସମୟ ପୂର୍ବରୁ ଘରୋଇ ବିମାନ ଉଡ଼ାଣ ନେଇ ମନା କରୁଥିବା ମହାରାଷ୍ଟ୍ର ସରକାର କଥା ବଦଳେଇଛନ୍ତି। ରାଜ୍ୟରେ ୨୫ ଘରୋଇ ବିମାନ ଉଡ଼ାଣ ନେଇ ଅନୁମତି ଦେଇଛନ୍ତି ସରକାର। ବିମାନ ଚଳାଚଳ ନେଇ ରାଜ୍ୟ ପ୍ରସ୍ତୁତ ନଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦେଇଥିବା ସୂଚନାର କିଛି ସମୟ ପରେ ରାଜ୍ୟ ମନ୍ତ୍ର ନୱାବ୍‌ ମଲ୍ଲୀକ ୨୫ ବିମାନ ଉଡ଼ାଣ ଅନୁମତି ନେଇ ଘୋଷଣା କରିଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସମସ୍ତ ବିମାନ ଚଳାଚଳ ଏଜେନ୍ସିଂଙ୍କ ସହିତ କଥା ହେବା ପରେ  ମୁଖ୍ୟଶାସନ ସଚିବଙ୍କ ସହିତ ଏ ବିଷୟରେ କଥା ହୋଇଥିଲି। ପରେ  ଆସନ୍ତାକାଲି ଠାରୁ ପ୍ରାଥମିକ ପର୍ଯ୍ୟାୟରେ ମୁମ୍ବାଇରୁ ୨୫ ଫ୍ଲାଇଟ୍ ଉଡ଼ାଣ ନେଇ ନିଷ୍ପତ୍ତି ହୋଇଥିଲା ବୋଲି ନୱାବ ସୂଚନାନ ଦେଇଛନ୍ତି। ପର୍ଯ୍ୟାକ୍ରମେ ଅଧିକ ବିମାନ ଉଡ଼ାଣ ନେଇ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

ନୱାବଙ୍କ ଘୋଷଣାର କିଛି ସମୟ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବିମାନ ଚଳାଚଳ ଆରମ୍ଭ  କରିବାକୁ ଅରାଜି ହୋଇଥିଲେ। କରୋନା ଭାଇରସ୍‌ ବ୍ୟାପିବାର ଆଶଙ୍କା ଥିବାରୁ ବିମାନ ଚଳାଚଳ ପାଇଁ ପ୍ରସ୍ତୁତ ହେବାକୁ ସମୟ ଲାଗିବ ବୋଲି କହିଥିଲେ ଉଦ୍ଧବ। ଏମିତିକି ମେ ୩୧ରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରୁଥିଲେ ବି ଲକ୍‌ଡାଉନ୍‌ ଉଠାଯାଇପାରିବ ନାହିଁ ବୋଲି ମଧ୍ୟ ସୂଚନା ଦେଇଥିଲେ।

ପ୍ରକାଶ ଥାଉକି, ବର୍ତ୍ତମାନ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୧୯୦ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫୭୭ ରହିଛି। ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ରାଜ୍ୟ ଭାବେ ମହାରାଷ୍ଟ୍ର କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

Govt
Leave A Reply