ବେଲଗୁଣ୍ଠା, 26/01, ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ହନୁମାନ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜନୈକ ଶିକ୍ଷକଙ୍କ ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ଆସ୍କା ସୁନାମ ସାହିର ଭାସ୍କର ନାଇକଙ୍କ ପୁଅ ଅସୀତ୍ ନାଇକ (35)ଆସ୍କା ବ୍ଳକ୍ ପୂଡୂଗେଶ୍ୱରପଲ୍ଲୀରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି I ସେ ଆଜି କୌଣସି କାମରେ ଭଞ୍ଜନଗର ସ୍ଥିତ ନିଜ ବନ୍ଧୁ ଘରକୁ ଯାଇ ନିଜର ମୋଟରସାଇକେଲ୍ ରେ ଫେରୁଥିବା ସମୟରେ ସନ୍ଧ୍ୟା 5 ଘଣ୍ଟା 40 ମିନିଟ୍ ସମୟରେ ଖଇରପୁଟି ହନୁମାନ ମନ୍ଦିର ନିକଟରେ କୌଣସି ଅଜଣା ଗାଡ଼ି ଧକ୍କାରେ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡ଼ିଯାଇଥିଲେ I ଫଳରେ ଅସୀତ୍ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା I ଗାଡ଼ିଟି ଅସିତ୍ ଙ୍କୁ 200 ପ୍ରାୟ ମିଟର ଘୋଷାରି ନେଇଯାଇଥିବା ଅନୁମାନ କରାଯାଉଛି I ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ୍ ଖବର ପାଇ ଅସୀତ୍ ଙ୍କ ଶବ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ କୁ ପଠାଇଥିବା ସୂଚନା ମିଳିଛି I