Odisha news

ହିଙ୍ଗୁଳା କୋଇଲା ଖଣିରେ ଦୁର୍ଘଟଣା, ଠିକା କର୍ମଚାରୀ ମୃତ

0

ତାଳଚେର : ତାଳଚେର ବ୍ଲକ ଏମ୍ସିଏଲ୍ ହିଙ୍ଗୁଳା କୋଇଲା ଖଣିରେ ଏକ ଦୁର୍ଘଟଣାରେ ଜଣେ ଠିକା କର୍ମଚାରୀଙ୍କର ଶୋଚନୀୟ ମୃତୁ୍ୟ ଘଟିଛି । ମୃତକଙ୍କ ନାମ ସୋମେତ ଜମାଡ (ବୟସ-୩୮) ଓ ଘର ଛତିଶଗଡ ରାଜ୍ୟରେ ବୋଲି ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ନିଯୁକ୍ତି ପ୍ରଦାନ ଦାବିରେ ଖଣି କର୍ମଚାରୀ ଓ ଠିକା ଶ୍ରମିକମାନଙ୍କ ପକ୍ଷରୁ ଖଣି ବନ୍ଦ କରାଯାଇଥିଲା । ଫଳରେ କୋଇଲା ଉତୋଳନ ଓ ପରିବହନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

ସୂଚନାରୁ ପ୍ରକାଶ ଯେ- ମୃତ ଶ୍ରୀ ସୋମେତ କୋଇଲା ଖଣିରେ ଓଏସ୍ଏଲ୍ ନାମକ ଏକ ପ୍ରାଭଭେଟ ସଂସ୍ଥାରେ ଡ୍ରିଲ୍ ହେଲପର୍ ଭାବରେ କାର୍ଯ୍ୟ କରୁଥିଲେ । ଆଜି ସକାଳେ ଅସାବଧାନବଶଃତ ସେ ଡ୍ରିଲ ମେସିନରୁ ଖସି ପଡିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ଖଣି କର୍ତୃପକ୍ଷ ଘଟଣାସ୍ଥଳରେ ପଂହଚି ଘଟଣାର ଅନୁଧ୍ୟାନ କରିବା ସହ ଉପସ୍ଥିତ ଶ୍ରମିକ ନେତା ତଥା ଅନ୍ୟାନ୍ୟ ରାଜନୈତିକ ନେତାମାନଙ୍କ ସହ ଆଲୋଚନା କରିଥିଲେ ।

ମୃତକଙ୍କ ପରିବାରକୁ ନିୟମାନୁଯାୟୀ କ୍ଷତିପୂରଣ ଓ ଶୁଦ୍ଧିକ୍ରିୟା ନିମନ୍ତେ ମୋଟ ୩୭ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଖଣି କର୍ତୃପକ୍ଷ ପ୍ରତିଶୃତି ଦେବାରୁ ଅପରାହ୍ନ ୧ଟାରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଏହି ବୈଠକରେ ତାଳଚେର ବ୍ଲକ ବିଜେଡି ସଭାପତି ସନ୍ତୋଷ କୁମାର ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ସିଂହ, ଯୁବ ନେତା ରାଜେଶ ଦାସଙ୍କ ସମେତ ସମସ୍ତ ଶ୍ରମିକ ନେତା ଉପସ୍ଥିତ ଥିଲେ । ଏହାପରେ ପୋଲିସ ଶବକୁ ଜବତ କରି ପଂଚନାମା କରିବା ସହ ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ । ଅପରାହ୍ନରେ ଖଣି କାର୍ଯ୍ୟ ସ୍ୱାଭାବିକ ହୋଇଥିଲା ।

Leave A Reply