Odisha news

ପୌର ନିର୍ବାଚନ ପ୍ରଚାରରେ କମ୍ପୁଛି ତାଳଚେର : ଘର ଘର ବୁଲି ପ୍ରଚାର କରୁଛନ୍ତି ନେତା ଓ କର୍ମୀ

0

ତାଳଚେର :  ନିର୍ବାଚନ ପ୍ରଚାରରେ କଂପୁଛି ସହରର ଗଳିକନ୍ଦି । ନେତା ଓ ସମର୍ଥକଙ୍କୁ ଧରି ଭୋଟରକୁ ମନାଇବାକୁ ମଇଦାନରେ ପ୍ରାର୍ଥୀ ଆଖିରେ ନିଦ ନାହିଁ, ରାତି ପାହୁ ପାହୁ ଭୋଟ ଭିକ୍ଷା । ପ୍ରାର୍ଥୀମାନେ ପହଂଚି ଯାଉଛନ୍ତି ଭୋଟରଙ୍କ ନିକଟରେ । କିଏ ବିଶାଳ ପଟୁଆର ଧରି ଶୋଭାଯାତ୍ରା କରୁଛି ତ ଆଉ କିଏ ସଭାସମିତି କରି ଭୋଟରଙ୍କ ଆସ୍ଥା ଜିତିବାକୁ ଲାଗିପଡ଼ିଛି । ସାହି, କଲୋନି, ବସ୍ତିରେ ଜମୁଛି ପ୍ରଚାର ବିଶେଷକରି ଶାସକ ଦଳର ନଗରପାଳ ପ୍ରାର୍ଥୀ ପବିତ୍ର ଭୁତିଆ, କାଉନସିଲର ପ୍ରାର୍ଥୀଙ୍କ ସହ ସାଂସଦ ମହେଶ ସାହୁ ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ବରିଷ୍ଠ କର୍ମୀମାନେ ବି ଆଗଧାଡ଼ିରେ ପ୍ରଚାରର ମଙ୍ଗ ଧରିଛନ୍ତି ।

ପତାକା, ପୋଷ୍ଟର, ବ୍ୟାନରରେ ଛାଇଗଲାଣି ସବୁ ୱାର୍ଡ ।  ସାରା ତାଳଚେର ପଡ଼ୁଛି ଉଠୁଛି । ଅନ୍ୟପଟେ ବିଜେପି ମଧ୍ୟ ପ୍ରଚାର ମୈଦାନରେ ଜୋରଦାର ପ୍ରଚାର ଚଳାଇଛି । ପ୍ରଚାରକୁ ଜୋରଦାର କରିଛନ୍ତି ବିଜେପି ନଗରପାଳ ପ୍ରାର୍ଥୀ ଯଯାତି ପଟ୍ଟନାୟକ । ସକାଳୁ ସକାଳୁ ନଗରର ବିଭିନ୍ନ ଅଂଳରେ ସେ ପ୍ରଚାର କରୁଛନ୍ତି । ତାଳଚେର ଅଂଳରେ ଥିବା ବିଭିନ୍ନ ଜନଗହଳି ସ୍ଥାନରେ ପ୍ରଚାର କରୁଛନ୍ତି । ନିଜ ସପକ୍ଷରେ ଭୋଟ୍ ଆଣିବା ପାଇଁ ଲୋକଙ୍କୁ ବୁଝାଇଛନ୍ତି । ଦଳୀୟ ନେତା ଓ କର୍ମୀଙ୍କ ସହ ଯାଇ ଲୋକଙ୍କୁ ଭୋଟ୍ ଭୋଟଭିକ୍ଷା କରୁଛନ୍ତି । କଂଗ୍ରେସ୍‌ର ନଗରପାଳ ପ୍ରାଥିୀ ମାନସ ବାଇ, ଆମଆଦମୀର ନଗରପାଳ ପ୍ରାଥିୀ ରଣଜିତ୍ ମହାପାତ୍ର ଓ ସ୍ୱାଧିନ ନଗରପାଳ ପ୍ରାଥିୀ ପିତାମ୍ବର ଦାସ, ସ୍ୱାଧୀନ ନଗରପାଳ ପ୍ରାଥିୀ ନାରାୟଣ ମହାରଣା ସେମାନଙ୍କର ସମର୍ଥକଙ୍କ ସହିତ ପ୍ରଚାର ପ୍ରସାର ମଧ୍ୟ ଯୋରଦାର କରିଛନ୍ତି ।

ତାଳଚେର ପୌରାଚଂଳରେ ୨୧ଟି ୱାର୍ଡ଼ରେ ୩୨ଟି ବୁଥ୍ କରାଯାଇଛି । ଆସନ୍ତା ୨୪ତାରିଖ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୩୨ଟି ବୁୁଥ୍‌ରେ ସକାଳ ୮ଘଟିକା ଠାରୁ ଅପରାହ୍ଣ ୫ଘଟିକା ପର୍ଯ୍ୟନ୍ତ  ଭୋଟଗ୍ରହଣ କରାଯିବ । ଭୋଟଗ୍ରହଣ ପୂର୍ବରୁ ବିଭିନ୍ନ ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ସକାଳ ୭ଟା ବେଳେ ପ୍ରିଜାଡ଼ାଇଙ୍ଗ ଅଫିସର୍ ଉଭିଏମ୍ ମେସିନରେ ମକ୍ ଭୋଟଗ୍ରହଣ କରାଯିବ । ୩୨ଟି ବୁଥ୍ ମଧ୍ୟରୁ ୧୨ଟି ବୁଥ ସମ୍ବେଦନଶୀଳ ରହିଥିବା ଜଣାପଡ଼ିଛି । ମ୍ୟୁନିସିପାଲ୍ ହାଇସ୍କୁଲ, ଗୋପବନ୍ଧୁ ଟାଉନ୍ ହଲ୍‌, ପିସିମଡ଼େଲ୍ ୟୁପି ସ୍କୁଲ, ବଉଳଛକ ପ୍ରାଇମେରି ସ୍କୁଲ, ପାଟରା ସାହି ପ୍ରାଇମେରି ସ୍କୁଲ, ରେମୁଆଁ ପ୍ରାଇମେରି ସ୍କୁଲ, ଦେଉବେଡ଼ା ତେଲିସାହି ପ୍ରାଇମେରି ସ୍କୁଲ ଇତ୍ୟାଦି । ପିଙ୍କ୍ ବୁଥଭାବେ ମ୍ୟୁନିସିପାଲ୍ ହାଇସ୍କୁଲ, ଯୁବରାଜ ହାଇସ୍କୁଲ ରହିଥିବା ବେଳେ ଦେଉଳବେଡ଼ା କୋଲିୟରୀ ମଡ଼େଲ ହାଇସ୍କୁଲ, ହାଣ୍ଡିଧୂଆଁ ପ୍ରାଇମେରି ସ୍କୁଲ, ମଡେଲ ବୁଥ୍ କରାଯାଇଛି । ନିର୍ବାଚନ ପରିଚାଳନା ପାଇଁ ୩ଟି ସ୍କ୍ୱାର୍ଡ଼ ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ୮ଟି ବୁଥ୍ ପାଇଁ ୪ସେକ୍ଟର ଅଫିସର୍ ସହ ୩୫ ଏନଏସଏସ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି ।

ସେହିପରି ପୋଲିସ୍ ପ୍ରଶାସନ ପକ୍ଷରୁ ଆଇନ୍‌ଶୃଙ୍ଖଳା ପାଇଁ ଜଣେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ, ୫ଜଣ ସିଏସପି, ୧୫ଜଣ ନିରୀକ୍ଷକ, ୩୨ଜଣ ଉପନିରୀକ୍ଷକ ଓ ଏଏସ୍‌ଆଇ ଏବଂ ୩ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିୟୋଜିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ୨୧ଟି ୱାର୍ଡ଼ରୁ ୨୮ ହଜାର ୪୮୧ଜଣ ମତଦାତା ରହିଥିବା ବେଳେ ୧୪ହଜାର ୫୯୪ଜଣ ପୁରୁଷ, ୧୩,୮୮୬ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି । ତେବେ ତାଳଚେର ପୌରପରିଷଦରେ ବିଗତ ଦିନ ଗୁଡ଼ିକରେ ବହୁ ସମସ୍ୟାରେ ଛନ୍ଦିହୋଇ ପଡ଼ିଥିବାକୁ ନେଇ ବାରମ୍ବାର ଅଭିଯୋଗ ପରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଥିରେ ସୁଧାର ଅଦ୍ୟାବଧି ଆସିପାରି ନାହିଁ । ତେଣୁ ଭୋଟରମାନେ ଏହାକୁ ଆଖି ଆଗରେ ରଖି କାହାକୁ ପ୍ରାର୍ଥି ଚୟନ କରିବେ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି ।

Leave A Reply