Odisha news

ଜିଲ୍ଳା ଖଣିଜ ପାଣ୍ଠି ଅର୍ଥ ଅପବ୍ୟୟକୁ ନେଇ ଅଭିଯୋଗ

0

ତାଳଚେର ତା ୨୭/୦୪ ଖଣିଖାଦାନ ବିସ୍ତାପିତ ନିକଟବର୍ତୀ ଗ୍ରାମ ଗୁଡ଼ିକ ଓ ପ୍ରଭାବିତ ଅଚଂଳର ପାରିପାଶ୍ୱର୍କ ବିକାଶକୁ ନେଇ କେନ୍ଦ୍ର ସରକାର ଜିଲ୍ଳା ଖଣିଜପାଣ୍ଠି ଗଠନକରି ଏହାର ସଠିକ୍ ବିନିଯୋଗ କରିବାକୁ ଜିଲ୍ଳାପାଳଙ୍କୁ ଦାୟୀତ୍ୱ ଦିଆଯାଇଛି । ଗାଇଡ଼୍ ଲାଇନ୍ ଅନୁଯାୟୀ ଖଣିଜ ପାଣ୍ଠି ବିନିଯୋଗ ନିମନ୍ତେ ନିୟମିତ ବୈଠକ କରି ପ୍ରକଳ୍ପ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରି ଅଂଚଳବାସୀଙ୍କୁ ସେବା ଯୋଗାଇଦେବା ଏହାର ମୁଖ୍ୟ ଲକ୍ଷ୍ୟ । ସ୍କୁଲ, କଲେଜ, ରାସ୍ତାଘାଟ, ଆନୁସାଙ୍ଗିକ ବିକାଶ, ମହିଳା ଓ ଶିଶୁମାନଙ୍କ ଉନ୍ନତିପାଇଁ ଅଧିକ ପାଣ୍ଠି ବିନିଯୋଗ କରିବା, ପାନୀୟଜଳ ବ୍ୟବସ୍ଥାକରି ବିସ୍ତାପିତ ଓ ପ୍ରଭାବିତ ଅଂଚଳବାସୀଙ୍କୁ ସେମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ ନକରି ଯୁଦ୍ଧକାଳୀନ ଭିତରେ ଏହି ପାଣ୍ଠି ବିନିଯୋଗ କରିବା ନିମୟ ଥିଲେ ମଧ୍ୟ ଏହା ଆଜି ତାଳଚେର ଅଂଚଳରେ ବାଟବଣା ହୋଇଥିବା ଅଭିଯୋଗ ହେଉଛି । ନିକଟରେ ତାଳଚେର ରାଜବାଟ୍ଟୀ ସିଂହଦ୍ୱାର ପରିସରର ସୌନ୍ଦର୍ଯ୍ୟ କରଣ କରିବାନେଇ ଡ଼ିଏମଏଫ ପଣ୍ଡରୁ ପ୍ରାୟ ସାଢ଼େ ୪କୋଟି ଅର୍ଥ ବିନିଯୋଗ କରାଯାଇ ଜଗନ୍ନାଥ ମନ୍ଦିର ଠାରୁ ରାସ୍ତାର ଉଭୟ ପାଶ୍ୱର୍ରେ ଫେବରବ୍ଲକ, ଅଲୋକୀକରଣ, ବୃକ୍ଷରୋପଣ, ଘାସଗାଲିଚା ଇତ୍ୟାଦି ଦର୍ଶକଙ୍କୁ ମନୋରଞ୍ଜନ ପାଇଁ ଏହାର କରାଯାଇଥିଲା ।

ମାତ୍ର ଆଜି ସେହି ଗଛ ଓ ଘାସଗାଲିଚା ଇତ୍ୟାଦି ନିଶ୍ଚିହ୍ନ ହେବାକୁ ବସିଛି, ଅପରପକ୍ଷେ ରାସ୍ତାର ଉଭୟ ପାଶ୍ୱର୍ରେ ଡ଼୍ରେନେଜ ବ୍ୟବସ୍ଥା ନଥିବା ଓ ରାସ୍ତାଟି ଅଣଓସାରିଆ ହୋଇଥିବାରୁ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ସହ ଦର୍ଶକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏପରିକି, ସିଂହଦ୍ୱରରେ ଲାଗିଥିବା ରଙ୍ଗ ଏକବର୍ଷ ନପୁରୁଣୁ ରଙ୍ଗ ଫିକା ପଡ଼ିବା ସହ ସ୍ଥାନେ ସ୍ଥାନେ ରଙ୍ଗ ଛାଡ଼ି ବିବର୍ଣ୍ଣିଆ ଦେଖା ଯାଉଥିବା ଅଭିଯୋଗ ହେଉଛି । ଡ଼ିଏମଏଫ୍ ସମୀକ୍ଷା ବୈଠକରେ ଆଂଚଳିତ ସମସ୍ୟା ଗୁଡ଼ିକୁ ନେଇ ବିଭିନ୍ନ ସମୟରେ ସ୍ୱଚ୍ଛାସେବୀ ସଂଗଠନ ସ୍ଥାନୀୟ ପ୍ରଶାସନକୁ ଦେଉଥିବା ଦାବିପତ୍ର ମୂଲ୍ୟାଙ୍କନ କରାଯାଇ ସେ ଗୁଡ଼ିକ ସହିତ ସଂଗଠନ କାର୍ଯ୍ୟକର୍ତାଙ୍କୁ ସାମିଲ କରାଇବା ଏବଂ ଯେଉଁ ଅଂଚଳରେ ଜିଲ୍ଳା ଖଣିଜପାଣ୍ଠି ବିକାଶ ହେବାକୁ ଯାଉଛି ସେହି ଅଚଳର ୱାର୍ଡ଼ମେମ୍ବର, ସରପଂଚ ଓ ସିନିଅର୍ ସିଟିଜେନ୍‌ଙ୍କୁ ନେଇ ପଲ୍ଲୀସଭା କରାଯାଇ ସଠିକ୍ ପଦକ୍ଷେପ ନିଆଗଲେ କାର୍ଯ୍ୟ ଗୁଡ଼ିକ ଲୋକାଭିମୁଖୀ ହେବା ସହ ଏହି ଅର୍ଥ ବାଟବଣା ଓ ବାଟମରଣା ନହୋଇ ସଠିକ କାର୍ଯ୍ୟ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଖଣି ଖାଦାନ ପାଶ୍ୱର୍ବର୍ତୀ ଅଂଚଳ ଗୁଡ଼ିକରେ ଅନେକ ଗୁଡ଼ିକ ସମସ୍ୟା ରହିଥିଲେ ମଧ୍ୟ ଏଗୁଡ଼ିକର ସଠିକ୍ ତଦାରଖ ନକରି ମନଇଚ୍ଛା ଓ ତରବରିଆଭାବେ ଉକ୍ତ ଅର୍ଥକୁ ବାହାର ଅଂଚଳର ବିକାଶ ହେଉଥିବା ବେଳେ ଏହି ଅଂଚଳଗୁଡ଼ିକୁ ଅଣଦେଖା କରୁଥିବା ନେଇ ଅଭିଯୋଗ ହେଉଛି । ତେଣୁ ଜିଲ୍ଳାପାଳ ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ଏହି ଅର୍ଥ କିପରିଭାବେ ସଠିକ ଢ଼ଙ୍ଗରେ ଉକ୍ତ ଅଂଚଳରେ ଲାଗିପାରିବ କମିଟି ଗଠନ କରାଯାଇ ଉପଯୋଗ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Govt
Leave A Reply