ତାଳଚେର ତା ୧୪/୦୧ ତାଳଚେର ବ୍ଲକ ଗୁରୁଜାଙ୍ଗୁଳି ପଂଚାୟତ ଅନ୍ତର୍ଗତ ଲିଙ୍ଗରାକଟା ଓ ଖୋଲୁଆ ଗ୍ରାମର ନାଲ୍କୋ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଜମିହରା ପ୍ରଜାଙ୍କୁ ନାଲ୍କୋରେ ସ୍ଥାୟୀ ନିଯୁକ୍ତି ନେଇ ପାଇପ୍ ଲାଇନ୍ କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ରେଲୱେ ବ୍ରିଜ୍ ଠାରେ ଗଣଧାରଣା ଦିଆଯାଇଛି । ଜମିହରା ପ୍ରଜାଙ୍କ ନ୍ୟାର୍ଯ୍ୟ ଦାବୀକୁ ପୂରଣ କରିବା ପାଇଁ ଏହି ଆନ୍ଦୋଳନରେ ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇଥିବା ଜଣାପଡିଛି । କ୍ଷତିଗ୍ରସ୍ତ ଜମିହରା ପ୍ରଜା ଅଭିଯୋଗ କରି କହିଛନ୍ତି ଯେ, ଦୀର୍ଘ ୪୦ ବର୍ଷ ପୂର୍ବରୁ ନାଲ୍କୋ କାରଖାନାରେ ପାଇପ୍ ଲାଇନ୍ ପାଇଁ ଜମି ଅଧିଗ୍ରହଣ ହୋଇ ଗ୍ରାମବାସୀ ଜମି ହରାଇଛନ୍ତି । ଏ ବିଷୟରେ ନାଲକୋ କର୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ କଥାକୁ ବିଚାରକୁ ନିଆଯାଇ ନାହିଁ । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଜମିହରାଙ୍କୁ ନାଲ୍କୋରେ ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ କର୍ତୃପକ୍ଷ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ଏବଂ ଚରମ ଅବହେଳା ପ୍ରଦର୍ଶନ ହୋଇଛି ବୋଲି ଅଭିଯୋଗ କରିଛନ୍ତି । କ୍ଷତିଗ୍ରସ୍ତ ପ୍ରଜା ହତାଶ ହୋଇ ଏହାର ପ୍ରତିବାଦରେ ନାଲ୍କୋ ପାଇପ୍ ଲାଇନ୍ ଠାରେ ଶାନ୍ତିଶୃଙ୍ଖଳାର ସହ ଗଣଧାରଣା ଦେଇଛନ୍ତି । ଉକ୍ତ ସମସ୍ୟା ବିଷୟରେ ଲିଙ୍ଗରାକଟା ପାଇପ୍ ଲାଇନ୍ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା ।
