Odisha news

ମୋକ୍ଷ ପ୍ରାପ୍ତିର ପବିତ୍ର ସ୍ଥଳ ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାର କଟକଣାକୁ ନେଇ ତେଜିଲା ରାଜନୀତି

0

ପୁରୀ: ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତିର ପବିତ୍ର ସ୍ଥଳ ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାର, ଯେଉଁଠି ଅହନ୍ନିଶି ଜଳୁଥାଏ ଅଖଣ୍ଡ ଜୁଇ। କାରଣ ଏଠାରେ  ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ହେଲେ ତାର କୁଆଡ଼େ ଆଉ ପୁନର୍ଜନ୍ମ ନାହିଁ ବୋଲି ହିନ୍ଦୁ ଧର୍ମରେ ରହିଛି ପ୍ରଚଣ୍ଡ ବିଶ୍ୱାସ।

ସେଇଥିପାଇଁ ତ ବର୍ଷତମାମ ଏଠାକୁ ଦୂର ଦୂରାନ୍ତରୁ ଶବ ଧରି ଧାଇଁ ଆସନ୍ତି ଆତ୍ମୀୟ ସ୍ୱଜନ ହେଲେ ଆଜି ସକାଳୁ କିନ୍ତୁ ଏ ସ୍ଥାନ ଖାଁ ଖାଁ। କାରଣ କୋଭିଡ୍ ସଂକ୍ରମଣ ରୋକିବାକୁ ସ୍ୱର୍ଗଦ୍ୱାରକୁ ଆଜିଠୁ ପୁରୀ ଜିଲ୍ଲା ବାହାରର ମୃତ ବ୍ୟକ୍ତିଙ୍କ ଶବ ସଂସ୍କାର ଉପରେ ପ୍ରଶାସନ ଲଗାଇଛି କଡ଼ା କଟକଣା ଖାଲି ସେତିକି ନୁହେଁ ସମୁଦ୍ରରେ ଅସ୍ଥି ବିସର୍ଜନ ଉପରେ ବି ଲାଗିଛି ପ୍ରତିବନ୍ଧକ।

ସେପଟେ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଉପରେ ଲାଗିଥିବା କଟକଣାକୁ ନେଇ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରି ସିଧାସଳଖ ପୁରୀ ଜିଲ୍ଲାପାଳଙ୍କୁ ନିଶାନା କରିଛନ୍ତି ବିରୋଧୀ। ବିଜେପି ଅଭିଯୋଗ କରିଛି, ଜିଲ୍ଲାପାଳଙ୍କ ନିଷ୍ପତ୍ତି ଏକତରଫା। ସ୍ୱର୍ଗଦ୍ୱାର ଉପରେ କେବଳ ପୁରୀ ବାସିନ୍ଦାଙ୍କ ନୁହେଁ ସମସ୍ତଙ୍କର ଅଧିକାର ରହିଛି।

ଗାଇଡଲାଇନ ମାନି ସେଠି ଦାହ ସଂସ୍କାର କରାଯାଇ ପାରିଥାନ୍ତା। ରଥଯାତ୍ରା ଭଳି ସ୍ୱର୍ଗଦ୍ୱାର ବନ୍ଦ କରିବାକୁ ଏହା ଏକ ଷଡ଼ଯନ୍ତ୍ର କଂଗ୍ରେସ କହିଛି। ପୁରୀ ଜିଲ୍ଳାପାଳ ଓଡ଼ିଆ ହୋଇନଥିବାରୁ ସ୍ୱର୍ଗଦ୍ୱାରର ମହତ୍ତ୍ୱ ଜାଣିନାହାନ୍ତି। ନିଷ୍ପତ୍ତି ନବଦଳାଇଲେ ସାରା ରାଜ୍ୟରେ ବିପ୍ଲବ ହେବ। ତେବେ ବିରୋଧୀଙ୍କ ଅଭିଯୋଗ ଉପରେ କିନ୍ତୁ ପୁରୀ ଜିଲ୍ଲାପାଳ ଓ ସରକାରୀ ଦଳ ନେତା ସମସ୍ତେ ଚୁପ୍।

ତେଣେ  ଜିଲ୍ଲା ପ୍ରଶାସନର କଟକଣା ପରେ ପରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି ସ୍ୱର୍ଗଦ୍ୱାରକୁ ଆଶ୍ରା କରି ବଞ୍ଚୁଥିବା ପଥଶ୍ରାଦ୍ଧ ବ୍ରାହ୍ମଣ, ସାବୁତ ନିଯୋଗ ଓ ଶବଦାହ କରି ବଞ୍ଚୁଥିବା ଲୋକଙ୍କ ପରିବାର।

Nalco
Leave A Reply