Odisha news

ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍‌ସ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ପୁନଃଅବସ୍ଥାପନ କରିବା ଆଦେଶ ଉପରେ ସୁପ୍ରିମ୍‌ କୋର୍ଟଙ୍କ ରହିତାଦେଶ

0

ନୂଆଦିଲ୍ଲୀ: ଟାଟା ସନ୍‌ସ୍‌ର ଏକ୍ଜିକ୍ୟୁଟିଭ୍‌ ଚେୟାର୍‌ମ୍ୟାନ୍‌ ( କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ) ଭାବେ ସାଇରସ୍‌ ମିସ୍ତ୍ରୀଙ୍କୁ ପୁନଃଅବସ୍ଥାପନ କରାଇବା ନିମନ୍ତେ ‘ନ୍ୟାସ୍‌ନାଲ୍‌ କମ୍ପାନି ଅଫ୍‌ ଲ’ ଅପିଲେଟ୍‌ ଟ୍ରିବ୍ୟୁନାଲ୍‌’ (ଏନ୍‌ସିଏଲ୍‌ଏଟି) ଦେଇ ଥିବା ଆଦେଶ ଉପରେ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି।

‘ଏନ୍‌ସିଏଲ୍‌ଏଟି’ଙ୍କ ଆଦେଶ ବିରୋଧରେ ଟାଟାର ଓକିଲ ଆବେଦନ ପତ୍ରରେ ଉଠାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ମିସ୍ତ୍ରୀଙ୍କୁ ନୋଟିସ ଓ ସମନ୍‌ ଜାରି କରିଛନ୍ତି ସୁପ୍ରିମ୍‌ କୋର୍ଟ।

‘ଏନ୍‌ସିଏଲ୍‌ସିଟି’ଙ୍କ ଆଦେଶ ବିରୋଧରେ ଗତ ସପ୍ତାହରେ ‘ଟାଟା ସନ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରଧାନ ବିଚାରପତି ଏସ୍‌ ଏ ବୋବଡ଼େ, ବିଚାରପତି ବିଆର୍‌ ଗଓ୍ଵାଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଛନ୍ତି।

Image source– newsclick

୨୦୧୯ ଡିସେମ୍ବର ୧୮ ତାରିଖରେ ‘ଏନ୍‌ସିଏଲ୍‌ସିଟି’ ନେଇଥିବା ନିଷ୍ପତ୍ତି ଯୋଗୁଁ ସାଇରସ୍‌ ଇନ୍‌ଭେଷ୍ଟ୍‍ମେଣ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ମିସ୍ତ୍ରୀ ଆଶ୍ୱସ୍ତ ହୋଇଥିଲେ। ଆଦେଶରେ ‘ଏନ୍‌ସିଏଲ୍‌ସିଟି’ ଦର୍ଶାଇ ଥିଲା ଯେ କମ୍ପାନିର ମୁଖ୍ୟ ଭାବେ ଏନ୍‌ ଚନ୍ଦ୍ରଶେକରନ୍‌ଙ୍କୁ ନିଯୁକ୍ତ କରିବା ଆଇନ ସମ୍ମତ ନୁହେଁ।

କିନ୍ତୁ, ଟାଟା ସନ୍‌ସ୍‌ଙ୍କୁ ଉଚ୍ଚତର ନ୍ୟାୟାଳୟରେ ଆବେଦନ କରିବାକୁ ସୁଯୋଗ ଦେବାକୁ ‘ଏସ୍‌ସିଏଲ୍‌ଏଟି’ ୪ ସପ୍ତାହ ସମୟ ଦେଇଥିଲେ।

ସାପୁରଜି ପାଲୋଞ୍ଜି ପରିବାରର ଦାୟଦ ସାଇରସ୍‌ ମିସ୍ତ୍ରୀଙ୍କୁ ୨୦୧୬ ଅକ୍ଟୋବର ମାସରେ ଟାଟା ସନ୍‌ସ୍‌ର ଚେୟାର୍‌ମ୍ୟାନ୍‌ ପଦରୁ ହଟାଇ ଦିଆଯାଇଥିଲା। ସେ ଥିଲେ ଟାଟା ସନ୍‌ସ୍‌ ଷଷ୍ଠ ଚେୟାର୍‌ମ୍ୟାନ୍‌। ରତନ ଟାଟା ଅବସର ଗ୍ରହଣ କରିବା ପରେ ସେ ୨୦୧୨ରେ ଦାୟିତ୍ୱ ଗ୍ରହଣ କରିଥିଲେ।

Leave A Reply