ମୋହନ ଚରଣ ବିଷି (ଅଧ୍ୟାପକ) : ପ୍ରକୃତି କୋଳରେ ନୈସର୍ଗିକ ଶୋଭାଶ୍ରୀ ବର୍ଦ୍ଧନ କରି ଶାନ୍ତ,କାନ୍ତ, କମନୀୟ ସମ୍ଭାର ତୋଳି ବସିଛି ଡୋକରିଚଞ୍ଚରା।ତା ତନୁରେ ଅପୂର୍ବ ଶିହରଣ। ଶୀତଳ ସ୍ନିଗ୍ଧ ଜଳ ସତେ ଯେମିତି ତା ସର୍ବାଙ୍ଗ ଛୁଇଁ ଅନବରତ ବହିଚାଲିଛି।ତା ମଥାନରେ ମୁକୁଟ ସାଜିଛି ଆଳମ୍ବ ଉଚାଗଂ ପର୍ବତ। ଶିଖରରେ ସୂର୍ଯ୍ୟ କିରଣ ପାଦ ଦେଶରେ ପ୍ରତିବିମ୍ବତ ହୋଇ ଭୂମିରୁ ଭୂମା ଯାଏ ହେଇଛି ମନଲୋଭା। ଅନତି ଦୁରରେ ଝରଣା,ପାହାଡ,ମନ୍ଦିର, ଜୀବଜନ୍ତୁ, ବୃକ୍ଷଲତା,ଅମର ଲିପି,ଗୁମ୍ଫା,ଗୁଡହାଣ୍ଡି ଅନେକ କିର୍ତ୍ତୀ ରାଜିରେ ପୂର୍ଣ୍ଣ ଯୌବନା ହେଇଛି କରଡୋକରିଚଞ୍ଚରା।ଏପରି ପୂର୍ଣ୍ଣ ଗର୍ଭା ଚିରହରିତ୍ ମହିମା ବିମଣ୍ଡିତ ଡୋକରିଚଞ୍ଚରା ର ସୁଦୃଶ୍ୟ ଗାଥା ଓ ଗୌରବ ଅବଲୋକନ କଲେ ଯିଏବି ତା ପ୍ରେମରେ ପଡିଯିବ।ସେଥିପାଇଁ ତ ବର୍ଷର ବିଭିନ୍ନ ସମୟରେ ଡୋକରିଚଞ୍ଚରା କୁ ହଜାର ହଜାର ସଂଖ୍ୟାରେ ଦର୍ଶକ ମାନଙ୍କର ସୁଅ ଛୁଟିଥାଏ।
ପିକନିକ ଋତୁରେ ପ୍ରବଳ ଜନଗହଳି ଦେଖିବାକୁ ମିଲିଥାଏ।କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ଠାରୁ କୋକସରା ପଡିଥାଏ ବାଷଠି କିଲୋମିଟର, କୋକସରା ବ୍ଲକ ସଦର ମହକୁମା ଠାରୁ ପଶ୍ଚିମ ଦିଗରେ ଟେମରା, ମହିମା ଦେଇ କୋଡିଏ କିଲୋମିଟର ଅତିକ୍ରମ କଲେ ପଡିଥାଏ ଡୋକରିଚଞ୍ଚରା।ଅବଶ୍ୟ ନବରଙ୍ଗପୁର ପୁର ଆଡୁ ଆମପାଣି ଓ ଧର୍ମଗଡ ପଟରୁ ବେହେରା ଦେଇ ମଧ୍ୟ ଡୋକରିଚଞ୍ଚରା କୁ ଯାଇ ହୋଇଥାଏ।କୋକସରା, ଆମପାଣି, ବେହେରା ଆଡୁ ଗଲେ ମଧ୍ୟ ଘଣ୍ଟିଗୁଡା ଛକ ପଡିଥାଏ ସେଠାରୁ ଘଣ୍ଟିଗୁଡା,ଖଲିଗଡ,ପରଜାପଡା ମଧ୍ୟଦେଇ ଡୋକରିଚଞ୍ଚରା ଠାରେ ପହଞ୍ଚି ହେବ।ଡୋକରିଚଞ୍ଚରା ୧୯°୩୨’ ଅକ୍ଷାଂଶ ଓ ୮୨°୪୦’ ଦ୍ରାଘିମା ମଧ୍ୟରେ ଅବସ୍ଥିତ ଥିଲାବେଳେ ସମୁଦ୍ର ପତ୍ତନ ଠାରୁ ୧୬୧୭ ଫୁଟ ଉଚ୍ଚରେ ରହିଛି।
ସାହାଜ ଖୋଲ ସଂରକ୍ଷିତ ଜଗଂଲ ପ୍ରବେଶ ପଥରେ ପୂର୍ବ ଦିଗରେ ବେହେରା ଜଳଭଣ୍ଡାର ପଡିଥାଏ ଏହାକୁ କବାଟ ଦର କହିଥାନ୍ତି।ଏହି ଜଳଭଣ୍ଡାର ମାଧ୍ୟମରେ ଆଖପାଖ ଗାଁର କିଛି ଜମିରେ ଫସଲ ଅମଳ କରାଯାଇଥାଏ।ଏବେ ତ ଘଞ୍ଚ ଜଗଂଲ ନାହିଁ କିନ୍ତୁ ଜଗଂଲ ଯେ ଅଛି, ରାସ୍ତାକଡରେ ଜଂଗଲ ଏକ ଶିତଳ ଶିହରଣ, ସୂର୍ଯ୍ୟଙ୍କର ଛାଇ ଆଳୁଅର ଖେଳ ଭିତରେ ଗତି ଉଚ୍ଚନିଚ୍ଚ ବକ୍ର ରାସ୍ତା ଏବେ ଏବେ ପିଚୁ ସଡକ ହେଇଛି।ତଥାପି ଅଣ ଓସାରିଆ ଦିପଟେ ଛୋଟ ବଡ ପଥର ଓ ଖୁଣ୍ଟ କହୁଛି ଏଠି ବଡ ଜଂଗଲ ଥିଲା। ଡୋକରିଚଞ୍ଚରା ପହଞ୍ଚିବା ପୂର୍ବରୁ ହଳଦିଗୁଣ୍ଡି,ଗୁଡ଼ହାଣ୍ଡି ଓ ଅମରଲିପି ପଡିଥାଏ।ହଲଦିଗୁଣ୍ଡି ଏକ ଏମିତି ଚଟଣା ସ୍ଥାନ ଯେଉଁଠି ସୂର୍ଯ୍ୟ କିରଣ ପଡିଥାଏ ହଲଦିଆ ଦେଖାଯାଏ।କେତେ ବିଭୋର କରିଥାଏ ଏହି ସ୍ଥାନ।ମନରେ ହଲଦିଆ ମହକ ସୋରିଷ କିଆରୀକଥା ସ୍ମରଣ କରିଦେଇଥାଏ।ଗୁଡହାଣ୍ଡି ଅର୍ଥାତ ଗୁଡ ଓ ହାଣ୍ଡି।କେଉଁ ଆଦିମ କାଳରୁ ମଣିଷ ସଭ୍ୟତା ବସତି ସ୍ଥାପନ କରିଥିବାର ଏଠାରୁ ଅନୁମାନ କରାଯାଏ।ତିନିପଟେ ପହାଡ ହାଣ୍ଡି ଆକୃତି ମନେହୁଏ ଓ ଭେଲା ଭେଲା ପଥର ମୁଣ୍ଡା ସତେ ଯେମିତି ଗୁଡ।
ଏଠାରେ ଆଦିମ କାଳର କିଛି ଭଂଗା ଖପରା ମଧ୍ୟ ପାଇଥିବାର ଅନୁସଂନ୍ଧାନ କାରୀମାନେ କହିଥାନ୍ତି।ଗୁଡହାଣ୍ଡି ଠାରେ ଦୁଇଗୋଟି ଗୁମ୍ଫା ଦେଖିବାକୁ ମିଲିଥାଏ।ବାଘଚଞ୍ଚରାର ଠିକ୍ ତଳକୁ ରହିଛି ଏକ ମୁରି ପଦର ଯେଉଁ ଚଞ୍ଚରାରେ ଛୋଟ ଛୋଟ ଢ଼ିଙ୍କି ଗାତ(କୋଟେନ) ରହିଛି। ଅନୁମାନ କୌଣସି ଏକ ସଭ୍ୟତା ବସତି କରି ରହିଥିବା ସମୟରେ ପଥରରେ ଗାତକରି ଢିଙ୍କି ରେ ଖାଦ୍ୟଶସ୍ୟ ଖାଇବା ଉପଯୋଗି କରିଥାଇ ପାରନ୍ତି।ଗୁଡହାଣ୍ଡି ଉପରକୁ ରହିଛି ଅମରଲିପି ବା ଐତିହାସିକ ମାନଙ୍କ ଅନୁସାରେ ରକ୍ ଆର୍ଟ।ଏହି ରେଖା ଚିତ୍ର ଆକୃତି ରୁ ଅନୁମାନ କରାଯାଏ ଯେ ଏହା ପ୍ରାଗ୍ ଐତିହାସିକ ସମୟରେ ବ୍ୟବହାର ହେଉଥିବା ରେଖାଚିତ୍ର ପରି ଏଣୁ ଗୁଡହାଣ୍ଡି ଠାରେ ପ୍ରାଗ୍ଐତିହାସିକ ସମୟରେ ଏକ ସଭ୍ୟତା ଥିଲା ନିଃସନ୍ଦେହ।
ଇନ୍ଦିରା ଗାନ୍ଧୀ ଜାତୀୟ କଳାକେନ୍ଦ୍ର,ନୂଆଦିଲ୍ଲୀ ର ତଥ୍ୟ ଅନୁସାରେ ଏହା ଏକ ରକ ସେଲଟର। ଯାହା ପ୍ରଥମତଃ ଏସ ଏନ ରାଜଗୁରୁ ୧୯୫୦ ମସିହାରେ ମସିହାରେ ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଦିଲ୍ଲୀ ଗବେଷକ ମାନଙ୍କ ଅନୁଧ୍ୟାନ ଅନୁସାରେ ପ୍ରାକ ଐତିହାସିକ ଯୁଗରେ ଆବାସ ସ୍ଥଳି ଭାବରେ ଏହି ସ୍ଥାନକୁ ବ୍ୟବହାର କରିଥିଲେ ପରବର୍ତୀ ସମୟରେ ପରିତ୍ୟକ୍ତ ଅବସ୍ଥାରେ ଏହା ପଡିରହିଲା।ସଭ୍ୟତାରେ ଲୋପପରେ ମଧ୍ୟ ଅଦ୍ୟାବଧି ଏହା ସୁରକ୍ଷିତ ରହିଛି।ଏହି ରକ୍ ସେଲଟର ୨.୫ମିଟର ଲମ୍ବ,୨ମିଟର ଗଭୀର ଓ ୩.୫୦ମିଟର ଉଚ୍ଚତା ରହିଛି।ଏହା ପୂର୍ବ ଦିଗରୁ ପଶ୍ଚିମ କୁ ଲମ୍ବି ଉତ୍ତର ଦିଗକୁ ମୁଁହ କରି ଦଣ୍ଡାୟମାନ ହେଇଛି।
ଏହି ରକ୍ ଆର୍ଟବା ଶିଳାଲିପି ଏକ ଚିତ୍ର ପ୍ରତିକ ଅଟେ ଯାହା ପ୍ରସ୍ତର ଯୁଗରେ ବ୍ୟବହାର ହେଉଥିଲା। ଆଦିମ ଯୁଗର ମଣିଷ ମାନଙ୍କର ଏକ ସୁନ୍ଦର କାରୁକାର୍ଯ୍ୟ ଭାବରେ ଏହା ଅନ୍ତର୍ଗତ ଅଟେ।ରକ୍ ଆର୍ଟ ସେଲଟରେ ଦେଖିବାକୁ ମିଲିଥାଏ ମନୁଷ୍ୟର ଆକୃତି, ହରିଣ,କିଛି ଜ୍ୟାମିତିକ ସଂକେତ ଯଥା ବର୍ଗକ୍ଷେତ୍ର,ଆୟତ କ୍ଷେତ୍ର, ସିଧା ଓ ବକ୍ରରେଖା,ଚକଅଖ କୃତି,ଆଣ୍ଡାକୃତି ଓସାରିଆ ଧାଡି ସବୁ ଏକ ରଗଂର କିମ୍ବା ଲାଲ,ନୀଳ ଓ କଳା ବର୍ଣ୍ଣ ପରିଦୃଷ୍ଟ ହୋଇଥାଏ। ଏହି ସବୁରେଖା ଚିତ୍ର ଆକାର ପ୍ରକାର ରୁ ଜଣାଯାଏ ଏହା ଏକ ପ୍ରାକ ଐତିହାସିକ କିର୍ତ୍ତୀରାଜି ଅଟେ।ଡୋକରିଚଞ୍ଚରା ଏକ ବିସ୍ତାରିତ ବିରାଟ ପଥର ଚଞ୍ଚରା ଅଟେ।ଏହାର ବିଶେଷତ୍ୱ ହେଲା ଏହା କେବଳ ଗୋଟିଏ ପ୍ରସ୍ତର ଅଟେ।ଏହା ରେଡ ସ୍କେଟ ପଥର ଖଣ୍ଡରେ ଗଠିତ ଯାହାକି ଏକ ଶକ୍ତ ଶିଳାଖଣ୍ଡ ଅନ୍ତର୍ଭୁକ୍ତ।
ଏକ ସ୍ତରିଭୂତ ଶିଳାଖଣ୍ଡ ରୁ ରୁପାନ୍ତରିତ ଶିଳାଖଣ୍ଡ ରେ ପରିଣତ ହୋଇଥିବା ଅନୁମାନ କରାଯାଏ।ଡୋକରିଚଞ୍ଚରା ର ପୀଠ ର ଅଧିଶ୍ୱରୀ ହେଉଛନ୍ତି ଡୋକରୀଦବୀ କେଉଁ ଅନାଦି କାଳରୁ ଡୋକରୀଦବୀ ଏଠାରେ ପୂଜିତ ହେଉଛନ୍ତି।ଯେତେବେଳେ କେବଳ ଜଗଂଳ ହିଁ ଥିଲା ଲୋକେ ଡୋକରିଚଞ୍ଚରା ବିଷୟରେ କିଛିବି ଜାଣିନ ଥିଲେ ସେହି ସମୟରୁ ଡୋକରୀଦବୀ ନା ସ୍ମରଣ କରିଆସୁଥିଲେ। ଦେବୀକୁ ଗୁହାରି କରି ଶିକାର କରିବା,ଗଛ କାଟିବା,ଜଗଂଲିଆ ଜିନିଷପତ୍ର ସଂଗ୍ରହ କରୁଥିଲେ।ଡୋକରୀଦବୀ ନା ଧରି ଜଂଗଲ ଆସିଲେ ପାଦରେ କଣ୍ଟା ଟିଏ ବି ଲାଗେ ନାହିଁ ବୋଲି ବିଶ୍ୱାସ ରହିଛି।ଲୋକ କିମ୍ବଦନ୍ତୀ ବା ଜନଶୃତି ଅନୁସାରେ କେଉଁ ଜଣେ ରାଜା ସମ୍ଭବତ ଗଂଗବଂଶୀୟ ରାଜା ମେଳି ବା ମେରିଆ ଭୟରେ ଖଲିଗଡ ଜଗଂଲ କୁ ରାଣୀଙ୍କ ସହ ଲୁଚିବାକୁ ଆସିଥିଲେ। ବର୍ତ୍ତମାନ ବେହେରା ଡ୍ୟାମର ରାସ୍ତା ଉପରେ ଥିବା ପୋଲରୁ ପରଜାପଡା ଆଡକୁ ପୂର୍ବ ଦିଗରେ ପାଖାପାଖି ଏକମାଇଲ ଭିତରେ ଏକ ରାଜା ସଦର ଚିହ୍ନ ରହିଛି। ସେଠାରେ ସେସମୟର କିଛି ଇଟା ଉଦ୍ଧାର କରାଯାଇଛି।ସେଠେରେ ରାଜାଙ୍କର ଅମାର ଥିବାର ଅନୁମାନ କରାଯାଏ।ରାଜା ଏହାବ୍ୟତୀତ ଖାଦ୍ୟଶସ୍ୟ, ଚୁଡାଗୁଡ ସବୁ ଜଂଗଲରେ ଲୁଚାଇ ରଖିଥିଲେ।ବଡ଼ ବଡ଼ ହାଣ୍ଡିରେ ଗୁଡ ରଖିଥିଲେ।ପ୍ରତିକ ସ୍ୱରୂପ ହାଣ୍ଡି ଆକୃତିର କିଛି ପଥର ଦେଖିବିକୁ ମିଲିଥାଏ।ଯାହାକୁ ଏବେ ଗୁଡହାଣ୍ଡି ବୋଲି କହୁଛୁ।ମେରିଆ ମାନଙ୍କ ଭୟରେ ରାଜା ଗୋଟିଏ ପାହାଡର ଗୁମ୍ଫା ରେ ଓ ରାଣୀ ଗୋଟିଏ ପାହାଡ଼ ର ଗୁମ୍ଫା ରେ ଲୁଚିଥିଲେ।ମେରିଆ ମାନେ ରାଜାଙ୍କୁ ନପାଇ ପାହାଡ଼ ରେ ଲୁଚିଥିବାର ଅନୁମାନ କରି ଗୁମ୍ଫା ରେ ନିଆଁ ଲଗାଇଦେଲେ।
ରାଜା ଗୁମ୍ଫା ଭିତରେ ମୃତ୍ୟୁବରଣ କଲେ।ଏହି ପାହାଡ କୁ ଯୋଗୀ ପାହାଡ କୁହାଯାଏ।ରାଣୀ ଯେଉଁ ପାହାଡ଼ ରେ ଲୁଚିଥିଲେ ତାହାକୁ ରାଣୀ ପାହାଡ କହନ୍ତି।ଯାହା ଏବେ ମଧ୍ୟ ବିଦ୍ୟମାନ।ରାଣୀ ଯେତେବେଳେ ରାଜାଙ୍କ ମୃତ୍ୟୁ ଖବର ପାଇଲେ ସେ ଦୁଃଖରେ ଭାଂଗୀ ପଡିଲେ।ନିଜ ଜୀବନ ରଖି କିଛିଲାଭ ନାହିଁ ବୋଲି ଭାବି ଏକ ଦରରେ ବା ବିରାଟ ପାଣିଗର୍ତ୍ତରେ ଡେଇ ପଡିଲେ।ରାଣୀ ସ୍ତ୍ରୀ ଲିଗଂ ହୋଇଥିବାରୁ ସ୍ତ୍ରୀ ମାନଙ୍କୁ ଡୋକରୀ ବୋଲି ମଧ୍ୟ କହନ୍ତି ଏବଂ ରାଣୀଙ୍କ ନାମ ଅନୁସାରେ ଏହିଦର କୁ ଡୋକରୀଦର ଓ ଚଞ୍ଚରରାକୁ ଡୋକରିଚଞ୍ଚରା ବୋଲି ନାମିତ କରିଥିବାର ଅନୁମେୟ।ସେ ସମୟରେ ସମ୍ଭବତଃ ରାଣୀଙ୍କୁ ଡୋକରୀଦବୀ ଭାବରେ ପୂଜାର୍ଚ୍ଚନା କରି ଆସୁଛନ୍ତି।ଡୋକରୀଦରରେ ପ୍ରାୟ ୨୦୦ଫୁଟ ଉଚ୍ଚରୁ ପାଣି ପଡ଼ିଥାଏ।ଡୋକରୀଦର ତଳରୁ ଏହିଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଅଟେ।ଡୋକରୀଦର କେତେ ଗଭୀର ପାଣି ଅଛି କହିହେବ ନାହିଁ ବେଳେବେଳେ ବଡ ବଡ ମାଛ ଏହିଦରରୁ ଦେଖିବାକୁ ମିଲିଥାଏ।ଡୋକରିଚଞ୍ଚରା ରୁ ଡୋକରୀଦର ଆସିବା ପାଇଁ ଅଙ୍କବଙ୍କା ପଥର ରାସ୍ତାରେ ଆସିବାକୁ ପଡେ କେଉଁଠି ପଥର କେଉଁଠି ଗଛ ବାଟ ଓଗାଲି ଥାଏ।
ଡୋକରୀଦର ର ସୁନ୍ଦର ଅବଲୋକନ କରିବା ସକାଶେ ଏକ ସୁଗମ୍ୟ ପାହାଡ଼ ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ। ପ୍ରାୟ ସତୁରି ଦଶକରେ ରଘୁଚନ୍ଦ ବୋଲି ଜଣେ କୌପୀନ ଧାରୀ ବାବା ଯିଏକି ଉଚ୍ଛଳା ଜଗଲରୁ ଆସି ମହିମା ଠାରେ କିଛି ଦିନ ଅବସ୍ଥାନ କରିଥିଲେ। ସେ ସ୍ଥାନୀୟ ଲୋକମାନଙ୍କ ସହ ଡୋକରିଚଞ୍ଚରା ପରିସର ଅନ୍ତର୍ଗତ ସମସ୍ତ ସ୍ଥାନ ଭ୍ରମଣ କରାଇ ନାମକରଣ କରିଥିଲେ।ପ୍ରଭୂ ରାମଚନ୍ଦ୍ର ବନବାସ ସମୟରେ ଏହି ଜଙ୍ଗଲ ଦେଇ ଯାଇଥିଲେ ଫଳ ସ୍ୱରୂପ ତାଙ୍କ ପାଦ ଚିହ୍ନ ଛାଡି ଯାଇଛନ୍ତି।ସୀତା ମାତାଙ୍କର ଛୋଟି ଚିହ୍ନ ରହିଛି।ଯେଉଁ ପାଦ ଚିହ୍ନ ଓ ଝୋଟି ଏବେ ମଧ୍ୟ ବିଦ୍ୟମାନ ରହିଛନ୍ତି।ଏଣୁ ଏହା ଏକ ରାମକ୍ଷେତ୍ର ଅଟେ।ସେ ସମୟରେ ଡୋକରିଚଞ୍ଚରା ସାରା ମହୁଫେଣାରେ ଭରପୁର ଥିଲା ମାଲ ମାଲ ମହୁଫେଣା ମଧୁବନ ସୃଷ୍ଟି କରିଥିଲା। ଏଣୁ ଏହା ମଧୁମାଧବ କ୍ଷେତ୍ର ଅଟେ ବୋଲି ରଘୁଚନ୍ଦ ବାବା ସର୍ବ ପ୍ରଥମେ କହିଥିବାର ସ୍ୱର୍ଗତ ଧନେଶ୍ୱର ପାତ୍ର କହିଥିଲେ।ପରବର୍ତ୍ତି ସମୟରେ ମଧୁମାଧବ ତୀର୍ଥ ସ୍ଥାନ ଭାବରେ ବିଖ୍ୟାତ ଲାଭ କରିଛି।ରଘୁଚନ୍ଦ ବାବା ଏଠି ଏକ ମହାଦେବ ସସ୍ଥାପନ କରିଥିଲେ ଯେଉଁ ଲିଂଗ କୁ ତିନି ମୁହାଣରୁ ଅଣାଯାଇଥିଲା।ଝାଡ ଜଂଗଲ ର ମହାଦେବକୁ ଝାଡେଶ୍ୱର ନାମକରଣ କରିଥିଲେ।
ଏହିପରିସରେ ରହିଛି ପୂଣ୍ୟକୁଣ୍ଡ ଯେଉଁଠି ଗାଧେଇଲେ କ୍ଷୀରବର୍ଣ୍ଣର ଫେଣ ବାହାରି ଥାଏ ଓ ଏଠି ଯିଏ ଗାଧେଇବ ପାପ ଧୋଇଯିବ ଏଣୁ ଏହା ପୂଣ୍ୟକୁଣ୍ଡ ବୋଲି ରଘୁଚନ୍ଦ ବାବା କହିଥିଲେ।ସତ କୁ ସତ ପୂଣ୍ୟକୁଣ୍ଡ ବ୍ୟତୀତ କୋଉଠୁ ଗାଧେଇଲେ ମଧ୍ୟ ଏମିତି ସଫେଦ ଫେଣ ବାହାରି ନଥାଏ।ଏଣୁ ଡୋକରିଚଞ୍ଚରା କୁ ଆସିଲେ ସମସ୍ତେ ପୂଣ୍ୟକୁଣ୍ଡ ରେ ଗାଧେଇଥାନ୍ତି।ଏଠାରେ ମୁଣ୍ଡନ ମଧ୍ୟ କରାଯାଏ।ପୂଣ୍ୟକୁଣ୍ଡ କିଛି ଦୂରରେ ରହିଛି ଋଷି ଗୁମ୍ଫା।କେଉଁ କାଳରେ କେଉଁ ଜଣେ ଋଷି ଏଠିକାର ଶାନ୍ତ ମଧୁର ପରିବେଶରେ ତପସ୍ୟା କରିଥିବାର ଅନୁମେୟ।ଏହାର ତଳକୁ ରହିଛି ସ୍ୱର୍ଗଗଂଗା ବା ଆକାଶ ଗଂଗା।ହାତ ପାତିଦେଲେ ଟୋପାଏ ପାଣି ଥପକରି ଥିପିଥାଏ ପାଟିରେ ଦେଲେ ଆପାର ଆନନ୍ଦ ଅନୁଭବ ହୋଇଥାଏ।ଏହାର ଠିକ ନିକଟରେ ରହିଛି କଳ୍ପବଟ।ଯେଉଁ ବଟବୃକ୍ଷର ଚରଣ ସଦାସର୍ବଦା ଧୋଉଛି ଡୋକରିଚଞ୍ଚରା ର ପୂଣ୍ୟଜଳ ବାରିଧି।କେଉଁ କଳ୍ପରୁ ଏହି ବଟ ବୃକ୍ଷରହିଛି।ଏହାର ଦର୍ଶନ ମାତ୍ରକେ ମନ ପୁଲକିତ ହୋଇଥାଏ।
ଏଠାରେ ଗୋବଧ ଜନିତ ପ୍ରାୟଶ୍ଚିତ କରାଯାଏ।କଳ୍ପବଟ ମୂଳରେ ବହିଯାଇଥିବା ଜଳ ଧାରେ ଏବଂ ଡୋକରୀଦର ରେ ଲୋକେ ଅସ୍ଥି ମଧ୍ୟ ବିସର୍ଜନ କରିଥାନ୍ତି।ଝାଡେଶ୍ୱର ମହାଦେବଙ୍କ ପଛ ପଟରେ ରହିଛି ଭୀମଖନ୍ଦା ଏହାକୁ ନଙ୍ଗଳ ଦର କୁହାଯାଏ।ଡୋକରୀଦର ତଳକୁ ମଧ୍ୟ କିଛି ଛୋଟ ଛୋଟ ଝରଣା ବା ଦର ରହିଛି ଏହାକୁ ଚନ୍ଦନ ଦର,ପୁଣେଲ ଦର କହନ୍ତି ଏବଂ ଏହି ଜଳଧାର ତଳପଟେ ବେହେରା ନଦୀ ଭାବରେ ବହିଯାଇଛି। ଡୋକରିଚଞ୍ଚରା ଠାରୁ ଦକ୍ଷିଣ ପୂର୍ବ ଦିଗକୁ ଅବଡା ଖାବଡା ରାସ୍ତା ସହ ନଦୀ ପାର ହେଇ ପାହାଡ ମଥାନରେ ପାଦଚଲାରେ ରାସ୍ତାରେ ପାଖାପାଖି ଦୁଇ କିଲୋମିଟର ରେ ଅବସ୍ଥିତ ପ୍ରସିଦ୍ଧ ଭଏଁରା ଘୁମର ଜଳପ୍ରାପାତ।ଏହା ଉଚ୍ଚତା ପାଖାପାଖି ୨୦୦ ଫୁଟ।ଏହା ଭୈରବ ଧାର ନାମରେ ପରିଚିତ।ଆଦିବାସୀ ମାନଙ୍କର ଦେବତା ଭଏଁରୋ ରୂପାନ୍ତରିତ ନାମ ଭୈରବ ଧାର।କଳାହାଣ୍ଡି ର ବିରବାଦ୍ୟ ଘୁମାର ସହ ଭୈରବ ଧାରର ଘୁମୁ ଘୁମୁ ଗର୍ଜନ ର ବେଶ କିଛି ସଂପର୍କ ରହିଛି।ପ୍ରଚଣ୍ଡରୌଦ୍ର ତାପ ସମୟରେ ମଧ୍ୟ ଏଠାରେ ଦେହହାତ ଶୀତେଇ ଯାଇଥାଏ। ଗାଈ ଘାଟି,ଡୋକରି ଘାଟି,ଗୁଲମି ପାହାଡ ପରି ତିନିଦିଗରେ ପାହାଡ ବେଷ୍ଟିତ ପରିବେଶ ଅତ୍ୟନ୍ତ ଦୁର୍ଲ୍ଲଭ ସତେ ଯେମିତି ଭଏଁରା ଘୁମର ତାର ଗୋଟିଏ କବାଟ ଖୋଲିଦେଇ ସମସ୍ତଙ୍କୁ ସିଗ୍ନଧ ଶୀତଲତା ପ୍ରଦାନ କରୁଛି।ସୀମାନ୍ତ ନବରଙ୍ଗପୁର ଜିଲ୍ଲାର ଡଙ୍ଗାଘାଟ ର ପଥର ଚଞ୍ଚରାରୁ ଚିରସ୍ରୋତା ଝରଣା ହେଇ ବହି ଆସିଛି ବୀରଭୈରବ ନିନାଦ କରି।ଭୈରବଧାର ତଳେ ଯେଉଁଠି ପଡୁଛି ସେଠାରେ ଏକ କୁଣ୍ଡ ସୃଷ୍ଟି ହୋଇଛି ତାକୁ ସୀତା କୁଣ୍ଡ କୁହାଯାଏ।
ପାଖରେ ଆଦିବାସୀ ମାନଙ୍କ ଦୈବତା ଭୈରୋ କୁ ପୂଜା କରାଯାଏ।ମାନ୍ୟତା ଅନୁସାରେ ଏହି ଭୈରୋ ହିଁ ଶିବ ସ୍ୱରୂପ ଭୈରବ ଅଟନ୍ତି।ଯାହାଙ୍କୁ ଡୋକରିଚଞ୍ଚରା ଠାରେ ଝାଡେଶ୍ୱର ମହାଦେବ ନାମରେ ସ୍ଥାପନା କରାଯାଇଛି।ଭୈରବଧାର କିଛି ଦୂର ଅତିକ୍ରମ କଲେ ଆଉ ଏକ ଛୋଟ ମନୋଜ୍ଞ ଝରଣା ସୃଷ୍ଟି ହେଇଛି ତାହା ସାନ ଭୈରାଘୁମର ନାମରେ ନାମିତ।ପାଖାପାଖି ସେପାରୁ ଡୋକରିଘାଟି ଉପରକୁ ଶହେଫୁଟ ଉପରକୁ ଚଢିଲେ ଦେଖିବାକୁ ମିଲିଥାଏ ରାମ ଗୁମ୍ଫା।ଗୁମ୍ଫା ଦେଇ ଏକ ବଡ ସୁଡଗଂ ଥିବାର ଅନୁମେୟ।ଡୋକରିଘାଟି କୁ ଲାଗି ରହିଛି ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ସୀମା ରେ ବିରାଟ ଧ୍ୱଜା ପାହାଡ ତତ୍କାଳୀନ ରାଜାମାନେ ସେଠାରେ ଧ୍ୱଜା ବାନ୍ଧୁଥିଲେ।ଡୋକରିଚଞ୍ଚରା ପରିସରେ ଥିବା ଏହିସବୁ ଅପୂର୍ବ ଦୃଶ୍ୟ ସହ ରଘୁଚନ୍ଦ ବାବା ସମସ୍ତ ଙ୍କୁ ପରିଚିତ କରିବା ପରେ ପାଖାପାଖି ତିନିମାସ ରହି ସେ କେଉଁଠି କୁ ଚାଲିଯାଇଥିଲେ।ପରବର୍ତ୍ତୀ ବର୍ଷ ରେ ଅଞ୍ଚଳବାସୀ ବନାଶ୍ରମ ନାମଯଜ୍ଞ ଆୟୋଜନ କରିଥିଲେ।ଏହି ଯଜ୍ଞ ସମୟରେ ଏକ କମିଟି ଗଠନ କରାଯାଇ ପ୍ରତିବର୍ଷ ରାମନବମୀ ପାଳନ ପାଇଁ ସ୍ଥିର ହୋଇଥିଲା।
ପରବର୍ତ୍ତୀ ବର୍ଷ ୧୯୭୨ ମସିହାରୁ ପ୍ରତିବର୍ଷ ରାମନବମୀ ଅବସରରେ ନବଦିନାତ୍ମକ ଉତ୍ସବ ପବିତ୍ର ମଧୁମାଧବ ତୀର୍ଥ ଠାରେ ଡୋକରିଚଞ୍ଚରା ଗୁଡହାଣ୍ଡି ମହୋତ୍ସବ ଭାବରେ ପାଳିତ ହେଇ ଆସୁଅଛି।ଏହି ସମୟରେ ପ୍ରବଳ ମାତ୍ରାରେ ଜନ ସମାଗମ ହୋଇଥାଏ।ଗୁଡହାଣ୍ଡିର ଗହନ କଥା କେଉଁ ଇତିହାସ ବହିରେ ଲିପିବଦ୍ଧ ହେଇନି ସତ କିନ୍ତୁ ଗୁଡହାଣ୍ଡି ର ରକ୍ ଆର୍ଟ ସେଲଟର ଏକ ଗୌରବମୟ ସଭ୍ୟତାର କଥା କହୁଛି।ପ୍ରତ୍ନତାତ୍ତ୍ୱିକ ବିଭାଗ ତରଫରୁ ଅନେକ ଗବେଷଣା କରିବାର ଏବେମଧ୍ୟ ବାକିଅଛି।ଏଠି ଯଦି ନିରନ୍ତର ଗବେଷଣା ହୁଏ ଗୁଡହାଣ୍ଡି ର ମଧୁରତା ଆହୁରି ଚହଟିବ।ଏକ ଐତିହାସିକ,ପୌରାଣିକ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗୁଡହାଣ୍ଡି ର ବିକାଶ ନିମନ୍ତେ ଅନେକ ପଦକ୍ଷେପ ନେବାର ବାକି ଅଛି।ଉତ୍ତମ ମାନର ରାସ୍ତା ଘାଟ,ବଂଗଳା ଘର, ହୋଟେଲ, ପାନୀୟଜଳ,ଭଏଁରା ଘୁମର, ଡୋକରୀଦର, ଅମରଲିପି, ଗୁଡହାଣ୍ଡି କୁ ଯିବା ପାଇଁ ଆବଶ୍ୟକ ପୋଲ,ରାସ୍ତା, ପାହାଚ,ଲୁହା ରେଂଲି, ରୋପଔ୍ଏ ର ଅନିବାର୍ଯ୍ୟ ଆବଶ୍ୟକତା ରହିଛି।କେବଳ ପର୍ଯ୍ୟଟନ ମାନଚିତ୍ରରେ କଳାହାଣ୍ଡି ର ଗୁଡହାଣ୍ଡି ଡୋକରିଚଞ୍ଚରା କୁ ସ୍ଥାନ ଦେଇ ସୀମିତ କରାନଯାଇ ଯଦି ଏହି କ୍ଷେତ୍ର ର ବାସ୍ତବିକ ବିକାଶ ଦିଗରେ ସଂପୃକ୍ତ ବିଭାଗ ଯଦି ସହୃଦୟତାର ସହ ଗ୍ରହଣ କରିବ ତାହେଲେ ଆଧ୍ୟାତ୍ମିକତା, ପ୍ରାକୃତିକ ଓ ଐତିହାସିକ କିର୍ତ୍ତୀରାଜି ବହନ କରିଥିବା ଗୁଡହାଣ୍ଡି ଡୋକରିଚଞ୍ଚରା ଏକ ବୃହତ ପର୍ଯ୍ୟଟନ ଶିଳ୍ପ ଭାବରେ ପରିଗଣିତ ହୋଇପାରିବ।