ଡକ୍ଟର ବିଜୟଲକ୍ଷ୍ମୀ ଭୂୟାଁ : ଭାରତର ଏକ ଧର୍ମ ପ୍ରଧାନ ଦେଶ । ଏହି ପୁଣ୍ୟ ଭୂମି ଭାରତ ବର୍ଷରେ ଅନେକ ତୀର୍ଥସ୍ଥାନ ଓ ବହୁ ସଂଖ୍ୟକ ମନ୍ଦିର ବିଦ୍ୟମାନ । ପ୍ରତ୍ୟେକ ତୀର୍ଥସ୍ଥଳ ତାହାର ପୌରାଣିକ ଦୃଷ୍ଟିକୋଣରୁ ପ୍ରସିଦ୍ଧିଲାଭ କରିଛି । ଭାରତର ସମସ୍ତ ତୀର୍ଥସ୍ଥଳ ଏପରି ପବିତ୍ର ତଥା ମନୋମୁଗ୍ଧକର ସ୍ଥାନରେ ଅବସ୍ଥିତ ଯେ, ଯାହାର ମାଟି ସ୍ପର୍ଶ କଲାମାତ୍ରେ ମନରେ ଶାନ୍ତି ତଥା ଆନନ୍ଦ ଜାଗ୍ରତ ହୁଏ । ତୀର୍ଥ ସ୍ଥାନ ଭ୍ରମଣ ତଥା ଦେବାଦେବୀଙ୍କ ଦର୍ଶନ ଭାଗ୍ୟରେ ଥିଲେ ତଥା ପୁଣ୍ୟ ବଳରେ ମିଳେ ବୋଲି କଥିତ ଅଛି । ତୀର୍ଥାଟନରେ ଦେବାଦେବୀଙ୍କ ଦର୍ଶନ ଦ୍ୱାରା ଧର୍ମ ଅର୍ଜ୍ଜନ ସହିତ ସେ ସ୍ଥାନରେ ଭୌଗୋଳିକ ପରିସ୍ଥିତି, ଲୋକସଂସ୍କୃତି ଓ ଇତିହାସ ସମ୍ପର୍କରେ ସମ୍ୟକ ଜ୍ଞାନ ଅର୍ଜନ ହୁଏ । ଯେତେବେଳେ କେହି କୌଣସି ତୀର୍ଥଯାତ୍ରା କରିବାକୁ ମନସ୍ଥ କରନ୍ତି, ସେହି ମୁହୂର୍ତ୍ତରୁ ସେମାନଙ୍କ ଯାତ୍ରା ଆରମ୍ଭ ହୁଏ ।
ଯେଉଁମାନେ ଶୁଦ୍ଧପୂତ ମନରେ ମନସ୍ଥିର କରି ସେହି ନିଷ୍ପତ୍ତି ନିଅନ୍ତି, ଉକ୍ତ ତୀର୍ଥ ଯାତ୍ରାର ପ୍ରଭାବ ଏବଂ ଆଶୀର୍ବାଦ ପ୍ରବଳ ମାତ୍ରାରେ ଅନୁଭୂତ ହୁଏ ଏବଂ ସେମାନଙ୍କର ଯାତ୍ରାକୁ ସଫଳ କରେ ।
ଚାକିରୀରୁ ଅବସର ଗ୍ରହଣ ପରେ ଓ ପିଲାମାନଙ୍କ ଦାୟିତ୍ୱ ନିଭାଇ ସାରିବା ପରେ ସମୟ ଓ ସୁଯୋଗ ଦେଖି ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବା ପାଇଁ ଆମେ ମନସ୍ଥ କରିଛୁ । ଏଥିପାଇଁ ମୋ ସ୍ୱାମୀ ଚୌଦ୍ୱାର ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର କୁଞ୍ଜବିହାରୀ ଜେନାଙ୍କ ସହମତି ଓ ସମ୍ପୃକ୍ତି ଥିବାରୁ ଯାତ୍ରା କରିବା ସହଜ ତଥା ସଫଳ ହୁଏ । ଏଥର ଜାନୁୟାରୀ ମାସ ୭ ତାରିଖ ଦିନ ଆମେ ଆଉ କେତେଜଣ ସହଯାତ୍ରୀଙ୍କ ସହ କାମାକ୍ଷା ମାତାଙ୍କ ଦର୍ଶନ ପାଇଁ ଆସାମ ରାଜ୍ୟର ରାଜଧାନୀ ଗୁଆହାଟୀ ଯାତ୍ରା କରିଥିଲୁ । ଆଗରୁ ଇଲେକ୍ଟ୍ରୋନିକ ମିଡ଼ିଆରେ ସବୁ ପ୍ରକାର ବନେ୍ଦାବସ୍ତ ହୋଇ ସାରିଥିଲା ।
କାମରୂପ କାମାକ୍ଷା ପ୍ରସିଦ୍ଧ ଶକ୍ତିପୀଠମାନଙ୍କ ମଧ୍ୟରେ ଅନ୍ୟତମ । ଏହା ଆସାମ ପ୍ରଦେଶର ରାଜଧାନୀ ଗୁଆହାଟୀ ସହର ନିକଟରେ ଅବସ୍ଥିତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନୀଳାଚଳ ପର୍ବତ, ଯେଉଁଠି କାମାକ୍ଷା ମାତାଙ୍କ ମନ୍ଦିର ଅବସ୍ଥିତ । ନିକଟରେ ପର୍ବତ ଶିଖରରେ ଭୁବନେଶ୍ୱରୀ ଦେବୀଙ୍କ ମନ୍ଦିର ଏବଂ ନିମ୍ନରେ ଉତ୍ତର ଦିଗରେ ପବିତ୍ର ବ୍ରହ୍ମପୁତ୍ର ନଦୀ ପ୍ରବାହିତ । ଚିରସ୍ରୋତା ନଦୀ ଓ ସବୁଜିମାରେ ଭରପୂର ସୌନ୍ଦର୍ଯ୍ୟମୟ ପରିବେଶ ଭକ୍ତମାନଙ୍କ ମନରେ ଆନନ୍ଦ ତଥା ଦେବୀ ମାଙ୍କ ପ୍ରତି ଭକ୍ତି ଜାଗ୍ରତ କରାଏ । କାମାକ୍ଷା ଦେବୀ ମନ୍ଦିରର ପୁରାଣ ବର୍ଣ୍ଣିତ ମାତୃପୂଜା ତଥା ତନ୍ତ୍ର ସାଧନା ମାତାଙ୍କ ପ୍ରତି ଭକ୍ତି ତଥା ଆକର୍ଷଣ ବଢ଼ାଏ ଏବଂ ଭକ୍ତ ମାନଙ୍କର ସୁପ୍ତ ଅତି ଭୌତିକ ଚେତନାକୁ ଜାଗ୍ରତ କରାଏ । ପ୍ରତିବର୍ଷ ଭାରତର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନେ କାମାକ୍ଷା ମାତାଙ୍କ ଦର୍ଶନ ପାଇଁ କାମରୂପ ଆସନ୍ତି । କାମରୂପ ପୂର୍ବରୁ ଧର୍ମାରଣ୍ୟ ବା ଧର୍ମରାଜ୍ୟ ନାମରେ ନାମିତ ଥିଲା । ଏହା ଭାରତର ଉତ୍ତର-ପୂର୍ବ ଅଞ୍ଚଳ ବା ଐଶାନ କୋଣରେ ଆସାମ ରାଜ୍ୟର ଗୁଆହାଟୀ ସହର ନିକଟରେ ଅବସ୍ଥିତ । ପୁରାଣରେ ବର୍ଣ୍ଣିତ ଯେ, ଦକ୍ଷ ଯଜ୍ଞକୁ ମହାଦେବ ଶିବଙ୍କୁ ନିମନ୍ତ୍ରିତ କରାଯାଇ ନଥିବାରୁ ଦକ୍ଷ କନ୍ୟା ସତୀ ପତିଙ୍କ ଅପମାନ ସହ୍ୟ କରିନପାରି ଯଜ୍ଞ କୁଣ୍ଡରେ ଝାସ ଦେଇଥିଲେ । ସତୀଙ୍କ ବିଚ୍ଛେଦରେ ଶିବଙ୍କ କ୍ରୋଧାଗ୍ନିରେ ପୃଥିବୀ ଧ୍ୱଂସ ହେବାକୁ ବସିଲା । ଶିବ କ୍ରୋଧାନ୍ୱିତ ହୋଇ ସତୀଙ୍କ ମରଶରୀର କାନ୍ଧରେ ବହନ କରି ସମଗ୍ର ଭାରତ ପ୍ରଦକ୍ଷିଣ କରିବା ସମୟରେ ଭଗବାନ ବିଷ୍ଣୁ ଶିବଙ୍କ କ୍ରୋଧ ପ୍ରଶମିତ କରିବା ପାଇଁ ସତୀଙ୍କ ଶରୀରକୁ ସୁଦର୍ଶନ ଚକ୍ରରେ ଖଣ୍ଡ ବିଖଣ୍ଡିତ କରି ଦେଇଥିଲେ ।
ମାତାଙ୍କର ପୁରୁଣା ମନ୍ଦିର ବହୁବାର ମୁସଲମାନ ଆକ୍ରମଣକାରୀଙ୍କ ଦ୍ୱାରା ଲୁଣ୍ଠିତ ତଥା ଧ୍ୱଂସ ପ୍ରାପ୍ତ ହୋଇ ବିଭିନ୍ନ ସମୟରେ ନବୀକରଣ ହୋଇଥିଲା । ବର୍ତ୍ତମାନର କାମାକ୍ଷା ମାତାଙ୍କ ମନ୍ଦିର ୧୫୬୫ ମସିହାରେ କୋଚ ବଂଶର ରାଜା ଚିଲାରାଈଙ୍କ ଦ୍ୱାରା ନିର୍ମିତ । ଏହି ମନ୍ଦିରର ଶିଖର ପ୍ରଦେଶ ମହୁ ଫେଣା ପରି ଅର୍ଦ୍ଧଗୋଲାକାର ଆକୃତିର । ମନ୍ଦିରର ଭିତର ତଥା ବାହାର କାରୁକାର୍ଯ୍ୟ ଅତୀବ ମନୋରମ । ଏଥିରେ ଶିବ, ଗଣେଶ, ବିଷ୍ଣୁ, ଶୀତଳା ତଥା ବହୁ ଦେବଦେବୀଙ୍କ ମୂର୍ତ୍ତି ଅତ୍ୟନ୍ତ ନିଖୁଣ ଭାବରେ ଖୋଦିତ ହୋଇଛି । ମନ୍ଦିର ପ୍ରାଙ୍ଗଣ ୪ ଭାଗରେ ବିଭକ୍ତ ଯଥା ଗର୍ଭଗୃହ, କଲାନ୍ତ, ପଞ୍ଚରତ୍ନ ଓ ନାଟ ମନ୍ଦିର । ଗର୍ଭଗୃହ ଏକ ଛୋଟିଆ ଅନ୍ଧାରୁଆ ଗୁମ୍ଫା ପରି, ଯେଉଁଠିକୁ କିଛି ପଥର ପାହାଚ ଦେଇ ସାମାନ୍ୟ ତଳକୁ ଓହ୍ଲାଇବାକୁ ପଡ଼େ । ଏଠାରେ ଯୋନି ଆକୃତିର ଏକ ପଥରକୁ ଶକ୍ତିରୂପରେ ପୂଜା କରାଯାଏ । ଏହି ସାମାନ୍ୟ ଖାଲୁଆ ପଥରଟି ସର୍ବଦା ନିମ୍ନ ଭାଗରେ ଥିବା ଏକ ଝରଣା ପାଣି ଦ୍ୱାରା ପୂର୍ଣ୍ଣ ହୋଇ ରହିଥାଏ । ଭକ୍ତମାନେ ଏହି ଜଳକୁ ମାତାଙ୍କର ଚରଣୋଦକ ହିସାବରେ ପ୍ରାପ୍ତ କରନ୍ତି । ଅନ୍ୟ ତିନି ବିଭାଗ ମଧ୍ୟରୁ କାଲାନ୍ତ ଗର୍ଭଗୃହ ସହ ସଂଲଗ୍ନ । ଏହା ମଧ୍ୟରେ ଦେବୀଙ୍କର ଚଳନ୍ତି ପ୍ରତିମା ପୂଜା କରାଯାଇଥାଏ । ଏହାର କାନ୍ଥରେ ନାରାୟଣ ଓ ଅନ୍ୟ ଦେବ ଦେବୀଙ୍କର ମୂର୍ତ୍ତିମାନ ଖନନ କରାଯାଇଛି ।
ଏହା ମଧ୍ୟ ଦେଇ ଗର୍ଭ ଗୃହରେ ପ୍ରବେଶ କରନ୍ତି । ପଞ୍ଚରତ୍ନ ମଧ୍ୟମ ବିଭାଗ । ଏହା ମୁଖ୍ୟ ମନ୍ଦିର ଠାରୁ ଛୋଟ ସମାନ ଅର୍ଦ୍ଧଗୋଲାକାର ଆକୃତିର ପାଞ୍ଚଟି ଶିଖର ବହନ କରେ । ପଞ୍ଚରତ୍ନର ମଧ୍ୟଭାଗରେ ଥିବା ଶିଖରଟି ଅନ୍ୟ ଚାରି ଶିଖରଠାରୁ ସାମାନ୍ୟ ଉଚ୍ଚ । ପଞ୍ଚରତ୍ନ ପରେ ନାଟ୍ୟ ମନ୍ଦିର ଅବସ୍ଥିତ । ଏହାର ଛାତ ସାମାନ୍ୟ ଗଡ଼ାଣିଆ ଓ ଏହା ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର । ଏହି ସମୟରେ ମାତା ରଜସ୍ୱଳା ହୁଅନ୍ତି । ସେଥିପାଇଁ ମନ୍ଦିର ତିନିଦିନ ଧରି ବନ୍ଦ ରଖାଯାଏ । କୌଣସି ଯାତ୍ରୀକୁ ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଦିଆଯାଏ ନାହିଁ । ଚତୁର୍ଥ ଦିନ ଦେବୀ ମାତାଙ୍କୁ ସ୍ନାନ ଓ ପୂଜା କରାଯିବା ପରେ ଭକ୍ତମାନେ ଦର୍ଶନ କରିବାକୁ ଯାଆନ୍ତି । ଏହି ଦିନ ମନ୍ଦିର ପ୍ରବଳ ଭିଡ଼ ହୁଏ । ସାରା ଭାରତରୁ ବହୁ ସଂଖ୍ୟାରେ ଭକ୍ତ ଏହି ଦିନ ଉପସ୍ଥିତ ରହି ମାତାଙ୍କର ଆଶୀର୍ବାଦ ଲାଭ କରନ୍ତି । କଥାରେ ଅଛି “ଭବ ସଂସାର ଭିତରେ ଭବ ଭବାନୀ ବିହରେ’ । ଅର୍ଥାତ୍ ସମସ୍ତ ଜୀବ ଭିତରେ ଶିବଶକ୍ତି ବିରାଜମାନ । ମଣିଷ ଏହା ଉପଲବ୍ଧି କରିବା ଉଚିତ । ପ୍ରତ୍ୟେକ ଜୀବ ଭିତରେ ଥିବା ସୁପ୍ତଶକ୍ତିକୁ ଜାଗ୍ରତ କରିବା ପାଇଁ ମଣିଷର ନିରନ୍ତର ସାଧନା ଆବଶ୍ୟକ । ଏଥିପାଇଁ ସହଜ ଓ ଆନନ୍ଦ ଦାୟକ ମାଧ୍ୟମ ହେଲା ତୀର୍ଥସ୍ଥାନ ଭ୍ରମଣ । ପବିତ୍ର ସ୍ଥାନ ତଥା ସାଧୁସନ୍ଥଙ୍କ ସଂସ୍ପର୍ଶରେ ଆସିଲେ ମଣିଷର ତନୁମନ ପବିତ୍ର ହୁଏ ଓ ଆଚରଣରେ ଅନେକ ପରିବର୍ତ୍ତନ ଘଟେ । ମାତା କାମାକ୍ଷା ଦେବୀଙ୍କ ଆଶୀର୍ବାଦ ସମସ୍ତ ପାଠକ ମାନଙ୍କୁ ପ୍ରାପ୍ତ ହେଉ ।