ଡ଼ ପ୍ରତିଭା ମହାରଥୀ : କାଳ ସମସ୍ତଙ୍କୁ ଭକ୍ଷଣ କରେ, ମାତ୍ର କାଳର ଭକ୍ଷଣକାରୀ ହେଉଛନ୍ତି ଶ୍ରୀରାମ । ରାବଣକୁ ମାରିବା ପାଇଁ ଶ୍ରୀରାମଙ୍କୁ ଏତେ କାମ, ଏତେ ହିନସ୍ତା, ଏତେ ଲୀଳା କରିବାର କଣ ଆବଶ୍ୟକତା ଥିଲା ?? ଶ୍ରୀରାମ ତ ପରମାତ୍ମା, ସର୍ବଶକ୍ତିଶାଳୀ, କାଳର ବି କାଳ । ସଂକଳ୍ପ କରିବାକ୍ଷଣି ତ ସେ ରାବଣକୁ ତକ୍ରାଳ ବଧ କରି ଦେଇଥାନ୍ତେ! ରାମ ଏତେ ସବୁ ଲୀଳା କରିବାର କାରଣ ଲୋକମାନେ ଯେତିକି ସମୟ ରାମାୟଣ କଥା ପାଠ କରିବେ, ଶ୍ରବଣ କରିବେ, ସେତିକି ସମୟ ଜଗତକୁ ଭୁଲିଯାଇ ପାରିବେ ।
ରାବଣକୁ ବଧ କରିବା ପାଇଁ ରାମଙ୍କର ଅବତାର ହୋଇ ନଥିଲା । କଳିଯୁଗର ଲୋକମାନେ ଏହି ଲୀଳା ଶ୍ରବଣ କରି ତନ୍ମୟ ହେବା ନିମନ୍ତେ ସମସ୍ତ ଲୀଳା ହୋଇଥିଲା । ଭଗବାନଙ୍କ ଲୀଳା କଥା ହେଉଛି ମୋକ୍ଷଦାୟୀ । ଅବତାର ଦଶାରେ ଭଗବାନ ଅନେକ ଲୋକକୁ ଉଦ୍ଧାର କରନ୍ତି । କିନ୍ତୁ ଅନବତାର ଦଶାରେ, ଅର୍ଥାତ୍ ପରମାତ୍ମା ଯେତେବେଳେ ପ୍ରତ୍ୟକ୍ଷରେ ବିରାଜମାନ ନ କରନ୍ତି ସେ ସମୟରେ ରାମକଥା ଅପ୍ରମିତ ଲୋକକୁ ପ୍ରଭୁ ମାର୍ଗର ପଥିକ କରିଥାଏ, ଅଗଣିତ ଜୀବଙ୍କର କଲ୍ୟାଣ କରିିଥାଏ, ଅସଂଖ୍ୟ ଲୋକଙ୍କୁ ଉଦ୍ଧାର କରିଥାଏ । ରାମ-କଥା ହେଲା ଅମୃତ, ରାମ-ନାମ ହେଲା ଅମୃତ । ପ୍ରଭୁଙ୍କର ନାମ ଅମୃତ ଠାରୁ ମଧ୍ୟ ଆହୁରି ମଧୁର । କଥାମୃତ ପାପକୁ ଜଳାଏ, ନାମାମୃତ ଜୀବନକୁ ସୁଧାରେ, ମୁକ୍ତି ଓ ଜୀବନମୁକ୍ତି ପ୍ରଦାନ କରାଏ ।
ପରମାତ୍ମା ପ୍ରାପ୍ତି ହିଁ ମାନବ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ, ମାନବ ଦେହ ହେଉଛି ଶ୍ରୀରାମଙ୍କୁ ପାଇବା ପାଇଁ ସାଧନ । ପରମାତ୍ମାଙ୍କ ଦର୍ଶନ ନିମନ୍ତେ ଯିଏ ସାଧନା କରେନାହିଁ, ମାନବ ଶରୀର ପାଇ ଯିଏ ପରମାତ୍ମାଙ୍କୁ ଭକ୍ତି କରେ ନାହିଁ ସେ ମଣିଷ ହୋଇ ବି ପଶୁ ସମାନ ହୋଇଥାଏ । ବାନର ଯେତେ ଭୋକିଲା ହୋଇଥାଉ ପଛେ, ସେ ରାମଫଳ କି ସୀତାଫଳ କଦାପି ଖାଏ ନାହିଁ, କାରଣ ଏହି ଫଳ ସହିତ ତାର ଆରାଧ୍ୟ ଦେବଙ୍କର ନାମ ସଂଶ୍ଳିଷ୍ଟ ହୋଇଛି ।
ନିଜର ଆରାଧ୍ୟ ଦେବଙ୍କ ପ୍ରତି ଏପରି ଭକ୍ତି, ପୁଣି ଜିହ୍ୱା ଉପରେ ଏଡ଼େ ସଂଯମ ପଶୁରୂପେ ପରିଗଣିତ ବାନରର ଅଛି । ଯାହାର ଜୀବନରେ ସଂଯମ ନାହିଁ, ଯାହାଙ୍କ ଜୀବନରେ ପ୍ରଭୁ ଭକ୍ତିର କୌଣସି ନିୟମ ନାହିଁ, ତା ଜୀବନ ନିରର୍ଥକ ।
ଜୀବ ଅନେକ ଜନ୍ମଧରି ଏହି ସଂସାରରେ ଭ୍ରମଣ କରିବାରେ ଲାଗିଛି । ଅନେକ ଜନ୍ମ ଧରି ଜୀବ ଏହି ସଂସାରର ସମସ୍ତ ଭୋଗ ଉପଭୋଗ କରିଚାଲିଛି । ପଶୁ ପକ୍ଷୀ ମଧ୍ୟ ଭୋଗ, ଉପଭୋଗ କରନ୍ତି । ମଣିଷକୁ ମିଠାଇ ଖାଇବାର ଯେଉଁ ସୁଖ ମିଳିଥାଏ, ଘୁଷୁରୀକୁ ବିଷ୍ଠା ଖାଇବାରେ ସେହି ସୁଖ ମିଳିଥାଏ, ମଣିଷ ଖଟ ପଲଙ୍କର ଗଦି ଉପରେ ଶୋଇ ଯେଉଁ ସୁଖ ପାଏ, ଗଧ ଧୂଳିରେ ଗଡ଼ିକରି ସେହି ସୁଖ ପାଇଥାଏ, ପଶୁପକ୍ଷୀ ବି ସନ୍ତାନ ଜନ୍ମ କରନ୍ତି । ବାଇଚଢ଼େଇ ବି ତାଳଗଛରେ ସୁନ୍ଦର ବସା ତିଆରି କରିଥାଏ । ଅର୍ଥାତ୍, ମାନବ ପରି ସଂସାରରେ ଅନେକ ଇତର ଜୀବ ତଥା କୀଟ ପତଙ୍ଗ ମଧ୍ୟ ବିଭିନ୍ନ ପ୍ରକାରର ଭୋଗ, ଉପଭୋଗ କରିଥାଆନ୍ତି ।
କିନ୍ତୁ ମଣିଷଙ୍କ ପାଖରେ ଥିବା ବିଶେଷତା ହେଲା ମଣିଷ ଯଦି ନିଶ୍ଚିତ କରେ, ଦୃଢ଼ ମନସ୍ଥ ହୁଏ ତେବେ ମନ, ବୁଦ୍ଧିର ସଦୁପଯୋଗ କରି ନିରବଚ୍ଛିନ୍ନ ଭାବେ ପରମାତ୍ମାଙ୍କୁ ଭକ୍ତି କରିପାରେ । କାରଣ ମଣିଷ ସୃଷ୍ଟିର ଏକମାତ୍ର ଜୀବ ଯିଏ ପାପ କଣ, ପୂଣ୍ୟ କଣ ଜାଣିପାରେ । ପାପ ତ୍ୟାଗ ପୂର୍ବକ ଭକ୍ତି କରିବା ଏପରି ବୁଦ୍ଧି କେବଳ ମଣିଷମାନଙ୍କର ଅଛି, ପ୍ରଭୁ ମଣିଷକୁ ଯେଉଁ ବୁଦ୍ଧି ଓ ଜ୍ଞାନ ଦେଇଛନ୍ତି, ସେପରି କିନ୍ତୁ ପଶୁଙ୍କୁ ଦେଇନାହାନ୍ତି । ପରମାତ୍ମାଙ୍କ ଦୟାରୁ ଏପରି ମଣିଷ ଶରୀର ଲାଭ କରି ଯିଏ ନିଜ ଇନ୍ଦି୍ରୟମାନଙ୍କୁ ବଶ କରେ ନାହିଁ ତାର ଜୀବନ ଅତି ଶୋଚନୀୟ ହୋଇଯାଏ । ସାଂସାରିକ ବିଷୟ ଭୋଗ ଉପଭୋଗ କରିବା ପାଇଁ ଏହି ଶରୀର ମିଳିନାହିଁ । ଏହି ଅନିତ୍ୟ ଶରୀର ନିତ୍ୟ ପରମାତ୍ମାଙ୍କ ପ୍ରାପ୍ତି ପାଇଁ ମିଳିଛି । ମନୁଷ୍ୟ ଶରୀର ସମସ୍ତ ଫଳର ମୂଳ, ତଥା ସକଳ ପୁରୁଷାର୍ଥର ସାଧନ । ନୌକାରୂପୀ ଏହି ସର୍ବୋତ୍ତମ ଶରୀରର କର୍ଣ୍ଣଧାର ହେଉଛନ୍ତି ପରମାତ୍ମା । କେବଳ ପରମାତ୍ମାଙ୍କ କୃପାରୂପୀ ଅନୁକୂଳ ବାୟୁ ଦ୍ୱାରା ହିଁ ଏହି ନୌକା ଗତି ପ୍ରାପ୍ତ ହୁଏ । ପରମାତ୍ମାଙ୍କ ଆରାଧନାରେ, ପରମାତ୍ମାଙ୍କ ଧ୍ୟାନରେ, ପରମାତ୍ମାଙ୍କ ଦର୍ଶନରେ, ପରମାତ୍ମାଙ୍କ ଭଜନ ଶ୍ରବଣରେ ସର୍ବୋପରି ପରମାତ୍ମା ଶ୍ରୀରାମଚନ୍ଦ୍ରଙ୍କ ଚରଣାରବିନ୍ଦରେ ସମର୍ପିତ ହୋଇଯିବାର ଥାଏ ମଣିଷ ଜୀବନର ଚରମ ସାର୍ଥକତା ।
ମଣିଷ ଶରୀରକୁ ଅଧିକ ଧ୍ୟାନ ଦିଏ, ହେଲେ ମନକୁ ଆଦୌ ସଜାଡ଼ିବାକୁ ଚେଷ୍ଟା କରେନାହିଁ । ଶରୀର ବିଗିଡ଼ି ଯାଉଥିଲେ ହୁଏତ ତାହାକୁ ଠିକ୍ କରିଦିଆଯାଇପାରେ, ମାତ୍ର ମନ ଥରେ ବିଗିଡ଼ି ଗଲେ ତାକୁ ଠିକ୍ କରିବା ଆଦୌ ସମ୍ଭବ ହୁଏନାହିଁ । ଶରୀର ନଷ୍ଟ ହୋଇଗଲେ ଆମକୁ ଅନ୍ୟ ଏକ ଶରୀର ମିଳିଥାଏ । ମାତ୍ର ମୃତୁ୍ୟ ପରେ ମନ ହିଁ ସାଙ୍ଗରେ ଯାଇଥାଏ । ତନୁ ଅପେକ୍ଷା ମନକୁ ଅଧିକ ଯତ୍ନରେ ରଖିବା ଉଚିିତ ।
ନାମ ସହିତ ପ୍ରୀତି ରଖିଲେ ମନ ପବିତ୍ର ହୁଏ । ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି –
“ହର୍ରେନାମ ହର୍ରେନାମ ହର୍ରେନାମ ହି କେବଳମ୍
କଳୌ ନାସ୍ତୈବ ନାସ୍ତୈବ ନାସ୍ତୈବ ଗର୍ତିରନ୍ୟଥା ।ା
ମନ ହେଉଛି ପାଣି ଭଳି । ପାଣି ଯେପରି ସର୍ବଦା ନିମ୍ନକୁ ଗତି କରିଥାଏ, ଠିକ୍ ସେହିପରି ବିଷୟାସକ୍ତ ମନ ନିମ୍ନାଭିମୁଖୀ ହୋଇଥାଏ । ଯନ୍ତ୍ର ସାହାଯ୍ୟରେ ଖାଲ ଜମିରୁ ଢିପ ଜମିକୁ ପାଣି ଉଠାଇଲା ଭଳି ନିରନ୍ତର ନାମ ଜପକୁ ଆଶ୍ରାକରି ଏହି ମନ ଉଦ୍ଧ୍ୱର୍ଗାମୀ ହୋଇପାରିବ । ପ୍ରଭୁଙ୍କ ଚରଣାରବିନ୍ଦରେ ପହଞ୍ଚô ପାରିବ । ଏହି ଜଗତ ପରମାତ୍ମାଙ୍କ ଅଧୀନରେ ଆଉ ପରମାତ୍ମା ନାମର ଅଧୀନରେ ଥାଆନ୍ତି ।
ପବିତ୍ର ରାମାୟଣ ହେଉଛି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୂର୍ଣ୍ଣାବୟବ ସଦୃଶ । ଅର୍ଥାତ୍ ଏହାର ବାଳକାଣ୍ଡ ପ୍ରଭୁ ଶ୍ରୀରାମଙ୍କ ଚରଣ, ଆଯୋଧ୍ୟାକାଣ୍ଡ ଶ୍ରୀରାମଚନ୍ଦ୍ରଙ୍କ କଟିଦେଶ ପର୍ଯ୍ୟନ୍ତ, ଅରଣ୍ୟକାଣ୍ଡ ଶ୍ରୀରାମଙ୍କ ଉଦରଭାଗ, କିସ୍କିନ୍ଧ୍ୟାକାଣ୍ଡ ଶ୍ରୀରାମଙ୍କ ହୃଦୟ, ସୁନ୍ଦରାକାଣ୍ଡ ଶ୍ରୀରାମଙ୍କ କଣ୍ଠ, ଲଙ୍କାକାଣ୍ଡ ଶ୍ରୀରାମଙ୍କ ମୁଖ ଏବଂ ଉତ୍ତରାକାଣ୍ଡ ହେଲା ଶ୍ରୀରାମଙ୍କ ମସ୍ତକ ଦେଶ । ରାମାୟଣର ପ୍ରତିଟି ଧାଡ଼ି, ପ୍ରତିଟି ଶବ୍ଦ, ପ୍ରତିଟି ଅକ୍ଷରରେ ଭରପୂର ରହିଛି ଜୀବନ ଦର୍ଶନ, ଜୀବନ ତତ୍ତ୍ୱ । ସେଥିପାଇଁ “ଶ୍ରୀରାମଚରିତମାନସ’ର ସ୍ରଷ୍ଟା ତୁଳସୀଦାସଙ୍କୁ କୁହାଯାଇଛି –
“ଆନନ୍ଦକାନନେ ଅସ୍ମିନ୍ ଜଙ୍ଗମ ତୁଳସୀସ୍ତରୁ
କବିତାବଲ୍ଲରୀ ଭାତି ରାମଭ୍ରମରଭୂଷିତୋ ।ା”
ଆସନ୍ତୁ ସମସ୍ତେ ଆଉ କାଳ ବିଳମ୍ବ ନ କରି ସେହି ପବିତ୍ର ଗ୍ରନ୍ଥ ରାମାୟଣକୁ ବାରବାର ପାଠ କରିବା, ଶ୍ରୀରାମଚନ୍ଦ୍ରଙ୍କୁ ଅନାବିଳ ଭକ୍ତିରେ ସ୍ତୁତି କରିବା, ସିଏ ହିଁ ଏକମାତ୍ର ଶକ୍ତି ଯିଏ ଆମର ଆର୍ତ୍ତକୁ, ଦୁଃଖକୁ, କଷଣକୁ ନିମିଷକେ ହରଣ କରିପାରନ୍ତି ।
“ରଘୁବରତବମୂର୍ତ୍ତେ ମାମକେମାନସାବ୍ଜେ
ନରକଗତିହରଂ ତେ ନାମଧ୍ୟେୟଂମୁଖେମେ
ଅନିଶମତୁଳଭକ୍ତ୍ୟା ମସ୍ତକଂତ୍ୱତ୍ପଦାବ୍ଜେ
ଭବଜଳଧିନିମଗ୍ନଂ ରକ୍ଷମାମାର୍ତ୍ତବନେ୍ଧା ।”