Odisha news

ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ ଓ ‘ମୋ ଅକୁହା କାହାଣୀ’ : ନଭେମ୍ବର ୧୭ ତାରିଖ ପ୍ରଜ୍ଞାପୁରୁଷ ଡଃ ଶ୍ରୀରାମ ଚନ୍ଦ୍ର ଦାଶଙ୍କ ୧୦୨ତମ ଜୟନ୍ତୀ ଉପଲକ୍ଷେ ତାଙ୍କ ଆତ୍ମଜୀବନୀ ‘ମୋ ଅକୁହା କାହାଣୀ’ ଉପରେ ଆଧାରିତ ନିବନ୍ଧ…

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଆଜି ହେଉଛି ପ୍ରଜ୍ଞାପୁରୁଷ ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶଙ୍କ ୧୦୨ତମ ଜୟନ୍ତୀ । ଏକାଧାରରେ ସେ ଥିଲେ ଜଣେ ପ୍ରବୀଣ ଅଧ୍ୟାପକ, ସୁବକ୍ତା, ବିଶିଷ୍ଟ ସ୍ତମ୍ଭକାର ଓ ସର୍ବୋପରି ସୁନାମଧନ୍ୟ ଅଧିବକ୍ତା । ଯଥାର୍ଥରେ ସିଏ ଥିଲେ ସରସ୍ୱତୀଙ୍କର ବରପୁତ୍ର । ତାଙ୍କ ଲେଖନୀରୁ ସୃଷ୍ଟି ହେଇଥିଲା ଅନେକ କାଳଜୟୀ ପୁସ୍ତକ । କିନ୍ତୁ ତାଙ୍କ ଆତ୍ମଜୀବନୀ ‘ମୋ ଅକୁହା କାହାଣୀ’ ଓଡିଆ ଆତ୍ମଜୀବନୀ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ଆଜି ଉକôଳ ଜନନୀର ଏହିଭଳି ଜଣେ ଯୋଗଜନ୍ମା ବରପୁତ୍ରଙ୍କର ଜୟନ୍ତୀରେ ତାଙ୍କ ଆତ୍ମଜୀବନୀ ‘ମୋ ଅକୁହା କାହାଣୀ’ କଥାକୁ ପାଠକଙ୍କ ନିକଟରେ ପହଞ୍ଚାଇବା ଏହି ଆଲେଖ୍ୟର ମୁଖ୍ୟ ଉଦେ୍ଦଶ୍ୟ ।

କୁହାଯାଏ – ଆତ୍ମଜୀବନୀ ଜଣେ ବ୍ୟକ୍ତି ଚରିତ୍ରର ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣାର କଳାତ୍ମକ ପରିପ୍ରକାଶ । ଆଉ କେହି ଏହାକୁ ଆତ୍ମଶ୍ଳାଘାର ପରିଚାୟକ ବୋଲି କହିଥାନ୍ତି । ସେ ଯାହା ହେଉନା କାହିଁକି ସାହିତ୍ୟରେ ଆତ୍ମଜୀବନୀ ସାହିତ୍ୟର ଗୁରୁତ୍ୱକୁ ଏଡାଇ ହେବ ନାହିଁ । ତଥାପି ଓଡିଆ ସାହିତ୍ୟରେ ଆତ୍ମଜୀବନୀ ସାହିତ୍ୟ ଖୁବ୍ କମ୍ ପରିଦୃଷ୍ଟ ହୋଇଥାଏ । ବିଂଶ ଶତାବ୍ଦୀର ପଚାଶ ଦଶକ ପରଠାରୁ ବିଭିନ୍ନ ବିଭାଗର ପ୍ରତିଷ୍ଠା ଲାଭ କରିଥିବା ପ୍ରତିଭାଧାରୀ ବ୍ୟକ୍ତିତ୍ୱମାନେ ଆତ୍ମଜୀବନୀ ଲେଖିବା ସହ ଏହି ବିଭାଗକୁ ରୁଦ୍ଧିମନ୍ତ କରିପାରିଛନ୍ତି । ପ୍ରଥମ କରି ବ୍ୟାସକବିଙ୍କ ଫକୀରମୋହନଙ୍କ ଆତ୍ମଜୀବନୀ “ଆତ୍ମଚରିତ” ଏକ ସ୍ୱତନ୍ତ୍ର ସ୍ଥାନ ଦାବି କରେ ।

ସେହିପରି ସାର୍ଥକ ଓ ସଫଳ ଆତ୍ମଜୀବନୀ ରୂପେ ସତ୍ୟବାଦୀ ଯୁଗର ଅନ୍ୟତମ ସଖା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ “ଅର୍ଦ୍ଧ ଶତାବ୍ଦୀର ଓଡିଶା ଓ ତହିଁରେ ମୋ ସ୍ଥାନ”, ଉକ୍ରଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ “ସାଧନାର ପଥେ” ଓ ଆହୁରି ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଆତ୍ମଜୀବନୀର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । କେବଳ ସାହିତି୍ୟକମାନେ ନୁହନ୍ତି, ବୈଜ୍ଞାନିକ, ସମାଜସେବୀ, ଜନନେତା, ଚିତ୍ରଶିଳ୍ପୀ ଓ ସର୍ବୋପରି ପ୍ରତିଷ୍ଠିତ ରାଜନେତାମାନେ ଓଡିଆ ଆତ୍ମଜୀବନୀ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ସମର୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡିଶାର କିମ୍ବଦନ୍ତୀ ପୁରୁଷ, ପ୍ରଖ୍ୟାତ ରାଜନୀତି ବିଶାରଦ ଓ ପ୍ରବୀଣ ଶିକ୍ଷାବିତ୍ ଡଃ ଶ୍ରୀରାମଚନ୍ଦ୍ର ଦାଶଙ୍କ ଆତ୍ମଜୀବନୀ “ମୋ ଅକୁହା କାହାଣୀ” ଏକ ସଫଳ ସୃଷ୍ଟି ଅଟେ । ପୁସ୍ତକର ଆରମ୍ଭରେ ଡଃ ଦାଶ ଲେଖିଛନ୍ତି – ‘ମୋ ଅକୁହା କାହାଣୀ’ ମୋ ଆତ୍ମଜୀବନୀ । କେତେକ ଲୋକ ଭାବିପାରନ୍ତି, ମୁଁ ତ ଏତେ ବଡ ଲୋକ ନୁହେଁ କି ମୋ ଜୀବନ ଏତେ ଘଟଣା ବହୁଳ ନୁହେଁ । ମୁଁ ଜଣେ ସାମାନ୍ୟ ଶିକ୍ଷକ । ଶ୍ରେଣୀରେ ପାଠ ପଢାଉଥିଲି । ଏହାତ ଗୋଟିଏ ସାଧାରଣ ଘଟଣା ।

ହଜାର ହଜାର ଶିକ୍ଷକ ଅଛନ୍ତି । ମୋର କ’ଣ ବିଶେଷତ୍ୱ ଅଛି ଯେ, ମୁଁ ଗୋଟିଏ ଆତ୍ମଜୀବନୀ ଚରିତ ଲେଖି ମୋ ବଡଲୋକୀ ଜାହିର କରିବାକୁ ବାହାରିଛି? ଏଭଳି ପ୍ରଶ୍ନ ଉଠିବା ସ୍ୱଭାବିକ୍ । ମୁଁ ସାଧାରଣ ଲୋକଙ୍କ ମଧ୍ୟରେ ଜଣେ ଅସାଧାରଣ ବ୍ୟକ୍ତି । ତେଣୁ, ଆତ୍ମଜୀବନୀ ଲେଖିବା ପୂର୍ବରୁ ବହୁବାର ଏ ବିଷୟରେ ଚିନ୍ତା କରିଅଛି । ଏକଥା ମଧ୍ୟ କହିଛନ୍ତି ଓଡିଶାର କୋଣ ଅନୁକୋଣରୁ ମୋର ବହୁ ଶୁଭେଚ୍ଛୁ ଓ ବନ୍ଧୁମାନଙ୍କ ଅନୁରୋଧ କ୍ରମେ ଓ ‘ସହକାର’ ପତ୍ରିକାର ସମ୍ପାଦକ ବିଚିତ୍ରାନନ୍ଦ କରଙ୍କ ଧର୍ମପନôୀ ରମା କରଙ୍କ ଅନୁରୋଧ କ୍ରମେ ମୁଁ ଆତ୍ମଜୀବନୀ ଲେଖିବାକୁ ପ୍ରୟାସ କଲି ।

ଏଠାରେ ଉଲ୍ଲେଖ କରାଯାଇପାରେ କି, ଓଡିଆ ଆତ୍ମଜୀବନୀ ସାହିତ୍ୟକୁ ଜଗତସିଂହପୁର ଅବଦାନ କୌଣସି ଗୁଣରେ କମ୍ ନୁହେଁ । ଓଡିଶାର ସାରସ୍ୱତ ଜଗତକୁ ଏ ମାଟିର ଅବଦାନ ସର୍ବଜନ ବିଦିତ । ମାତ୍ର ଡଃ ଦାଶଙ୍କ ଆତ୍ମଜୀବନୀ ସବୁ ଦୃଷ୍ଟିରୁ ଏକ ନିଆରା ପ୍ରାମାଣିକ ଦସ୍ତାବିଜ୍ । ଜୀବନର ଘାତ-ପ୍ରତିଘାତ, ସଂଘାତ-ସଂଘର୍ଷ ଓ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ କରି କିପରି ସମାଜରେ ପ୍ରତିଷ୍ଠା ଅର୍ଜନ କରିହେବ ତାହାର ଏକ ନିଚ୍ଛକ ଉଦାହରଣ ଓ ସବୁ ସମୟରେ ଏହା ଅନ୍ୟମାନଙ୍କୁ ପ୍ରଚୋଦିତ କରିିବ ଏକଥା ନିଃସନେ୍ଦହରେ କୁହାଯାଇପାରେ ।

ଏହାକୁ ଯେତେ ପାଠ କଲେ ଆହୁରି ପଢିବାର ଇଚ୍ଛା ବଳବତ୍ତର ହୁଏ । ଜୀବନ ସଂଗ୍ରାମର ବହୁ ଯୁଦ୍ଧରେ ଏକାକୀ ଯୋଦ୍ଧା ସାଜି ବହୁ ବନ୍ଧନ ଓ ପ୍ରତିବନ୍ଧକକୁ ପ୍ରତିହତ କରି ଡଃ ଦାଶଙ୍କ ବ୍ୟକ୍ତିତ୍ୱ କିପରି ସମୁଜ୍ଜ୍ୱଳ ହୋଇପାରିଛି, ତାହା ଅତି ସୁନ୍ଦର ଭାବେ ଏଥିରେ ଅବତାରଣା ହୋଇଛି ।

ଆଲୋଚ୍ୟ ଆତ୍ମଜୀବନୀରେ ମୋଟ ୩୬ଟି ପରିଚ୍ଛଦ ସ୍ଥାନିତ ହୋଇଛି । ବାଲ୍ୟଜୀବନ ଠାରୁ ଆରମ୍ଭ କରି ସ୍କୁଲ ଶିକ୍ଷା, କଲେଜ ଶିକ୍ଷା, ଚାକିରି ଜୀବନ, ଓକିଲାତି ପେଶା, ବିଦେଶ ଯାତ୍ରା ଓ ରାଜନୀତି ଜୀବନର ବହୁ ଅକୁହା କଥା ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଛି । ଯେଉଁଥିରେ ରହିଛି ଆବେଗ, ଉକ୍ରଣ୍ଠା ଓ ସମ୍ବେଦନଶୀଳତାର ବାସ୍ତବ ଚିତ୍ର ।

ଯାହାକୁ ପଢିଲେ ପାଠକେ ରୋମାଞ୍ଚିତ ହୁଅନ୍ତି, ଆମୋଦିତ ହୁଅନ୍ତି ଓ ବିସ୍ମିତ ମଧ୍ୟ ହୁଅନ୍ତି । ଜଣେ ରାଜନୀତି ବିଜ୍ଞାନ ବିଶାରଦ, ଜଣେ ବାଗ୍ମୀ ରୂପେ ସେ କେବଳ ଆମ ରାଜ୍ୟ ବା ଜିଲ୍ଲା ନୁହେଁ ସମଗ୍ର ଭାରତବର୍ଷରେ ପ୍ରସିଦ୍ଧି ଲାଭ କରିଥିଲେ । ବିଶେଷ କରି ସେ ସର୍ବଦା ଅପ୍ରିୟ ସତ କଥା କହୁଥିଲେ ଓ ଏଥିପାଇଁ ଅନେକଙ୍କ ଆକ୍ରୋଶର ଶିକାର ହୋଇଥିଲେ ମଧ୍ୟ, ସେ ତାଙ୍କ ଚରିତ୍ରର ଏହି ଗୁଣଟି ଛାଡି ପାରିନଥିଲେ । ସେଥିପାଇଁ ସେ ମୋ ଅକୁହା କାହାଣୀରେ ଲେଖିଛନ୍ତି- “ଜୀବନ ଗୋଟିଏ ମହାସମୁଦ୍ର । ଏହି ସମୁଦ୍ରରେ ଲହରୀ ଉଠେ । ଉକ୍ତ ଲହରୀକୁ କେହି ଗଣି ପାରିବେ ନାହିଁ କିମ୍ବା ପତନୋନ୍ମୁଖୀ ଜଳରୁ ଜଳୀୟ ବିଦୁ୍ୟତ୍ ଆହରଣ କରିବା ପରି ସମୁଦ୍ର ଲହରୀରୁ କେହି ବିଦୁ୍ୟତ୍ ଶକ୍ତି ସଂଗ୍ରହ କରିପାରିବେ ନାହିଁ । ତଥାପି ସମୁଦ୍ର ମଧ୍ୟରେ ବହୁ ମୂଲ୍ୟବାନ ସମ୍ପଦ ରହିଛି ବୋଲି କେହି ଅସ୍ୱୀକାର କରିପାରିବେ ନାହିଁ । ଠିକ୍ ସେହିପରି ମୋ ଜୀନନର ଉର୍ମିମାଳାକୁ ମୁଁ ବର୍ଣ୍ଣନା କରିବା ଅବସ୍ଥାରେ ନାହିଁ ।”

ସର୍ବୋପରି ଦେଖିବାକୁ ଗଲେ ଡଃ ଦାଶଙ୍କ ଆତ୍ମକଥା “ମୋ ଅକୁହା କାହାଣୀ” ଏକ ସ୍ୱୟଂ ସମ୍ପୂର୍ଣ୍ଣ ଆତ୍ମକାହାଣୀ । ଓଡିଆ ଆତ୍ମଜୀବନୀ ସାରସ୍ୱତ ଭଣ୍ଡାରରେ ଏକ ଉଜ୍ଜ୍ୱଳମଣି ସଦୃଶ ଚିର ଜାଜ୍ଜୁଲ୍ୟମାନ ହେଉଥିବ । ଆଜି ସେହି ପ୍ରଣମ୍ୟ ପୁରୁଷଙ୍କ ଜୟନ୍ତୀରେ ତାଙ୍କ ପ୍ରତି ମୋର ପ୍ରଣତି ବାଢି ବିଶ୍ୱନୀୟନ୍ତାଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କ ଆଶିଷ ବାରି ସଦା ଆମ ମଥାରେ ଝରିପଡୁ ।

Leave A Reply