Odisha news

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ପ୍ରତ୍ୟାହାର କଲେ

0

କଲମ୍ବୋ: ବଢ଼ି ଚାଲିଥିବା ରାଜନୈତିକ ସଙ୍କଟ ଯୋଗୁଁ ‘ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି’ରୁ ଆର୍ଥିକ ସହୟତା ପାଇବାରେ ଶ୍ରୀଲଙ୍କା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରି ନେଇଛନ୍ତି।

ଘୋଷଣା କରିବାର ଦିନ କେତୋଟି ନ ଯାଉଣୁ ଅର୍ଥାତ୍‌ ଏପ୍ରିଲ୍‌ ପହିଲାରେ ‌ଲାଗୁ ହୋଇଥିବା ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଏପ୍ରିଲ୍‌ ୫ ତାରିଖ ମଧ୍ୟରାତ୍ରୀରୁ ପ୍ରତ୍ୟାହୃତ ହୋଇଥିବା କଥା ମଙ୍ଗଳବାର ରାତିରେ ପ୍ରକାଶିତ ଗେଜେଟ୍‌ରେ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ କହିଛନ୍ତି। ଜରୁରୀ ପରିସ୍ଥିତ ଜାରି କରାଯିବା ହେତୁ ପ୍ରତିବାଦକାରୀମାନଙ୍କୁ ଅଟକ ରଖିବା ଓ ସେମାନଙ୍କ ସମ୍ପତ୍ତି ଜବତ କରିବା ଲାଗି ରାଷ୍ଟ୍ରପତି ପ୍ରଭୁତ୍ବ କ୍ଷମତା ପାଇଥିଲେ। କିନ୍ତୁ, ସାଂସଦମାନେ ତାଙ୍କୁ ଇସ୍ତଫା ଦେବା ପାଇଁ କହିବାରୁ ସେ ବାଧ୍ୟ ହୋଇ ଘୋଷିତ ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରି ନେଇଛନ୍ତି

ଶାସକ ଦଳ ମେଣ୍ଟରେ ଥିବା ୧୧ଟି ରାଜନୈତିକ ଦଳ ମଙ୍ଗଳବାର ଦିନ ପାର୍ଲାମେଣ୍ଟ୍‌ରେ କହିଲେ ଯେ, ସେମାନେ ସ୍ବାଧୀନ ସାଂସଦ ଭାବେ କାର୍ଯ୍ୟ କରିବେ। ରାଜପକ୍ଷେଙ୍କ ଦଳର କେତେଜଣ ସଂସାଦ ମଧ୍ୟ ସରକାରଙ୍କୁ ଦୂରେଇ ରହିଲେ। ଫଳରେ ୨୨୫ ଆସନ ବିଶିଷ୍ଟ ଗୃହରେ ସରକାରଙ୍କ ସଂଖ୍ୟାଗରିଷ୍ଠତା ଉପରେ ସନ୍ଦେହ ଆସିଲା।

ଏହାଛଡ଼ା, ଅର୍ଥମନ୍ତ୍ରୀଙ୍କ ସମେତ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସମୂହ ଇସ୍ତଫା ପ୍ରଦାନ ଯୋଗୁଁ ‘ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି’ରୁ ସାହାଯ୍ୟ ପାଇବା ଲାଗି ଶ୍ରୀଲଙ୍କା ପାଇଁ ବିଦେଶୀ ‘ବଣ୍ଡହୋଲ୍‌ଡର୍‌’ଙ୍କ ସହ ବୁଝାମଣା କରିବା ଉପାୟ ସୀମିତ ହୋଇଗଲା।

ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ ଅନୁସାରେ, ଶ୍ରୀଲଙ୍କାରେ ଘଟି ଚାଲିଥିବା ରାଜନୈତିକ ଓ ଆର୍ଥିକ ପରିସ୍ଥିତି ଉପରେ ‘ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି’ ଦୃଷ୍ଟି ରଖିଛି।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ମାସରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ରିଜର୍ଭ ୨.୩୧ ବିଲିୟନ୍‌ ଡଲାର୍‌କୁ ହ୍ରାସ ପାଇଗଲା। ଏଥିଯୋଗୁଁ ଶ୍ରୀଲଙ୍କାର ଆମଦାନି ପ୍ରକ୍ରିୟା ବନ୍ଦ‌ ହୋଇଯିବାରୁ କେତେକ ଅତ୍ୟାବଶ୍ୟକ ସାମଗ୍ରୀର ଉତ୍କଟ ଅଭାବ ଦେଖା ଦେଇଛି।

IEC 2 years
Leave A Reply