ସୋର,୩୧/୩ : ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନର ୭୯ ନମ୍ବର ଖାଦାନରେ ଆଜି ପୂର୍ବାହ୍ନରେ ଏକ ପୋକଲିନ ଓଲଟି ପଡିବାରୁ ୨ ଜଣ ଗୁରୁତ୍ତର ଆହତ ହୋଇଥିବା ବେଳେ ଜଣଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ହେଲ୍ପର ଜଣଙ୍କ ଦୀର୍ଘ ଘଣ୍ଟା ଧରି ମେସିନରେ ଚାପି ହୋଇ ରହିଥିଲେ। ଏହି ଖାଦାନରେ ଏକ ପୋକଲିନ କାର୍ଯ୍ୟ କରୁଥିବା ବେଳେ ପଥର ଧସିଯିବାରୁ ପୋକଲିନଟି ଓଲଟି ପଡିଥିଲା। ଫଳରେ ଡ୍ରାଇଭର ବିହାର ସୀମାନ ଜିଲ୍ଲା ଅଞ୍ଚଳର ରାଜନ ସିଂ (୨୮) ଏବଂ ହେଲ୍ପର ବାସୁଦେବପୁର କଇଥଖୋଲା ଗ୍ରାମର କାର୍ତିକ ବେହେରା( ୨୦) ମେସିନ ମଧ୍ୟରେ ଚାପି ହୋଇ ରହି ଯାଇଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ରାଜନ କୁ ଉଦ୍ଧାର କରି ଖାଦାନ ସଙ୍ଘ ଆମ୍ବୁଲାନ୍ସରେ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ କାର୍ତିକ ମେସିନ ମଧ୍ୟରେ ଚାପି ହୋଇ ରହି ଯାଇଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନପାରି ଅଗ୍ନିଶମ ବିଭାଗ ଏବଂ ସୋର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଏବଂ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ଚାରିଘଣ୍ଟା ପରେ ପୋକଲିନଟିକୁ କଟରରେ କାଟି କାର୍ତ୍ତିକଙ୍କୁ ଉଦ୍ଧାର କରି ଅଗ୍ନିଶମ ଆମ୍ବୁଲାନ୍ସରେ ସୋର ଡ଼ାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମଧ୍ୟ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।
