Odisha news

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୬ଜଣଙ୍କ ମୃତ୍ୟୁ ଓ ଜଣେ ଗୁରୁତର

0

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୬ଜଣଙ୍କ ମୃତ୍ୟୁ ଓ ଜଣେ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡ଼କଥରା ଗାଁରେ ଆଜି ବଜ୍ରପାତ ଘଟି ୩ ଯୁବକଙ୍କ ମୃତ୍ୟୁ ହୋଇଛି। କରୋନା ପାଇଁ କଟକଣା ସତ୍ତ୍ୱେ ଘରୁ ବାହାରି ଏମାନେ ଏକାଠି ହୋଇ ଗାଁ ପାଖ ଗାଡ଼ିଆରେ ମାଛ ଧରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଡପଥରା ଗାଁର କୈଶିଷ ମହାନ୍ତ, ଦିବ୍ୟଶଙ୍କର ମହାନ୍ତ ଓ ଜାମିନୀକାନ୍ତ ମହାନ୍ତ।

ସେହିପରି ବଜ୍ରାଘାତରେ କେନ୍ଦୁଝର ଝୁମ୍ପୁରା ବ୍ଲକ ନାରଦପୁର ପଞ୍ଚାୟତରେ ୨ଜଣଙ୍କ ଜୀବନ ଯାଇଛି। ବଳଭଦ୍ରପୁର ଗାଁରେ ବଜ୍ରପାତରେ ଜଣଙ୍କର ଜୀବନ ଯାଇଛି। ମୃତ ମହିଳା ଜଣକ ହେଲେ ଉର୍ମିଳା ମୁଦି। ସେ ନାରଦପୁର ବ୍ୟାଙ୍କରୁ ଫେରିବା ବେଳେ ବଜ୍ରପାତ ଯୋଗୁ ମୃତ୍ୟୁ ହୋଇଛି। ଉର୍ମିଳାଙ୍କ ସହ ଆସୁଥିବା ଆଉ ଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି। ଏପଟେ ନାରଦପୁର ପଞ୍ଚାୟତର ସରୁପତଳା ଗାଁର ଜଣେ ମହିଳା ନିଜ ବାଡିରେ କାମ କରୁଥିବା ବେଳେ ବଜ୍ରାଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ବାଲେଶ୍ୱର ସଦର ବ୍ଲକ କୁଶୁଡ଼ିହା ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ଓ ବର୍ଷା ସାଙ୍ଗକୁ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ଜୋରରେ ପବନ ବହିବାରୁ ଅନେକ ଗୁଡିଏ ଗଛ ଭାଙ୍ଗିଯାଇଛି। କିଛି ସ୍ଥାନରେ ଘରର ଛପର ମଧ୍ୟ ଉଡିଯାଇଛି ଘଣ୍ଟାପ୍ରତି ପ୍ରାୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିଥିଲା।

ସେହିପରି କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସ୍ଥାନରେ କୈଳବୈଶାଖୀ ବର୍ଷା ହୋଇଛି ପବନ ସହ ବର୍ଷା ହେବାରୁ ବହୁ ଚାଷ ଜମିରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଏପଟେ ଆଜି ଅପରାହ୍ଣରେ ଭଦ୍ରକରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି। ଗତକାଲି ମଧ୍ୟ ଭଦ୍ରକରେ ବର୍ଷା ହୋଇଥିଲା ଫଳରେ ଗରମରୁ ଆଶ୍ୱସ୍ତି ପାଇଛନ୍ତି ଭଦ୍ରକ ବାସୀ। ସେପଟେ ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଜୋରରେ ପବନ ବହିବା ସହ ବର୍ଷା ହୋଇଛି। ଅଣ୍ଡାଳି ଜାମବାହଲ ପଞ୍ଚାୟତର ବଡମାଲ ଗାଁରେ ବର୍ଷା ଓ ପବନ ଯୋଗୁ ମାଟି ଘର ଧସି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଥେଦର ଟପ୍ପୋ।

Leave A Reply