ଅମୂଲ୍ୟ କୁମାର ପଣ୍ଡା , ଅରଙ୍ଗାବାଦ, ବରୀ, ଯାଜପୁର : ପ୍ରତ୍ୟେକ ବର୍ଷ ଜ୍ୟୈଷ୍ଠ ମାସ ଶୁକ୍ଳପଞ୍ଚମୀ ତିଥିରେ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଧୁମ୍ ଧାମ୍ ରେ କରାଯାଇ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ I ଭକ୍ତ ମାନେ ଉଭୟ ଶିବ ପାର୍ବତୀଙ୍କ ପିତା ମାତା ହୋଇ ବୈଦିକ ରୀତିରେ ବିବାହ କାର୍ଯ୍ୟ ସମାପନ କରନ୍ତି । ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶିବଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ବରଯାତ୍ରୀ ପଟୁଆର ସହ ତେଲିଙ୍ଗି ବାଜା ବଜାଇ ଅର୍ଥାତ୍ ରୋଷଣୀ କରି ମାଆ ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ । ରଙ୍ଗ ବେରଙ୍ଗ ଫୁଲର ସୁଶୋଭିତ ରଥରେ ଶିବ ଓ ପାର୍ବତୀଙ୍କୁ ଅଣାଯାଏ । ମଧ୍ୟରାତ୍ରୀରୁ ଏଇ ପଟୁଆର ଆରମ୍ଭ ହୋଇ ପରଦିନ ଦ୍ୱିପ୍ରହର ବେଳକୁ ଶିବପାର୍ବତୀଙ୍କ ଏହି ପବିତ୍ର କାର୍ଯ୍ୟକ୍ରମ ସମାପନ କରାଯାଏ ଯାହାକୁ ଶୀତଳଷଷ୍ଠୀ କୁହଯାଏ।
ପୌରାଣିକ କଥାବସ୍ତୁ ଓ ଶିବ ପୁରାଣ ଅନୁସାରେ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷପ୍ରଜାପତି ମାତା ସତୀଙ୍କୁ ପୁତ୍ରୀ ରୂପେ ପ୍ରାପ୍ତ କରିଲେ । ସତୀ ବିବାହ ବୟସ ହେବା ଉତ୍ତାରୁ ପିତାଙ୍କ ଅନିଚ୍ଛାରେ ସତ୍ତ୍ୱେ ମାତା ସତୀ ଦେବ ଦେବ ମହାଦେବ ଶିବଙ୍କୁ ବିବାହ କରିଲେ । ପରବର୍ତ୍ତୀ ସମୟରେ ଏକ ଯଜ୍ଞ ଆୟୋଜନ ରେ ଦକ୍ଷପ୍ରଜାପତି ଦେବୀ ସତୀ ଓ ଶିବଙ୍କ ଉପରେ କ୍ଷୁବ୍ଧ ହୋଇ କୈଳାଶରୁ ଝିଅ ଜ୍ୱାଇଁଙ୍କୁ ଆମନ୍ତ୍ରଣ କରିଲେ ନାହିଁ । ମହାଦେବଙ୍କ ଅନିଚ୍ଛା ସତ୍ତ୍ୱେ ପ୍ରଭୁ ଶିବଙ୍କ ଠାରୁ ଆଜ୍ଞା ପାଇ ଦେବୀ ସତୀ ବାପ ଘରକୁ ବିନା ନିମନ୍ତ୍ରଣ ରେ ଆସି ଯଜ୍ଞ ସ୍ଥଳରେ ପହଁଞ୍ଚିଲେ । ସତୀ ଙ୍କୁ ଦେଖି ଯଜ୍ଞ ସ୍ଥଳରେ ଦକ୍ଷପ୍ରଜାପତି ଉତକ୍ଷୀପ୍ତ ହୋଇ ସର୍ବ ସମ୍ମୁଖରେ ମହାଦେବ ଶିବଙ୍କର ଘୋର ଅପମାନ ଓ ତିରସ୍କାର କରିଲେ ଯାହାକୁ ସତୀ ସହି ନପାରି ନିକଟରେ ଥିବା ଯଜ୍ଞକୁଣ୍ଡରେ ଝାସ ଦେଇ ପ୍ରାଣତ୍ୟାଗ କରିଲେ ।
ସତୀଙ୍କ ଯଜ୍ଞକୁଣ୍ଡରେ ଝାସଦେବା ଶୁଣି ମହାଦେବଙ୍କ ତୃତୀୟ ଭୟଙ୍କର ବିନାଶକାରୀ ନୟନ ଖୋଲିଗଲା ଆଉ ସେ ସଂଗେ ସଂଗେ ଉକ୍ତ ଯଜ୍ଞସ୍ଥଳକୁ ଆସି ଦକ୍ଷପ୍ରଜାପତି ଙ୍କ ମୁଣ୍ଡ କାଟି ବଦ୍ଧ କରି ଯଜ୍ଞ କୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେଲେ ଆଉ ସେଠାରୁ ସତୀଙ୍କ ଅର୍ଦ୍ଧଦଗ୍ଧ ଶବକୁ କାନ୍ଧରେ ପକାଇ ତାଣ୍ଡବ ନୃତ୍ୟ କରି ଚାରିଆଡେ ଘୁରିବୁଲିଲେ, ଯାହା ଫଳରେ ପୃଥିବୀରେ ବିନାଶକାରୀ ପ୍ରଳୟ ହେଲା । ଶେଷରେ ସମସ୍ତ ଦେବତା ଙ୍କ ପ୍ରାର୍ଥନାରେ ଗୋଲକବିହାରୀ ଭଗବାନ ବିଷ୍ଣୁ ନିଜ ସୁଦର୍ଶନ ଚକ୍ରଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଶିବଙ୍କ ଠାରୁ ଅଲଗା କରିଦେଲେ ଆଉ ଶିବ ପାର୍ବତୀଙ୍କ ଶରୀର ନ ଦେଖି କୈଳାଶ କୁ ଫେରି ଗଲେ ଆଉ ସେହି କ୍ରୋଧ ଜର୍ଜରିତ ଅବସ୍ଥାରେ ଧ୍ୟାନ ରେ ବସିଲେ । ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକାସୁର ନାମି ଜଣେ ଅସୁର ପୃଥିବୀ ଉପରେ ଅତ୍ୟାଚାର କଲା । ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶିଲେ ।
ମାତ୍ର ବ୍ରହ୍ମା, ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ତାରକାସୁରକୁ ବଧ କରିବ ବୋଲି ପ୍ରକାଶ ପରେ ଦେବତାମାନେ ଆଦିଶକ୍ତି ମାତା ପାର୍ବତୀଙ୍କୁ ତପସ୍ୟା କରିଲେ । ଦେବଗଣଙ୍କ କଠୋର ତପସ୍ୟା ଯୋଗୁଁ ମାତା ପାର୍ବତୀ ଗିରିରାଜ ହିମାଳୟଙ୍କ ଘରେ ଜନ୍ମ ହେଲେ। ପିଲାବେଳରୁ ମାତା ପାର୍ବତୀ ଶିବଙ୍କୁ ଉପାସନା କଲେ ତାଙ୍କୁ ପତିରୂପେ ପ୍ରାପ୍ତି ପାଇଁ । ଆଉ ସେହି ପବିତ୍ର ଦିନ ଉପସ୍ଥିତ ହେଲା। ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହେଲା । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ଶାନ୍ତ ଶୀତଳ ହୋଇଗଲେ । ଦେବ ଦମ୍ପତିଙ୍କ ଏହି ମହାମିଳନକୁ ଲୋକାଚାରରେ ଶୀତଳଷଷ୍ଠୀ ଭାବେ ପାଳନ କରାଯାଏ
ଶିବ ଓ ପାର୍ବତୀ ଶାନ୍ତିର ବାର୍ତ୍ତା ବହନ କରେ । ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ । ଅପୂର୍ବ ନୈସର୍ଗିକ ପରିବର୍ତ୍ତିତ ପରିସ୍ଥିତିରେ ଭକ୍ତ ମାନେ ଦେବଦମ୍ପତିଙ୍କୁ ସାଦର ସଭକ୍ତି ସ୍ୱାଗତ କରିଥାନ୍ତି । ଶୀତଳଷଷ୍ଠୀ ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ । କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ, ଠିକ୍ ସେହିପରି ବୈଦିକ ରୀତିରେ ଶିବଙ୍କ ସହିତ ମାତା ସତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ରୀତିନୀତି ଅନୁସାରେ କନ୍ୟା ଅନ୍ୱେଷଣ, ନିବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦିରେ ଦେବଦମ୍ପତିଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟା ଦାନ ଓ ଯାନି ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପନ୍ନ କରାଯାଏ । ଓଡ଼ିଶାର ସମ୍ବଲପୁର ଶୀତଳଷଷ୍ଠୀରେ ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ ଅତ୍ୟନ୍ତ ଆକର୍ଷଣୀୟ । ଦେବଦମ୍ପତିଙ୍କ ଏହି ବିବାହ ଉତ୍ସବ ପ୍ରକ୍ରିୟା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ। ଏହି ଶୀତଳଷଷ୍ଠୀ ଆମ ପରମ୍ପରା ଓ ସଂସ୍କୃତିର ଏକ ମହାନ ଅଙ୍ଗ। ଏହାକୁ ନେଇ ଆମେ ଗର୍ବ କରୁ। ପ୍ରକୃତରେ ଆମ ଓଡିଶାର ଏହି ପରମ୍ପରା ଖାଲି ଭାରତବର୍ଷ ନୁହେଁ ସମଗ୍ର ପୃଥିବୀରେ ଏକ ସ୍ଵତନ୍ତ୍ରତା ବହନ କରେ।
Comments are closed.