ବିଶ୍ୱବିଖ୍ୟାତ ଶିମିଳିପାଳ ଅଭୟାରଣ୍ୟରେ ଗତ କିଛିଦିନ ଧରି ଅଗ୍ନିକାଣ୍ଡ ଯୋଗୁଁ ଅଭୟାରଣ୍ୟ ହୁ ହୁ ହୋଇ ଜଳୁ ଥିବାବେଳେ ଏହାର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିଛି ଭଞ୍ଜସେନା । ଏନେଇ ମୟୂରଭଞ୍ଜ ଜିଲ୍ଲାର ସାଂସଦ ଓ ବିଧାୟକ ମାନେ ଚୁପ୍ଚାପ୍ ହୋଇ ବସି ରହିବା ତଥା ଅପାରଗ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ହେଳା ପାଇଁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଭଞ୍ଜସେନା ପକ୍ଷରୁ ଅଭିଯୋଗ ହେବା ସହ ଏନେଇ ହୋଟେଲ ଦିବ୍ୟା ପ୍ୟାଲେସ ସମ୍ମିଳନୀ କକ୍ଷରେ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜସେନା ବର୍ଷିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଭଞ୍ଜସେନା ପ୍ରତିଷ୍ଠାତା ତଥା ଉତ୍ତର ଓଡିଶା ପର୍ଯ୍ୟଟନ ବିକାଶ ପରିଷଦ ସଭାପତି କଳିଙ୍ଗ କେଶରୀ ଜେନା ଯୋଗଦେଇ ଅଗ୍ନିକାଣ୍ଡକୁ ତୁରନ୍ତ ରୋକାଯିବା ଓ ଶିମିଳିପାଳର ପୂର୍ବ ଗୌରବ ଗାରିମାକୁ ଫେରାଇ ଆଣିବା ସହିତ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ୱରେ ଥିବା ବନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ୭୨ଘଣ୍ଟା ମଧ୍ୟରେ ଶିମିଳିପାଳ ସୁରକ୍ଷା ଦାୟିତ୍ୱରୁ ବିତାଡିତ ନକଲେ ଆସନ୍ତା ସୋମବାର ୮ତାରିଖ ଦିନ ଏନ୍ଏଚ୍ ୧୮ ଓ ଏନ୍ଏଚ୍ ୪୯ ନମ୍ବର ଜାତୀୟ ରାଜପଥ ଉପରେ ବିଭିନ୍ନ ସ୍ଥାନରେ ଭଞ୍ଜସେନା ପକ୍ଷରୁ ହରତାଳ କରାଯିବା ସହ ଆବଶ୍ୟକ ପଡିଲେ ସମଗ୍ର ମୟୂରଭଞ୍ଜ ଜିିଲ୍ଲାରେ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ ଯୋଗଦେଇ ଏହି ଶିମିଳିପାଳର ଅଗ୍ନିକାଣ୍ଡ ମନୁଷ୍ୟକୃତ ଯୋଗୁଁ ଘଟିଛି ଓ ଶିକାରୀମାନଙ୍କ ଅବାଦ ପ୍ରବେଶ ଯୋଗୁଁ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କ ଶିମିଳିପାଳ ସରୁକ୍ଷା ନେଇ ଉଦାସିନତା ମନୋଭାବ ଯୋଗୁଁ ଏହିପରି ଅଗ୍ନିକାଣ୍ଡ ହେଉଅଛି । ତେଣୁ ତାଙ୍କୁ ତୁରନ୍ତ ବଦଳି କରାଯିବା ପାଇଁ ଦାବି କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଜେନାଙ୍କ ସହ ଅଧ୍ୟକ୍ଷ ସତ୍ୟସ୍ୱରୂପ ଦାସ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ସଭାପତି ପିଣ୍ଟୁ ମାଇତି, ଆଦିବାସୀ ସେଲ୍ ସଭାପତି ବାଜୁନ୍ ହାଁସଦାଃ, ସଂଯୋଜକ ରାକେଶ ବେହେରା, ଉପସଭାପତି ଜିତେନ୍ଦ୍ର ହେମ୍ବ୍ରମ, ପାଞ୍ଚପୀଢ ସଭାପତି ଦିପକ ମହାନ୍ତ ଓ ବାରିପଦା ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଳ ପ୍ରମୁଖ ଉପସ୍ଥିତ ଥିଲେ ।