ଠାକୁରମୁଣ୍ଡା ତା ୨୧/୦୭ : ଶିକାରୀ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରେ ପଶି ବନ୍ଧୁକ ସାହାଯ୍ୟରେ ବନକର୍ମଚାରୀ ଙ୍କୁ ହତ୍ୟା ସହିତ ଜନ୍ତୁ ଶିକାର ବଢୁ ଥିବାରୁ ଏହାକୁ ପ୍ରତିହତ କରିବାକୁ ବନ ବିଭାଗ ଓ ପୋଲିସ ବିଭଗ ମିଳିତ ଭାବରେ ଉଦ୍ୟମ ଆରମ୍ଭ କରିଛନ୍ତି।ଏଥିପାଇଁ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ଦେଶୀ ବନ୍ଧୁକ ସମର୍ପଣ ଅଭିଯାନ ଆରମ୍ଭ କରାଯାଇଛି।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ବନ ବିଭାଗ ଓ ପୋଲିସ ବିଭାଗ ମିଳିତ ଭାବରେ ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ପରିସର ରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏକ ବୈଠକ ର ଆୟୋଜନ କରାଯାଇଥିଲା।ବୈଠକରେ ସରପଞ୍ଚ, ସମିତି ସଭ୍ୟ ,ୱାର୍ଡ ସଭ୍ୟ,ସ୍ଥାନୀୟ ଲୋକ ମାନେ ଉପସ୍ଥିତ ରହି ଥିଲେ।ବୈଠକରେ ମୁଖ୍ୟ ଅତିଥି ଭାବରେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ଗକୁଳାନନ୍ଦ ନାଏକ ଯୋଗ ଦେଇଥିଲେ। କରଞ୍ଜିଆ ବନଖଣ୍ଡ ଏସିଏଫ ଫାଲଗୁନି ବେହେରା,ଓ ମଦନ ମହାନ୍ତ, ଠାକୁରମୁଣ୍ଡା ଆଈ ଆଈ ସି ରଞ୍ଜୁ ହସିନା କୁଲୁ,ଠାକୁରମୁଣ୍ଡା ରେଞ୍ଜର କିଶୋର ପାଣିଗ୍ରାହୀ,ଠାକୁରମୁଣ୍ଡା ବନ୍ୟ ପ୍ରାଣୀ ରେଞ୍ଜର ଦୁର୍ଗା ଚରଣ ବାସ୍କେ, କେନ୍ଦୁମୁଣ୍ଡି ରେଞ୍ଜର ଘାସିନାଥ ପାତ୍ର, ଯୋଗ ଦେଇଥିବା ବେଳେ ଠାକୁରମୁଣ୍ଡା ସରପଞ୍ଚ ଆଲୋକ ଦଙ୍ଗ,ତରାମରା ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ,ସାଲେଇବେଡା ସରପଞ୍ଚ ପେଲଙ୍ଗ ହୋ,ହାତୀଗୋଡ଼ା ସରପଞ୍ଚ ଦଶମା ସୟ ପ୍ରମୁଖ ଉପସ୍ଥିତ ଥିଲେ। ବେଆଇନ ଭାବେ ଘରେ ବନ୍ଧୁକ ରଖିବା ଦଣ୍ଡନୀୟ ଅପରାଧ ଅଟେ ।ଏଣୁ ବନ୍ଧୁକ ରଖିଥିବା ବ୍ୟକ୍ତି ମାନେ ଆସନ୍ତା ଜୁଲାଇ ମାସ ୩୧ ତାରିଖ ପୂର୍ବରୁ ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ମାଧ୍ୟମରେ ଖୁଣ୍ଟା, ଉଦଳା, କପ୍ତିପଦା,ଠାକୁରମୁଣ୍ଡା, ଯଶିପୁର,ବାଙ୍ଗିରିପୋଷି, ବାରିପଦା ସଦର ଥାନାରେ ବନ୍ଧୁକ ସମର୍ପଣ କରିଦେବାକୁ ମିଳିତ ବିଭାଗ ପକ୍ଷରୁ ଅନୁରୋଧ ରଖାଯାଇଛି।ବନ୍ଧୁକ ସମର୍ପଣ କରିଥିବା ଵ୍ୟକ୍ତି ଙ୍କୁ କୌଣସି ପ୍ରକାର ଦଣ୍ଡ ଦିଆଯିବ ନାହିଁ ବୋଲି ସୂଚନା ପ୍ରଦାନ କରାଯାଇଛି।ଏନେଇ ମିଳିତ ବିଭାଗ ପକ୍ଷରୁ ଏକ ସଚେତନତା ରଥ ବିଭିନ୍ନ ଗ୍ରାମ ପରିକ୍ରମା କରୁଛି।
