ଭୁବନେଶ୍ୱର : ଶୁକ୍ରବାର ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ଟ୍ରାଫିକ୍ କଟକଣା କରାଯାଇଛି। ମାଉସୀ ମା’ ମନ୍ଦିରରୁ ରଥ ରୋଡ୍କୁ ଯାଇଥିବା ରାସ୍ତାରେ କୌଣସି ୪ ଚକିଆ ଯାନ ଛଡ଼ା ଯିବନାହିଁ। ଏହି ରାସ୍ତାରେ କେବଳ ଭିଆଇପି ଗାଡ଼ିଗୁଡ଼ିକ ତିନିମୁଣ୍ଡିଆ ଓ ବଢ଼େଇବାଙ୍କ ଦେଇ ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ବାର ପର୍ଯ୍ୟନ୍ତ ଯାଇ ପାରିବେ। ଅନ୍ୟ ସମସ୍ତ ଯାନ ବିବେକାନନ୍ଦ ମାର୍ଗରେ ସାନିଟୋରିୟମ ଛକ ଦେଇ କାଚରାପିଣ୍ଡି ପରେ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟପାର୍ଶ୍ବରେ ପାର୍କିଂ କରିବେ।
ବିନ୍ଦୁସାଗର ପଟୁ ଭଜନ ମଣ୍ଡପକୁ କୌଣସି ଗାଡ଼ି ଛଡ଼ା ଯିବନାହିଁ। ହାଟସାହି ଛକରୁ ଭଜନ ମଣ୍ଡପ, ଭଜନ ମଣ୍ଡପରୁ ବଢ଼େଇବାଙ୍କ, ସିଂହଦ୍ବାର ଠାରୁ ଇଲେକ୍ଟ୍ରି ସବ୍ଷ୍ଟେସନ ବ୍ଲକିଂ ସ୍ଥାନ ପର୍ଯ୍ୟନ୍ତ ରାସ୍ତାକୁ ପଦଚାରୀ ଜୋନ୍ ଭାବରେ ଘୋଷଣା କରାଯାଇଛି।
ରବି ଟକିଜ୍ ପଟୁ ଆସୁଥିବା ସମସ୍ତ ଗାଡ଼ି କାଚରାପିଣ୍ଡି ଦେଇ ରାସ୍ତାର ଉଭୟ ପାର୍ଶ୍ବରେ ପାର୍କିଂ କରିବେ। ବାଇକ୍ଗୁଡ଼ିକ କାଚରାପିଣ୍ଡିରୁ କୋଟିତୀର୍ଥ ଗଳିରୁ ବାମକୁ ଯାଇ ଅନନ୍ତ ବାସୁଦେବ ମନ୍ଦିର ଉତ୍ତରପାର୍ଶ୍ବରେ ପାର୍କିଂ କରିବେ। ଗ୍ୟାରେଜ୍ ଛକ ଓ ସାମନ୍ତରାପୁର ଆଡୁ ଆସୁଥିବା ବସ୍ ସମେତ ସମସ୍ତ ଗାଡ଼ି ଇଲେକ୍ଟ୍ରି ସବ୍ଷ୍ଟେସନ ଦେଇ ବିଏମ୍ସି ମାର୍କେଟ୍ କମ୍ପ୍ଲେକ୍ସରେ ପାର୍କିଂ କରିବେ। କେଉଟ ସାହି ପଟୁ ଆସୁଥିବା ଗାଡ଼ି କେଦାରଗଳି ତାରିଣୀ ରିସର୍ଟ ଓ ଇଲେକ୍ଟ୍ରି ସବ୍ଷ୍ଟେସନ ଦେଇ ଏହି ପାର୍କିଂ ଜାଗାକୁ ଯିବେ। ଦକ୍ଷିଣକାଳୀ ମନ୍ଦିର ରାସ୍ତା ଓ ତାରାସୁନ୍ଦରୀ ରାସ୍ତା ପଟୁ ଆସୁଥିବା ସମସ୍ତ ଗାଡ଼ି ଏସ୍ଏମ୍ ହାଇସ୍କୁଲ ଓ ବିଏମ୍ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ।
ପୁନାମା ଗେଟ୍ ପଟୁ ଆସୁଥିବା ୪ ଚକିଆ ଯାନ ଜମ୍ବେଶ୍ବର ପାଟଣା ଛକରୁ ବଢ଼େଇବାଙ୍କ ଛକକୁ ଆସି ପାରିବେ ନାହିଁ। ଏଗୁଡ଼ିକ ଆରଆଇ ଅଫିସ ପଡ଼ିଆରେ ପାର୍କିଂ କରିବେ। ଏହି ଦିଗରୁ ଆସୁଥିବା ଓ ରଥ ରୋଡ୍ରୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ବଢ଼େଇବାଙ୍କ ଛକ ଦେଇ ଏସ୍ଏମ୍ ହାଇସ୍କୁଲ ଓ ବିଏମ୍ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ। ଗୁରୁବାର ରାତି ୨ଟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ଏହି କଟକଣା ରହିବ।