ରାଜ୍ୟରେ ସ୍କୁଲ ମିଶ୍ରଣ ନିଷ୍ପତ୍ତିକି ବଦଳାଇଛନ୍ତି ରାଜ୍ୟ ସରକାର । ବିଧାନ ସଭାରେ ବିରୋଧୀଙ୍କ ପ୍ରବଳ ବିରୋଧ ପରେ ସ୍କୁଲ ଏକତ୍ରୀକରଣ ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଫଳରେ ସିଡୁଲ୍ ଏରିଆରେ ୨୦ ପରିବର୍ତ୍ତେ ୧୫ରୁ କମ୍ ପିଲାଥିବା ସ୍କୁଲର ଏକତ୍ରୀକରଣ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ରାଜ୍ୟର ୧୪ହଜାରରୁ ଅଧିକ ସ୍କୁଲ ବନ୍ଦ ହେବ ବୋଲି ଗତକାଲି ବିଧାନସଭାରେ ଏହା ଉପରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ସରକାର ଏହି ନିଷ୍ପତ୍ତିର ପରିବର୍ତ୍ତନ କରିଥିଲେ । ଶିକ୍ଷାକୁ ଆଗକୁ ନେବାକୁ ଓ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲା । ଆହୁରି ମଧ୍ୟ କୁହାଯାଇଥିଲା ଯେ, ଜାତୀୟ ଶିକ୍ଷାନୀତି ଓ କେନ୍ଦ୍ର ସରକାରଙ୍କ ନଦେ୍ର୍ଦଶ ଅନୁଯାୟୀ ରାଜ୍ୟ ସରକାର ଏହି ପକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଶିକ୍ଷା ଅଧିକାର ଆଇନ ଅନୁସାରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷାର ମାନ ବଢାଇବା ପାଇଁ ଏହି ପ୍ରୟାସ କରାଯାଉଛି ।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୭ରେ ରାଜ୍ୟ ସରକାର ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ, ନନ୍ସିଡୁଲ୍ ଏରିଆରେ ୪୦ପିଲା ଏବଂ ସିଡୁଲ୍ ଓ କେବିକେ ଏରିଆରେ ସର୍ବନିମ୍ନ ୨୫ ପିଲା ରହିବା କଥା ।ପିଲା ସଂଖ୍ୟା ଏଥିରୁ କମ୍ ହେଲେ ସ୍କୁଲ ବନ୍ଦ କରାଯାଇପାରିବ । ଏବେ ରାଜ୍ୟରେ ଥିବା ୧୪,୩୮୨ ସ୍କୁଲରେ ୪୦ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି । ସେଥିମଧ୍ୟରୁ ବିଭିନ୍ନ କଥା ବିଚାର କରି ଜିଲ୍ଲା ସ୍ତରରୁ ୮୨୭୨ ସ୍କୁଲ ମିଶ୍ରଣ ପ୍ରସ୍ତାବ ଆସିଥିଲା । ରାଜ୍ୟସ୍ତରର କମିଟି ଏହା ଉପରେ ତର୍ଜମାକରି ୭୭୭୨ ସ୍କୁଲରେ ପକ୍ରିୟାକରଣ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତାବ ଦେଇଛନ୍ତି । ଏହି ୭୭୭୨ ସ୍କୁଲରୁ ୬୦୪୮ସ୍କୁଲରେ ୨୦ରୁ କମ୍ ଏବଂ ୧୭୨୪ ସ୍କୁଲରେ ୨୫ରୁ କମ୍ ପିଲା ଅଛନ୍ତି । ତେବେ ଗୃହରେ ବିଧାୟକଙ୍କ ଉଦ୍ବେଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି କୋହଳ କରିବେ । ସିଡୁଲ୍ ଏରିଆରେ ୨୦ ପରିବର୍ତ୍ତେ ୧୫ ସଂଖ୍ୟାରେ କରିବା ପାଇଁ ରାଜ୍ୟସରକାର ନିଶ୍ଚିତ ଭାବେ ନିଷ୍ପତ୍ତି ନେବେ । ସେ ପୁଣି କହିଛନ୍ତି ଯେ, ସରକାର ସ୍କୁଲ ବନ୍ଦ କରିନାହାନ୍ତି । ଛୋଟଛୋଟ ସ୍କୁଲକୁ ଏକତ୍ରିକରଣ କରି ବୃହତ୍ତ ସ୍କୁଲ ପରିଣତ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଆମ ଶିକ୍ଷା ବ୍ୟବସ୍ଥା କଥା ଆଲୋଚନା କଲେ ଜଣାପଡେ ଯେ, ସ୍ୱାଧୀନତା ପରେ ଅନେକ କମିଶନ ଶିକ୍ଷା କ୍ଷେତ୍ରରେ ବସିଛି । ମାତ୍ର ଶିକ୍ଷା ବ୍ୟବସ୍ଥାର ସେପରି କିଛି ଆଖିଦୃଶିଆ ପରିବର୍ତ୍ତନ ଘଟିନାହିଁ । ଶିକ୍ଷାର ବିକାଶ ପାଇଁ ଆବଶ୍ୟକ ହେଉଥିବା ଅର୍ଥର ଅଭାବ ହିଁ ଏହାର ପ୍ରମୁଖ କାରଣ । ବିଭିନ୍ନ ସମୟରେ ଗଠନ କରାଯାଇଥିବା ଶିକ୍ଷା କମିଶନ ଓ ଶିକ୍ଷା କମିଟିର ସୁପାରିଶ ହେଉଛି ଶିକ୍ଷା ବାବଦରେ ବ୍ୟୟ ବରାଦ ବୃଦ୍ଧି କରିବା ପାଇଁ । ଏସବୁ କମିଶନ ଓ କମିଟିର ସୁପାରିଶ ଶୀତଳ ଭଣ୍ଡାରରେ ପଡିରହିିଛି । ୧୯୬୪ ମସିହାରେ ଗଠିତ କୋଠାରି କମିଶନ କେନ୍ଦ୍ର ବଜେଟ୍ର ୧୦ ଭାଗ ଓ ରାଜ୍ୟ ବଜେଟ୍ର ୩୦ ଭାଗ ଶିକ୍ଷାକ୍ଷେତ୍ରରେ ବ୍ୟୟ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ । କିନ୍ତୁ ଏଯାବତ୍ କୌଣସି ଯୋଜନାରେ ଶିକ୍ଷା ପାଇଁ କେନ୍ଦ୍ର ବଜେଟ୍ର ୪ ଭାଗ ଓ ରାଜ୍ୟ ବଜେଟ୍ର ୨୪ ଭାଗ ଅତିକ୍ରମ କରିପାରିଲା ନାହିଁ । କାରଣ ଆମ ଦେଶ ତଥା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବ୍ୟୟକୁ ବୋଝ ବୋଲି ବିବେଚନା କରାଯାଏ, ପରିସମ୍ପତ୍ତି ନୁହେଁ ।
ବିଶେଷକରି ୧୯୯୦ ଦଶକ ପରଠାରୁ ଆମ ଦେଶ ଜଗତୀକରଣକୁ ଆପଣେଇ ନେଲାପରେ ଶିକ୍ଷାକ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ବହୁଳ ଭାବରେ ପରିଲକ୍ଷିତ ହୋଇଛି । ଏହାର ପ୍ରଭାବ ଆମ ରାଜ୍ୟରେ ମଧ୍ୟ ଅନୁଭୂତ ହୋଇଛି ।
ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ହେଉଛି ପ୍ରାଥମିକ ଶିକ୍ଷା ।ଏହା ଉପରେ ରାଜ୍ୟର ମାଧ୍ୟମିକ ଉଚ୍ଚଶିକ୍ଷାର ଭବିଷ୍ୟତ ନିର୍ଭର କରେ । ମାତ୍ର ପ୍ରାଥମିକ ଶିକ୍ଷାର ସ୍ଥିତି ଅତି ଦୟନୀୟ । ଏହାର ପ୍ରମୁଖ କାରଣ ହେଉଛି ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ । ଶିକ୍ଷା ଅଧିକାର ଆଇନ ଅନୁସାରେ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରେ ୨ ଲକ୍ଷ ୨୪ ହଜାର ୩୩୦ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଅଛନ୍ତି ୧ ଲକ୍ଷ ୧୫ ହଜାର ୮୩୩ ଜଣ ନିୟମିତ ଶିକ୍ଷକ । ବଳକା ୧ ଲକ୍ଷ ୮ ହଜାର ୪୯୭ ଜଣ ନିୟମିତ ଶିକ୍ଷକ ପଦବୀ ସ୍ଥାନରେ ୭୩ ହଜାର ୭୩୬ ଜଣ ନିୟମିତ ଶିକ୍ଷା ସହାୟକ ଓ ଗଣଶିକ୍ଷକଙ୍କୁ ନେଇ ଶିକ୍ଷା ବ୍ୟବସ୍ଥା ଚଲାଇଛନ୍ତିି ।
ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେବା ତ ଦୂରର କଥା, କେଉଁଠି ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ ତ ଆଉ କେଉଁଠି ୭ଟି ଶ୍ରେଣୀକୁ ଦୁଇ ବା ତିନି ଜଣ ଶିକ୍ଷକରେ ସ୍କୁଲ ଚାଲିଛି ।ସେହିପରି ଭିତ୍ତିଭୂମିର ଅଭାବ ଶିକ୍ଷାର ବିକାଶରେ ଏକ ପ୍ରମୁଖ ସମସ୍ୟା ରୂପେ ଉଭାହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଜୁଳି ଆଲୋକ, ସୁସ୍ଥ ଶିକ୍ଷଣୀୟ ପରିବେଶ ଭଳି ଆବଶ୍ୟକତାକୁ ପୂରଣ କରାଯାଇପାରିନାହିଁ । ‘ଓପେପା’ ତରଫରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ଥିବା ମୋଟ ୫୧ ହଜାର ୯୪ଟି ସ୍କୁଲ ମଧ୍ୟରୁ ୧୨ ହଜାର ୩୬୪ଟି ସ୍କୁଲରେ ଶୌଚାଳୟ ନାହିଁ । ୫୦ ପ୍ରତିଶତରୁ ଅଧିକ ସ୍କୁଲରେ ବାଳକ ଓ ବାଳିକାଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ନାହିଁ । ସେହିପରି ୪୧ ହଜାର ୩୮୨ଟି ସ୍କୁଲରେ ଖେଳପଡିଆ ନଥିଲା ବେଳେ ୪୩ ହଜାର ସ୍କୁଲକୁ ବିଦୁ୍ୟତ୍ ସଂଯୋଗ ନାହିଁ ।
୧୨ ହଜାର ୨୦୦ ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ରୋଷେଇଘର ନଥିଲା ବେଳେ ୧୮ ହଜାର ୫୦୦ ସ୍କୁଲରେ ପାଚେରୀ ନାହିଁ । ସବୁଠାରୁ ପରିତାପର ବିଷୟ ଯେ ୩୫୦ ସ୍କୁଲର ନିଜସ୍ୱ ଘର ନାହିଁ । ଗୋଟିଏ ପଟେ ଶିକ୍ଷକମାନଙ୍କର ଅଭାବ ଓ ଅନ୍ୟପଟେ ଭିତ୍ତିଭୂମିର ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଦକ୍ଷତା ହ୍ରାସ ପାଇବାରେ ଲାଗିଛି । ‘ପ୍ରଥମା’ ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁଯାୟୀ ୫୩.୩ ପ୍ରତିଶତ ପ୍ରଥମ ଶ୍ରେଣୀ ପିଲା ଦ୍ୱିତୀୟ ଶ୍ରେଣୀର ଗଣିତ କରିବାକୁ ସକ୍ଷମ ନୁହନ୍ତି । ସେହିପରି ୪୫.୮ ପ୍ରତିଶତ ପ୍ରଥମ ଶ୍ରେଣୀ ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢି ପାରନ୍ତି ନାହିଁ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ସରକାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ପୁଷ୍ଟିକର ଅଣ୍ଡା, ମାଗଣାରେ ପାଠ୍ୟ ପୁସ୍ତକ, ପୋଷାକ ଯୋଗାଇ ଦେଉଛନ୍ତି । ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି । ଏସବୁ ସତ୍ତ୍ୱେ ସର୍ବଶିକ୍ଷା ଅଭିଯାନ ଦିଗହରା ହୋଇଛି । ଏପରିକି ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବାର ୧୦ ବର୍ଷ ପରେ ବି ଏ କ୍ଷେତ୍ରରେ ସୁଧାର ଆସି ପାରିନାହିଁ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଲା ଶିକ୍ଷକ ମାନଙ୍କ ଭିତରେ ବର୍ଗୀକରଣ ।
ଏଇଠି ମନେପଡେ ଗତ କିଛି ବର୍ଷ ତଳେ ଏଲ୍ଲାବାଦ୍ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ ସେହି ରାୟରେ କୁହାଯାଇଥିଲା- ସବୁ ସରକାରୀ କର୍ମଚାରୀ ସେମାନଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢାଇଲେ ଶିକ୍ଷା ବ୍ୟବସ୍ଥାର ଚିତ୍ର ବଦଳିଯିବ ।ସେତେବେଳର ଉତ୍ତରପ୍ରଦେଶ ସରକାର ଏହି ନିଷ୍ପତ୍ତିକୁ ଗ୍ରହଣକରିନଥିଲେ । ଏବେ ସେ ପ୍ରସଙ୍ଗରେ ଚିନ୍ତା କରିବାର ସମୟ ଆସିଛି । ଏହା ଉପରେ ଗଭୀର ଭାବରେ ଅନୁଶୀଳନ କରିବାର ଅଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ଧରି କ୍ରମାଗତ ଅବହେଳାର ଶିକାର ହେଉଛି ସରକାରୀ ଶିକ୍ଷାନୁଷ୍ଠାନ । ଏଥିପ୍ରତି ସରକାରଙ୍କ ନିଘା ନାହିଁ । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲିଚାଲିଛି ।
ସରକାରୀ ଶିକ୍ଷାନୁଷ୍ଠାନରେ ପରିସ୍ଥିତି ଏପରି ହୋଇଛି ଯେ, କେଉଁଠି ସ୍କୁଲ ଥିଲେ ପିଲା ନାହାଁନ୍ତି ତ ଆଉ କେଉଁଠି ସ୍କୁଲ ଓ ପିଲାଥିଲେ ବି ଆବଶ୍ୟକୀୟ ଶିକ୍ଷକ ନାହାନ୍ତି, ଅଉ କେଉଁଠି ପିଲାମାନେ ବସିବା ପାଇଁ ଆବଶ୍ୟକୀୟ ଘର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ନାହିଁ । ବହୁ ଚର୍ଚ୍ଚିତ ସର୍ବ ଶିକ୍ଷା ଅଭିଯାନ, ଶିକ୍ଷା ଅଧିକାର ଆଇନ୍, ମାଗଣାରେ ମଧ୍ୟାହ୍ନ ଭୋଜନ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟକୁ ଆସିବାକୁ ଆକୃଷ୍ଟ କରିପାରୁନାହିଁ । ଏବେ ଅଭିଭାବକମାନେ ସରକାରୀ ବିଦ୍ୟାଳୟର ମୋହ ଛାଡି ବେସରକାରୀ ବିଦ୍ୟାଳୟ ମୁହାଁ ।
ଯାହାର ଫଳ ଆଜି ଦେଖିବାକୁ ମିଳୁଛି । କେବଳ ଉପସ୍ଥାନ କମ୍ ଦର୍ଶାଇ ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ । ଶିକ୍ଷା କ୍ଷେତ୍ରରେ ବାର୍ଷିକ ବଜେଟର ବ୍ୟୟ ବୃଦ୍ଧିକରିବା, ଶିକ୍ଷକ ମାନଙ୍କପାଇଁ ଉପଯୁକ୍ତ ପ୍ରଶିକ୍ଷଣ ବ୍ୟବସ୍ଥା କରିବା, ବିଦ୍ୟାଳୟ ଗୁଡିକରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ କରିବା, ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରିବା, ସ୍କୁଲ ପରିଚାଳନା କମିଟିକୁ ଅଧିକ କ୍ରିୟାଶୀଳ କରିବା ଭଳି ପଦକ୍ଷେପ ନେବାକୁ ହେବ । ଏହା ଦ୍ୱାରା ଆମ ଶିକ୍ଷା ବ୍ୟବସ୍ଥା ସୁଦୃଢ ହୋଇପାରିବ ।