କଟକ: ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଇତିହାସ ରଚିଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ୍ । କଟକ ବଡ ମେଡିକାଲରେ ଓଡ଼ିଶାର ପ୍ରଥମ କାଡଭାରିକ ଟ୍ରାନ୍ସପ୍ଲାଂଟ୍ କରାଯାଇଛି । ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ ରୋଗୀଙ୍କ ଠାରୁ କିଡନୀ ଅଣାଯାଇ କଟକ ଏସସିବିରେ କିଡନୀ ହରାଇଥିବା ରୋଗୀଙ୍କଠାରେ ପ୍ରତିରୋପଣ କରାଯାଉଛି । ଏସସିବିର ଏକ ବିଶେଷଜ୍ଞ ଦଳ ଆଜି ପ୍ରତ୍ୟୁଷରେ କିଡନୀ ପ୍ରତିରୋପଣ କରିଥିବା ସୂଚନା ମିଳିଛି । କିଡନୀ ହରାଇଥିବା ଜଣେ ପୁରୁଷ ରୋଗୀଙ୍କ ଜୀବନ ବଂଚାଇବାକୁ ଜଣେ ମୃତ ଯୁବତୀଙ୍କ କିଡନୀକୁ ଆଣି ପ୍ରତିରୋପଣ କରାଯାଇଛି । ଏହି ପ୍ରତିରେୋପଣ ଓଡ଼ିଶା ଚିକିତ୍ସା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି ।
ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗକୁ ଅନ୍ୟ ଜଣଙ୍କ ଦେହରେ ପ୍ରତିରୋପଣ କରିବା ଚିକିତ୍ସାକୁ ଡାକ୍ତରୀ ଭାଷାରେ କାଡଭାରିକ ଟ୍ରାନ୍ସପ୍ଲାଂଟ୍ କୁହାଯାଇଥାଏ । ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ସଦ୍ୟମୃତ ଘୋଷିତ ଜଣେ ଯୁବତୀଙ୍କ କିଡନୀ କାଢି ଏସସିବିକୁ ଆଣି ପ୍ରତିରୋପଣ ପାଇଁ ଅସ୍ତ୍ରୋପଚାର ଆଜି ସକାଳ ୮.୩୦ ପାଖାପାଖି ସଂପୂର୍ଣ୍ଣ ହୋଇଛି ।
ଦୁର୍ଘଟଣାରେ ଦିଗପହଣ୍ଡି ଅଂଚଳର ପ୍ରିୟଙ୍କା ପାତ୍ର ନାମ୍ନୀ ୨୨ ବର୍ଷୀୟ ଯୁବତୀ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । ତେବେ ୨୭ ତାରିଖରେ ପ୍ରିୟଙ୍କାଙ୍କ ବ୍ରେନ ଡେଡ୍ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ଚିକିତ୍ସା କରୁଥିବା ଡାକ୍ତର । ପରିବାର ଲୋକ ଯୁବତୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଜାଣିବା ପରେ ଜଣେ କିଡନୀ ହରାଇଥିବା ରୋଗୀଙ୍କୁ ବଂଚାଇବାକୁ ପଦକ୍ଷେପ ନିଆଯାଇଥିଲେ ଏସସିବିର ବିଶେଷଜ୍ଞ ଡାକ୍ତର ଦଳ । ରାଜ୍ୟରେ କାଡଭାରିକ ଟ୍ରାନ୍ସପ୍ଲାଂଟ୍ ଆରମ୍ଭ କରିବାକୁ ସରକାର କିଛି ଦିନ ତଳେ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କଟକ ବଡ ମେଡିକାଲକୁ ନୋଡାଲ ସେଂଟର କରାଯାଇଛି, ଆଉ ପ୍ରଥମ କାଡଭାରିକ ଟ୍ରାନ୍ସପ୍ଲାଂଟ ଗତ ରାତିରୁ ଆରମ୍ଭ ହୋଇଛି ।