ଡାକ୍ତର ଦିଲ୍ଲୀପ କୁମାର ମହାରଣା : ଦୈତରାଜ ହିରଣ୍ୟକଶିପୁ ବଂଶରେ ଦୁର୍ଗମ ନାମକ ଦୁଷ୍ଟ ରାକ୍ଷସ ଜନ୍ମ ହୋଇଥିଲା । ସେ ଅତ୍ୟନ୍ତ ପରାକ୍ରମୀ ଓ ନିଷ୍ଠୁର ଥିଲା । ସେ ଦେବତାମାନଙ୍କୁ ନିଜର ସବୁଠାରୁ ବଡ଼ ଶତ୍ରୁ ମନେକରୁଥିଲା । ଦେବତାମାନଙ୍କୁ ଯୁଦ୍ଧରେ ପରାସ୍ତ କରି ସ୍ୱର୍ଗ ଅଧିକାର କରିବାକୁ ଚାହୁଁଥିଲା । ବେଦଗୁଡ଼ିକ ଯୋଗୁଁ ଦେବତାମାନେ ଶକ୍ତିଶାଳୀ ଏବଂ କେବଳ ସେଗୁଡ଼ିକର ଧ୍ୱଂସ ଦ୍ୱାରା ସ୍ୱର୍ଗପୁର ଦଖଲ ସମ୍ଭବ ବୋଲି ତାଙ୍କୁ ଜଣେ ପରାମର୍ଶ ଦେଲା । ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ବିନା ବେଦଗୁଡ଼ିକ ଧ୍ୱଂସ ସମ୍ଭବ ନୁହେଁ । ତେଣୁ ଦୁର୍ଗମ ହିମାଳୟ ଯାଇ କଠୋର ତପସ୍ୟା ଆରମ୍ଭ କଲା । ଶହ ଶହ ବର୍ଷ ବିତିଗଲା । ତାର ତପସ୍ୟା ପ୍ରାବରେ ତିନି ପୁରରେ ନାହିଁ ନଥିବା ଉତ୍ତାପ ସୃଷ୍ଟି ହେଲା । ସମସ୍ତେ ଆତଙ୍କିତ ହେଲେ । ବ୍ରହ୍ମା ଦୁର୍ଗମର ନିଷ୍ଠା ଦେଖି ତାକୁ ସାକ୍ଷାତ ଦେଇ ସେ କଣ ଚାହୁଁଛନ୍ତି ବୋଲି ପଚାରିଲେ ।
ଦୁର୍ଗମ କହିଲା ହେ ପ୍ରଭୁ, ଆପଣ ଯଦି ମୋ ଉପରେ ସନ୍ତୁଷ୍ଟ ସମସ୍ତ ବେଦ ଯେପରି ମୋର ନିୟନ୍ତ୍ରଣରେ ରହିବ ଏବଂ ମୁଁ ନ ଚାହିଁଲେ କେହି ଯେପରି ବେଦ ପାଠ କରିପାରିବେ ନାହିଁ, ବ୍ୟବସ୍ଥା କରିଦିଅନ୍ତୁ । ଆହୁରି ମଧ୍ୟ ମୁଁ ଦେବତା, ମଣିଷ, ଗନ୍ଧର୍ବ, ଯକ୍ଷ ଓ ନାଗଙ୍କ ଦ୍ୱାରା ମରିବି ନାହିଁ, ଏହି ବର ଦିଅନ୍ତୁ । ବ୍ରହ୍ମା ତଥାସ୍ତୁ କହି ଅଦୃଶ୍ୟ ହୋଇଗଲେ । ବ୍ରହ୍ମାଙ୍କ ବର ଯୋଗୁଁ ମୁନିଋଷିମାନେ ତତ୍କ୍ଷଣାତ୍ ବଦେର ସମସ୍ତ ବାଣୀ ଭୁଲିଗଲେ । କେହି କିଛି ମନେପକାଇ ପାରିଲେ ନାହିଁ । ବେଦଜ୍ଞ ପଣ୍ଡିତଙ୍କ ଅଭାବରୁ ଯାଗଯଜ୍ଞ, ପୂଜାପାଠ ବନ୍ଦ ହୋଇଗଲା । ପ୍ରକୃତି ସନ୍ତୁଳନ ହରାଇଲା । ବର୍ଷା ହେଲାନାହିଁ, ଅକାଳ ପଡ଼ିଲା । ଦେବତାମାନେ ଶକ୍ତିହୀନ ହୋଇଗଲେ ।
ସୁଯୋଗ ଦେଖି ଦୁର୍ଗମ ଅସୁର ସେନା ଧରି ସ୍ୱର୍ଗପୁର ଆକ୍ରମଣ କଲା । ଦେବତାମାନେ ଛତ୍ରଭଙ୍ଗ ଦେଲେ । ସ୍ୱର୍ଗର ପତନ ହେଲା । ଦେବଗଣଙ୍କ ଦୁର୍ଦ୍ଦଶା ଓ ରାକ୍ଷସଙ୍କର ପ୍ରକୋପ ବଢ଼ୁଥିବା ଦେଖି ମୁନିଋଷିମାନେ ଶକ୍ତି ମାତାଙ୍କୁ ପ୍ରାର୍ଥନା କଲେ । ମାଆ ଜଗଦମ୍ବା ରୂପରେ ପ୍ରକଟ ହୋଇ ବେଦ ଉଦ୍ଧାର କରିବା ନିମନ୍ତେ ପ୍ରତିଶ୍ରୁତି ଦେଲେ । ଜଗଦମ୍ବା ଦେବ ବାହିନୀର ନେତୃତ୍ୱ ନେଇ ଦୁର୍ଗମକୁ ଆକ୍ରମଣ କଲେ । ହେଲେ ବ୍ରହ୍ମାଙ୍କ ଠାରୁ ବର ପାଇଥିବାରୁ ଦୁର୍ଗମ ଅପରାଜେୟ ରହିଲା । ତହୁଁ ମାତା ନିଜ ଶରୀରରୁ କାଳୀକା, ତାରିଣୀ, ବଗଳାମୁଖୀ, ମାତଙ୍ଗୀ, ଛିନ୍ନମସ୍ତା, କାମାକ୍ଷୀ ଓ ଭୈରବୀ ଆଦିଙ୍କୁ ସୃଷ୍ଟି କଲେ । ସେମାନଙ୍କର ମିଳିତ ଆକ୍ରମଣରେ ଦୁର୍ଗମ ନିହତ ହେଲା । ଦୁର୍ଗମକୁ ମାରି ମାତା ଦୁର୍ଗା ଭାବେ ପରିଚିତ ହୋଇଥିଲେ ।
ନବରାତ୍ରି ଅବସରରେ ପୂଜା ପାଉଥିବା ନଅ ଦେବୀ ନବଦୁର୍ଗା ଭାବେ ଖ୍ୟାତ ।
ଦେବୀ ମାହାତ୍ମ୍ୟ ଏବଂ ଦୁର୍ଗା ସପ୍ତସତୀରେ ସେମାନଙ୍କର କଥା ବର୍ଣ୍ଣିତ । ନବଦୁର୍ଗା ହେଉଛନ୍ତି ଶକ୍ତିଙ୍କ ଭିନ୍ନ ଭିନ୍ନ ଅବତାର । ସେମାନେ ହେଲେ – ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମଣ୍ଡା, ସ୍କନ୍ଦ ମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଏବଂ ସିଦ୍ଧିଦାୟିନୀ । ନବରାତ୍ରିର ପ୍ରଥମ ଦିନରେ ପୂଜା ପାଆନ୍ତା ମାତା ଶୈଳପୁତ୍ରୀ । “ଶୈଳ’ ଅର୍ଥ ପାହାଡ଼ ଓ “ପୁତ୍ରୀ’ ଅର୍ଥ କନ୍ୟା । ସେ ପାର୍ବତୀ ବା ହେମବତୀ ଭାବେ ମଧ୍ୟ ପରିଚିତ । ଦକ୍ଷକନ୍ୟା ସତୀ ପ୍ରଥମ ପୁନର୍ଜନ୍ମ ନେଇଥିଲେ ଶୈଳପୁତ୍ରୀ ଭାବେ । ଦ୍ୱିତୀୟ ପୁନର୍ଜନ୍ମ ନେଇଥିଲେ ହିମାଳୟପୁତ୍ରୀ ପାର୍ବତୀ ରୂପେ ଏବଂ ବିବାହ କରିଥିଲେ ମହାଦେବଙ୍କୁ । ଶୈଳପୁତ୍ରୀ ହେଉଛନ୍ତି ଶକ୍ତିଙ୍କ ପ୍ରଥମ ଅବତାର । ଦ୍ୱିତୀୟ ଦିନରେ ପୂଜା ପାଆନ୍ତି ମା’ବ୍ରହ୍ମଚାରିଣୀ । ତାଙ୍କର ଅନ୍ୟ ନାମଗୁଡ଼ିକ ହେଲା ଉମା, ଅପର୍ଣ୍ଣା ଏବଂ ତପଶ୍ଚାରିଣୀ । ବ୍ରାହ୍ମଚାରିଣୀ ଅର୍ଥ ଚରମ ସତ୍ତାର ସାନ୍ନିଧ୍ୟ ପାଇବା ଲାଗି ସେ ସଦା ତପସ୍ୟାରତ । ତୃତୀୟ ଦିନରେ ଆରାଧନା କରାଯାଏ ମା’ଚନ୍ଦ୍ରଘଣ୍ଟାଙ୍କୁ । ମଥାରେ ଅର୍ଦ୍ଧଚନ୍ଦ୍ରଙ୍କୁ ଧାରଣ କରିଥିବାରୁ ସେ ହେଲେ ଚନ୍ଦ୍ରଘଣ୍ଟା । ଚତୁର୍ଥ ଦିନରେ ଆବାହନ କରାଯାଏ ମା’କୁଷ୍ମଣ୍ଡାଙ୍କୁ । ସେ ଅଷ୍ଟଭୁଜା ଏବଂ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକତ୍ରୀ ।
ନିଜ ହସ ଦ୍ୱାରା ସେ ଦୂର କରିଥିଲେ ଅନ୍ତହୀନ ଅନ୍ଧକାରକୁ ଏବଂ ଯାହା ଦ୍ୱାରା ସୃଷ୍ଟି ପର୍ବ ଆରମ୍ଭ ହୋଇଥିଲା । ପଞ୍ଚମ ଦିନରେ ପୂଜା ପାଆନ୍ତି ସ୍କନ୍ଦ ମାତା । ସେ ଦେବତାଙ୍କ ସେନାମୁଖ୍ୟ କାର୍ତ୍ତିକେୟ ବା ମୁରୁଗ ବା ସ୍କନ୍ଦଙ୍କ ମାତା । ସେ ହେଉଛନ୍ତି ସକଳ ମାତୃତ୍ୱର ପରିପ୍ରକାଶ ଏବଂ ସ୍ନେହଶୀଳ କ୍ଷମାମୟୀ । ଷଷ୍ଠ ଦିବସରେ ପୂଜା ପାଆନ୍ତି ମା’କାତ୍ୟାୟାନୀ । କାତ୍ୟ ମୁନିଙ୍କ କନ୍ୟା ଭାବେ ଜାତ ହୋଇଥିବାରୁ ସେ କାତ୍ୟାୟନୀ । ସେ ଦୁର୍ଗାଙ୍କର କନ୍ୟା ସ୍ୱରୂପ । ସ୍ନେହ ଶ୍ରଦ୍ଧାର ପ୍ରତୀକ । ତେବେ ଧର୍ମ ତଥା ନ୍ୟାୟ ନୀତିର ପ୍ରତିଷ୍ଠା ଲାଗି ସେ ଭୟଙ୍କର ମଧ୍ୟ ହୋଇପାରନ୍ତି । ସପ୍ତମ ଦିବସରେ ପୂଜା ପାଆନ୍ତି ମା’କାଳରାତ୍ରି । ତାଙ୍କୁ ମଧ୍ୟ କୁହାଯାଏ ଶୁଭଙ୍କରୀ । ସେ ଅଜ୍ଞାନତା ଏବଂ ଅନ୍ଧକାରର ଧ୍ୱଂସକର୍ତ୍ରୀ । ଏହି ଅବତାରରେ ସେ ରକ୍ତବୀଜ ରାକ୍ଷସର ରକ୍ତ ଶୋଷି ତାହାକୁ ବଧ କରିଥିଲେ ।
ଏହା ହେଉଛି ମା’ଦୁର୍ଗାଙ୍କ ସବୁଠାରୁ ଭୟଙ୍କର ରୂପ । ଅଷ୍ଟମ ଦିନରେ ଆରାଧନା କରାଯାଏ ମା’ ମହାଗୌରୀଙ୍କୁ । ମହାଗୌରୀଙ୍କ ଅର୍ଥ ହେଉଛି ବିଜୁଳି ପରି ଉଜ୍ଜ୍ୱଳ । ଶିବଙ୍କୁ ପ୍ରତି ରୂପେ ପାଇବା ପାଇଁ ମହାତପ କରିଥିଲେ ସେ । ଶେଷରେ ଶିବ ପ୍ରସନ୍ନ ହୋଇ ତାଙ୍କୁ ଗଙ୍ଗା ଜଳରେ ସ୍ନାନ କରାଇଥିଲେ । ନବମ ଦିନରେ ପୂଜା ପାଆନ୍ତି ମା’ସିଦ୍ଧିଦାୟିନୀ । ସେ ଜ୍ଞାନଦାତ୍ରୀ । ବ୍ରହ୍ମଙ୍କୁ ଅନୁଭବ କରିବା ନିମନ୍ତେ ସେ ଦିବ୍ୟଜ୍ଞାନ ପ୍ରଦାନ କରିଥାନ୍ତି । ସିଦ୍ଧ, ଗନ୍ଧର୍ବ, ଯକ୍ଷ, ରାକ୍ଷସ ଏବଂ ଦେବତାଙ୍କ ଗହଣରେ ସେ ବିଜେ ହୁଅନ୍ତି ।
ଏହି ଲେଖକ ଜଣେ ସାଇ ଆଶ୍ରିତ ହୋଇଥିବାରୁ ଭୋଳା ଶ୍ରୀ ସତ୍ୟସାଇ ବାବାଙ୍କ ସଙ୍ଗଠନର ସମସ୍ତ ସାଇ ମନ୍ଦିରରେ ପ୍ରତିବର୍ଷ ନବଦିନ ବ୍ୟାପୀ ସ୍ୱତନ୍ତ୍ର ପୂଜା, ଭଜନ, ନାମ ସଂକୀର୍ତ୍ତନ, ନାରାୟଣ ସେବା ଓ ବିଭିନ୍ନ ସେବା କାର୍ଯ୍ୟସହ ସତ୍ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତୁ ବର୍ତ୍ତମାନର ମହାମାରୀ କରୋନା ସମୟରେ ମା’ଦଶଭୂଜାଙ୍କୁ ପ୍ରାର୍ଥନା କରିବା ସେ ଧରାପୃଷ୍ଠରେ ଆର୍ବିଭୂତ ହୋଇ ଆମ ସମସ୍ତଙ୍କୁ ଏକ ସୁନ୍ଦର ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ, ଆନନ୍ଦ ଓ କୃପା ପ୍ରଦାନ କରନ୍ତୁ ।