ସାଲେପୁର ଅଞ୍ଚଳରେ କରୋନା ଆଇନ୍ ସୁଚାରୁ ରୂପେ କାର୍ଯ୍ୟକାରୀ ହେଉନାହିଁ , ସନ୍ଧ୍ୟାହେଲେ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳର ଛକମାନଙ୍କରେ ଅମାନିଆଙ୍କ ଭିଡ଼
ସାଲେପୁର, ୨୦ ।୯-ସାଲେପୁର ବ୍ଲକ୍ ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ଚାଲିଛି । ଆଜିସୁଦ୍ଧା ସାଲେପୁର ବ୍ଲକ୍ରୋ ୩ଶହ ୧୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିରୁ ୨ଶହରୁ ଉଦ୍ଧ୍ୱର୍ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି । ପ୍ରକାଶ ଯେ ଏବେ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇଥିବାବେଳେ ସାଲେପୁର ବ୍ଲକ୍ ମଧ୍ୟ ଏଥିରୁ ବାଦ୍ ପଡିନାହିଁ ।
ସାଲେପୁର ଅଞ୍ଚଳରେ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଗ୍ରାମାଞ୍ଚଳ ଲୋକମାନଙ୍କ ମଧ୍ୟରେ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ଅପର ପକ୍ଷରେ ସାଲେପୁର ବ୍ଲକ୍ରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅଦ୍ୟାବଧି ସାଲେପୁର ବ୍ଲକ୍ରୋ ୩୧୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥି ମଧ୍ୟରୁ ୨ଶହରୁ ଉଦ୍ଧ୍ୱର୍ ସୁସ୍ଥ ହୋଇ ଘରକୁ ଫେରିଥିବାର ସାଲେପୁର ବିଡ଼ିଓ ଦେବରାଜ ସେଠୀ ପ୍ରକାଶ କରିଛନ୍ତି ।
ଅପର ପକ୍ଷରେ ସରକାର କରୋନା ସଂକ୍ରମଣକୁ ରୋକିବାପାଇଁ କରୋନା ଆଇନ୍କୁ ଜୋରଦାର କରିଥିବାବେଳେ ସାଲେପୁରରେ ତାହା ସୁଚାରୁ ରୂପେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳିଛି । ଦୋକାନ ବଜାରମାନଙ୍କରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହେଉଥିବାବେଳେ ବହୁ ଲୋକ ମାସ୍କ ନପିନ୍ଧି ଖୋଲାମେଲାରେ ବୁଲୁଥିବାର ଦେଖିବାକୁ ମିଳିଛି । ସେହିପରି ସାଲେପୁର ସାପ୍ତାହିକ ହାଟରେ ଅନ୍ୟ ଦିନ ଭଳି ଭିଡ଼ ଜମୁଥିବାର ପରିଲକ୍ଷିତ ହୋଇଛି । ଅପର ପକ୍ଷରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଥିଲେ ମଧ୍ୟ କେତେକ ଅମାନିଆ ଏହାକୁ ଖାତିର ନକରି ବିନା ମାସ୍କରେ ମୋଟର ସାଇକେଲ୍ ଓ ସାଇକେଲରେ ଚକ୍କର ମାରୁଥିବା ଦେଖିବାକୁ ମିଳିଛି ।
ପୁଲିସର କୋହଳ ମନୋଭାବ ଯୋଗୁ ଅମାନିଆମାନେ କରୋନା ଆଇନ୍କୁ ଫୁ କରି ନିର୍ଭୟରେ ବୁଲୁଛନ୍ତି । ପୂର୍ବରୁ ପୁଲିସ ପ୍ରଶାସନ ପକ୍ଷରୁ ଯେଉଁଭଳି କରୋନା ଆଇନ୍କୁ କଡ଼ାକଡ଼ି ପାଳନ କରାଯାଉଥିଲା, ଏବେ ସେପରି ଦେଖାଯାଉନାହିଁ । ଫଳରେ ଅମାନିଆମାନେ ବଜାରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଥିବା ଛକମାନଙ୍କରେ ନାହିଁନଥିବା ଭିଡ଼ ଜମାଇବା ସହ ଗୁଲିଖଠି କରୁଥିବାର ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଯଦି ଏ ଦିଗରେ ଦୃଷ୍ଟି ଦେଇ କରୋନା ଆଇନ୍କୁ ସୁଚାରୁ ରୂପେ କାର୍ଯ୍ୟକାରୀ କରାନଯାଏ, ତେବେ ସାଲେପୁର ଅଞ୍ଚଳରେ ଆଗାମୀ ଦିନରେ କରୋନା ସଂକ୍ରମଣ ବିସ୍ପୋରକ ରୂପ ନେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
