ଛତ୍ରପୁର ରୋଟାରୀ କ୍ଲବକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ ଶାନ୍ତନୁ ପାଣି ସପତ୍ନିକ ଆଧିକାରିକ ଗସ୍ତ କରିଛନ୍ତି। ଏହି ଅବସରରେ ସେ କ୍ଲବର ଆର୍ଥିକ, ସାମାଜିକ ଓ ସାମୁହିକ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରିବା ସହ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିଥିଲେ। ପରେ କ୍ଲବର ସଭାଗୃହରେ ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଉଦଘାଟନ କରିବା ସହ ଉଦବୋଧନ ଦେଇ ଥିଲେ। ଗତ କାର୍ଯ୍ୟବର୍ଷରେ ଛତ୍ରପୁର କ୍ଲବ ପକ୍ଷରୁ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହି ଅବସରରେ ରୋଟାରୀ ଜିଲ୍ଲାର ପ୍ରଥମ ମହିଳା ଶ୍ରୀମତି ଝରଣା ପାଣି ଛତ୍ରପୁର ଉପ କାରାଗାରର ଅଧିକ୍ଷିକା ଶ୍ରୀମତୀ ଶୁଭଶ୍ମିତା ବିଶ୍ବାଳ ଓ ଶିକ୍ଷୟିତ୍ରୀ ଆରାଧନା ପଟ୍ଟନାୟକଙ୍କୁ ଓ ଶ୍ରୀ ପାଣି ଯୁବ ଉଦ୍ୟୋଗୀ ଦ୍ବାରକା ପ୍ରସାଦ ପଟ୍ଟନାୟକଙ୍କୁ ନୂତନ ସଦସ୍ଯତା ପ୍ରଦାନ କରିଥିଲେ। ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ବ୍ଳକର ଭିକାରିପଲ୍ଲୀ ପ୍ରାଇମେରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ବହି ବସ୍ତାନି ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ନାୟକ ଓ ଶିକ୍ଷୟତ୍ରୀ ଅରୁଣ ଗୌଡ ଏହାକୁ ଅତିଥି ଓ ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକଙ୍କ ଠାରୁ ଗ୍ରହଣ କରିଥିଲେ। ସଭାନେତ୍ରୀ ଏସ ରେଖା ମହାନ୍ତି ପାଣି ଦମ୍ପତ୍ତିଙ୍କୁ ଜଗନ୍ନାଥଙ୍କ ଲୀଳା ଆଧାରିତ ଏକ ସୀମିତ ମୁଦ୍ରିତ ବହି ‘ମହାବାହୁ’ ପ୍ରଦାନ କରିଥିଲେ।
ପୂର୍ବତନ ସଭାପତି ନିରଞ୍ଜନ ପାତ୍ର ମୂଖ୍ଯ ଅତିଥିଙ୍କ ଓ ସୁଜିତ ପଟ୍ଟନାୟକ ସମ୍ମାନିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରସନ୍ନ ପତି ସ୍ବାଗତ ଭାଷଣ ଓ ଡକ୍ଟର ବିମଳ ପଣ୍ଡା କ୍ଲବର ଇତିହାସ ସୂଚନା ପ୍ରଦାନ କରିଥିଲେ। ସମ୍ପାଦିକା ସ୍ବାଗତିକା ସାମନ୍ତରାୟ ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ସୁରଜିତ ସାମନ୍ତରାୟ ନୂତନ ସଭ୍ୟମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଇ ନାଗେଶ୍ଵର ରାଓ ଧନ୍ୟବାଦ ଅର୍ପଣ କରିଥିଲେ।