Odisha news

ରିଲାଏନ୍ସ ନ୍ୟୁ ଏନର୍ଜି ସୋଲାର ପକ୍ଷରୁ ଜର୍ମାନିର ନେକ୍ସୱେଫ୍‌ରେ ନିବେଶ ଏବଂ ଡେନ୍‌ମାର୍କର ଷ୍ଟିସ୍‌ଡଲ୍ ସହ ସହଭାଗିତା ଘୋଷଣା

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପୂର୍ଣ୍ଣ ମାଲିକାନାରେ ଥିବା ସଂସ୍ଥା ରିଲାଏନ୍ସ ନ୍ୟୁ ଏନର୍ଜି ସୋଲାର ଲିମିଟେଡ୍ (ଆର୍‌ଏନ୍‌ଇଏସ୍‌ଏଲ୍‌) ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ବିଷୟରେ ଘୋଷଣା କରାଯାଇଛି । ଜର୍ମାନିର ନେକ୍ସୱେଫ୍‌ରେ ୨.୫ କୋଟି ୟୁରୋ ନିବେଶ କରିବା ବିଷୟରେ ମଙ୍ଗଳବାର ଆର୍‌ଏନ୍‌ଇଏସ୍‌ଏଲ୍ ପକ୍ଷରୁ ଘୋଷଣା କରାଯାଇଛି ।

ଅନ୍ୟ ଏକ ଘୋଷଣା ଭାବେ ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ପକ୍ଷରୁ ହାଇଡ୍ରୋଜେନ୍ ଇଲେକ୍ଟ୍ରୋଲାଇଜର୍ସର ବିକାଶ ଓ ନିର୍ମାଣ ଲାଗି ଷ୍ଟିସ୍‌ଡଲ୍ ସହିତ ବୁଝାମଣା କରାଯାଇଛି । ଡେନ୍‌ମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ଫ୍ରେଡରିକ୍‌ସେନ୍‌ଙ୍କ ଭାରତ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଡେନ୍‌ମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫ୍ରେଡରିକ୍‌ସେନ୍‌ଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଭାରତୀୟ ବଜାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନେକ୍ସୱେଫ୍ ସହିତ ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରାଯାଇଛି ବୋଲି ରିଲାଏନ୍ସ ପକ୍ଷରୁ କୁହାଯାଇଛି । ଆରଏସ୍‌ଇଏନ୍‌ଏଲ୍ ପକ୍ଷରୁ କୁହାଯାଇଛି ଯେ କଂପାନି ନେକ୍ସୱେଫ୍‌ର ୮୬,୮୮୭ ସିରିଜ୍‌-ସି ପ୍ରିଫର୍ଡ ସେୟାରକୁ ସେୟାର ପିଛା ୨୮୭.୭୩ ୟୁରୋରେ କିଣିବ । ଏହା ବ୍ୟତୀତ ଆରଏନଇଏସ୍‌ଏଲ୍‌କୁ ୧ ୟୁରୋ ହିସାବରେ ୩୬,୨୦୧ ୱାରେଂଟ୍ ମଧ୍ୟ ଜାରି କରାଯିବ ।

ସେମିକଣ୍ଡକ୍ଟରରେ ବ୍ୟବହାର ହେଉଥିବା ମୋନୋକିଷ୍ଟାଲାଇନ୍ ସିଲିକନ୍ ୱେଫର୍ସକୁ ନେ୍‌କ୍ସୱେଫ୍ ନିର୍ମାଣ କରୁଛି । ସେମିକଣ୍ଡକ୍ଟରକୁ ସବୁ ପ୍ରକାର ଇଲେକ୍ଟ୍ରୋନିକ୍ସ ଉପକରଣରେ ବ୍ୟବହାର କରାଯାଉଛି । ଷ୍ଟକ୍ ଏକ୍ସଚେଂଜକୁ  ଦେଇଥିବା ସୂଚନାରେ ରିଲାଏନ୍ସ ଜଣାଇଛି ଯେ ନେକ୍ସୱେଫ୍ ଯେଉଁ ମୋନୋକ୍ରିଷ୍ଟାଲାଇନ୍ ସିଲିକନ୍ ୱେଫର୍ସର ବିକାଶ ଓ ଉତ୍ପାଦନ କରୁଛି, ସେଥିରେ ବ୍ୟବହାର ହେଉଥିବା କଂଚାମାଲ ବହୁତ ସୁଲଭ ମୂଲ୍ୟର ଏବଂ କଂପାନିର ପ୍ରଯୁକ୍ତି ଜ୍ଞାନକୌଶଳ ଉତ୍ପାଦନର ଅନେକ ମହଙ୍ଗା ପ୍ରକ୍ରିୟାକୁ ସମାପ୍ତ କରିଛି । ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ଯେ ଏହା ଜରିଆରେ ରିଲାଏନ୍ସ ସେମିକଣ୍ଡକ୍ଟର ପ୍ରଯୁକ୍ତି ପର୍ଯ୍ୟନ୍ତ ପହଂଚିପାରିଛି ।

ଏହି ବୁଝାମଣା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଅମ୍ବାନି କହିଛନ୍ତି ଯେ, “ରିଲାଏନ୍ସରେ ଆମେ ସର୍ବଦା ଔଦ୍ୟୋଗିକ କ୍ଷେତ୍ରରେ ଆଗରେ ରହିବାରେ ବିଶ୍ୱାସ କରୁ । ନେକ୍ସ୍‌ୱେଫ୍ ସହିତ ଆମର ଏହି ସହଯୋଗିତା ଆମେ ଭାରତୀୟ ଅର୍ଥନୀତି ଲାଗି ସୁଲଭ ମୂଲ୍ୟର ସବୁଜ ଶକ୍ତିର ଯେଉଁ ଆବଶ୍ୟକତା ରହିଛି ତାହାକୁ ପୂରଣ କରିବା ଲାଗି ଆରମ୍ଭ କରିବାକୁ ଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ମିସନର ପରିଚାୟକ । ଫୋଟୋଭୋଲ୍‌ଟାଇକ୍ ନିର୍ମାଣରେ ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଉପସ୍ଥାପନ କରିବା ଦିଗରେ ଆମର ନେକ୍ସୱେଫ୍‌ରେ ନିବେଶ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମର ବିଶ୍ୱାସ ରହିଛି ଯେ ନେକ୍ସୱେଫ୍‌ର ଅଭିନବ ଅତି ପତଳା ୱେଫର, ସୋଲାର ପ୍ୟାନେଲ୍ ନିର୍ମାଣକାରୀ ଓ ଉପଭୋକ୍ତାଙ୍କୁ ଲାଭ ପ୍ରଦାନ କରିବ । ରିଲାଏନ୍ସ ପାଇଁ ସୌର ଓ ଅନ୍ୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରବେଶ ପୃଥିବୀକୁ ବଂଚାଇବା ଓ ଏହାକୁ ଜଳବାୟୁ ସଙ୍କଟରୁ ଉଦ୍ଧାର କରିବା ଲାଗି ସାରା ବିଶ୍ୱରେ ଚାଲିଥିବା ମିସନ ପ୍ରତି ଆମର ଏକ ଯୋଗଦାନ ।’’

ଷ୍ଟିସ୍‌ଡଲ୍ ହେଉଛି ଡେନ୍‌ମାର୍କର ଏକ କଂପାନି ଯାହା ଜଳବାୟୁ ପରିବର୍ତନକୁ ଦୃଷ୍ଟିରେ ରଖି ଔଦ୍ୟୋଗିକ ବିକାଶ ଦିଗରେ କାର୍ଯ୍ୟ କରୁଛି । ଗୁଜରାଟର ଜାମନଗରରେ ହାଇଡ୍ରୋଜେନ୍ ଇଲେକ୍ଟ୍ରୋଲାଇଜର୍ସ ଉତ୍ପାଦନ କରିବା ଲାଗି ଏକ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରିବା ବିଷୟରେ ପୂର୍ବରୁ ମୁକେଶ ଅମ୍ବାନି ଘୋଷଣା କରିଥିଲେ । ଏହି ବୁଝାମଣା ଅନୁସାରେ ଆରଏନ୍‌ଇଏସ୍‌ଏଲ୍ ଓ ଷ୍ଟିସ୍‌ଡଲ୍ ମିଳିତ ଭାବେ ନିଜ ପ୍ରଯୁକ୍ତିକୁ ବ୍ୟବହାର କରି ହାଇଡ୍ରୋଜେନ୍ ଇଲେକ୍ଟ୍ରୋଲାଇଜର୍ସର ଔଦ୍ୟୋଗିକ ବିକାଶକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବେ । ଏହା ସହିତ ଏହାର ନିର୍ମାଣ ସୁବିଧା ସ୍ଥାପନ କରିବାରେ ସହଯୋଗ କରିବେ । ୨୦୩୦ ସୁଦ୍ଧା ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କରିବାକୁ ଆର୍‌ଆଇଏଲ୍ ଲକ୍ଷ୍ୟ ରଖିଛି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୦ ତାରିଖରେ ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ନରୱେ୍‌ର କଂପାନି ଆରଇସି ସୋଲାର ହୋଲ୍‌ଡିଂସ୍‌କୁ ଅଧିଗ୍ରହଣ କରିଥିବା ବିଷୟରେ ଘୋଷଣା କରିଥିଲା । ଏହା ଜରିଆରେ ଫଟୋଭୋଲ୍‌ଟାଇକ୍ ନିର୍ମାଣ କ୍ଷେତ୍ରରେ ଆର୍‌ଆଇଏଲ୍ ଦୁନିଆର ଅଗ୍ରଣୀ ସଂସ୍ଥାରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି । ଆରଇସି ପାଖରେ ଦୁନିଆର ସବୁଠୁ ଉତ୍କୃଷ୍ଟ ହେଟେରୋଜଙ୍କସନ୍ ପ୍ରଯୁକ୍ତି ରହିଛି । ଏହା ବ୍ୟତୀତ ଆରଏନ୍‌ଇଏସ୍‌ଏଲ୍ ପକ୍ଷରୁ ଅକ୍ଟୋବର ୧୦ରେ ଷ୍ଟର୍ଲିଂ ଆଣ୍ଡ୍ ୱିଲ୍‌ସନ୍ ସୋଲାର ଲିମିଟେଡ୍‌ର ୪୦% ଅଂଶଧନକୁ ଅଧିଗ୍ରହଣ କରାଯାଇଥିବା ବିଷୟରେ ଘୋଷଣା କରାଯାଇଥିଲା ।

Shares