Odisha news

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ର ଦ୍ୱିତୀୟ ତ୍ରୟମାସ ନିଟ ଲାଭ ୪୬% ବୃଦ୍ଧି ସହ ୧୫,୪୭୯ କୋଟି ଟଙ୍କା

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ଲିମିଟେଡ଼ର ନିଟ ଲାଭ ୪୬% ବୃଦ୍ଧି ପାଇ ୧୫,୪୭୯ କୋଟି ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଗତବର୍ଷ ଦ୍ୱିତୀୟ ତ୍ରୟମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନିଟ୍ ଲାଭ ୧୦,୬୦୨ କୋଟି ଟଙ୍କା ଥିବା ବେଳେ ଜୁନରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ କମ୍ପାନି ୧୩,୮୦୬ କୋଟି ଟଙ୍କା ଲାଭ କରିଥିଲା ।

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକରେ କମ୍ପାନିର ରିଟେଲ୍‌, ଡିଜିଟାଲ୍ ଏବଂ ତୈଳ ଠାରୁ ଆରମ୍ଭ କରି କେମିକାଲ୍ (ରସାୟନ) ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭଲ ବ୍ୟବସାୟ ହୋଇଛି । କମ୍ପାନିର ମୋଟ ରାଜସ୍ୱ, ଗତବର୍ଷ ଏହି ସମୟ ତୁଳନାରେ ୪୯.୨ ପ୍ରତିଶତ ବୃଦ୍ଧି ସହ ୧.୯୧ ଲକ୍ଷ କୋଟି ଟଙ୍କାରେ ପହଂଚିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଜିଓ ପ୍ଲାଟଫର୍ମସ୍‌ର ତ୍ରୟମାସ ନିଟ୍ ଲାଭ ୨୩.୫% ବୃଦ୍ଧି ସହ ୩,୭୨୮ କୋଟି ଟଙ୍କା

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷ (୨୦୨୧-୨୨) ର ଦ୍ୱିତୀୟ ତ୍ରୟମାସରେ (ଜୁଲାଇ-ସେପ୍ଟେମ୍ବର) ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ୨୩.୫ ପ୍ରତିଶତ ବୃଦ୍ଧି ପାଇ ୩,୭୨୮ କୋଟି ଟଙ୍କା ହୋଇଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଘୋଷଣା କରାଯାଇଛି ।

୨୦୨୧ର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଜିଓ ପ୍ଲାଟଫର୍ମସ୍‌ର ମୋଟ ରାଜସ୍ୱ ୧୫.୨ ପ୍ରତିଶତ ବୃଦ୍ଧି ପାଇ ୨୩,୨୨୨ କୋଟି ଟଙ୍କା ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କୁହାଯାଇଛି । ଏହି ଅବଧିରେ କମ୍ପାନୀର ଗ୍ରାହକ ପ୍ରତି ରାଜସ୍ୱ ୩.୭ ପ୍ରତିଶତ ବୃଦ୍ଧି ପାଇ ଗ୍ରାହକ ପିଛା ମାସିକ ୧୪୩.୬ ଟଙ୍କାରେ ପହଁଚିଛି । ଏହି ତ୍ରୟମାସରେ ଜିଓ ନେଟ୍‌ୱର୍କରେ ଗ୍ରାହକ ପିଛା ମାସିକ ହାରାହାରି ଡାଟା ବ୍ୟବହାର ୧୭.୬ ଜିବିକୁ ବୃଦ୍ଧି ପାଇଛି ।

କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ୫ଜି କ୍ଷେତ୍ରସ୍ତରୀୟ ପରୀକ୍ଷଣ  ଆରମ୍ଭ ହୋଇଥିବା ପ୍ରକାଶ କରାଯାଇଛି । ସେହିଭଳି ଦୀପାବଳୀ ଉତ୍ସବ ସମୟରେ ଜିଓଫୋନ୍ ନେକ୍ସଟ୍ କୁ ବ୍ୟାପକ ଭାବରେ ଉପଲବ୍ଧ କରାଇବା ପାଇଁ ଜିଓ ଓ ଗୁଗୁଲ୍ ମିଳିତ ଭାବରେ କାର୍ଯ୍ୟ କରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଜିଓ ପ୍ଲାଟଫର୍ମସ୍ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଏକ ସଂସ୍ଥା ଯାହା ଅଧୀନରେ ଭାରତର ସର୍ବବୃହତ ଟେଲିକମ୍ ସଂସ୍ଥା ଜିଓ ଓ ଆପ୍‌ଗୁଡ଼ିକ ରହିଛି ।

Comments are closed.