Odisha news

ପିଇବା ପାଣି ପାଇଁ ଡହଳବିକଳ ସହରବାସୀ : କାକୁତିମିନତି କଲେ ପଡିଶା ଘରୁ ମିଳେ ପିଇବା ପାଣି

0

ରାୟଗଡ଼ା,୨୫/୪ :ଗାଁ ଠାରୁ ଆରମ୍ଭ କରି ସହର ସବୁଠି ସରକାର କୁଆଡେ ବିକାଶ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି | ସ୍ଥାନେ ସ୍ଥାନେ ଜଳ ହିଁ ଜୀବନ ବୋଲି ହୋର୍ଡ଼ିଂ ମଧ୍ୟ ଲଗାଉଛନ୍ତି | କିନ୍ତୁ ସହରରେ ଥାଇ ଦୀପ ତଳ ଅନ୍ଧାର ଭଳି ଟୋପାଏ ପିଇବା ପାଣି ପାଇଁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି | ଗାଁ ତ ଦୂରର କଥା ସହରରେ ୧୫ ବର୍ଷ ରହଣି ପରେ ମଧ୍ୟ ଟୋପାଏ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଅଞ୍ଚଳବାସୀ | ଏହିଭଳି ଦୃଶ୍ୟ ରାୟଗଡା ସହରର ରୟତ କଲୋନୀ ଅଞ୍ଚଳରେ ଦେଖିବାକୁ ମିଳିଛି | ଉକ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସଙ୍କଟ ଦେଖାଦେଉଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୌର ବିଭାଗ ଏବଂ ଜନ ସ୍ୱାସ୍ଥ୍ୟ ବିଭାଗ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି | ଏନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ, ଜିଲ୍ଲା ଏବଂ ପୌର ପ୍ରଶାସନକୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ରୟତ କଲୋନୀ ବାସିନ୍ଦା ପ୍ରକାଶ କରିଛନ୍ତି | ସେମାନଙ୍କ କହିବା ଅନୁଯାୟୀ ଆଜକୁ ପ୍ରାୟ ୧୫ ବର୍ଷ ହେଲାଣି ରୟତ କଲୋନୀରେ ପାଣି ସମସ୍ୟା ଲାଗି ରହୁଛି | କେତେବେଳେ ପାଣି ଆସୁନି ତ ଆଉ କେତେବେଳେ ଗୋଳିଆ ପାଣି ସାଙ୍ଗକୁ ପାଣିରେ ପୋକ ଭାସୁଥିବା ଦେଖିବାକୁ ମିଳୁଛି | ଅଞ୍ଚଳରେ ପାନୀୟ ଜଳର ଏହିଭଳି ଶୋଚନୀୟ ଅବସ୍ଥା ରହୁଥିବାରୁ ଲୋକେ ମିନେରାଲ ପାଣି ବୋତଲ କିଣି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି | ହେଲେ ଯାହା ପାଖେ ସମ୍ବଳ ଅଛି ସେ ବୋତଲ କିଣି ପାଣି ପିଉଛନ୍ତି ଏବଂ ଯାହା ପାଖେ ସମ୍ବଳ ନାହିଁ ସେମାନେ ସେହି ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି | ଫଳରେ ଶିଶୁ ଠାରୁ ଆରମ୍ଭ କରି ଆବାଳବୃଦ୍ଧବନିତା ସମସ୍ତେ ବିଭିନ୍ନ ରୋଗର ଶିକାର ହେବାର ସମ୍ଭାବନାକୁ ଏଡାଇ ହେଉନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି |

ଏଭଳି ସମସ୍ୟାର ସମାଧାନ ତ ଦୂରର କଥା ବର୍ତ୍ତମାନ ଓଳିଏ ପାଣି ପାଇଲେ ଓଳିଏ ପାଣି ମିଳୁନାହିଁ | ଫଳରେ ଲୋକେ ପିଇବା ପାଇଁ ପାଣି ପାଉନଥିବା ବେଳେ ଦୈନନ୍ଦିନ ବ୍ୟବହାର ପାଇଁ ପାଣି ପାଇବା ସମୁଦ୍ର ମଧ୍ୟରେ ଘର କରି ପାଣି ଖୋଜିବା ଭଳି ପରିସ୍ଥିତି ହୋଇଛି | ଉକ୍ତ ଅଂଚଳର ପାନୀୟ ଜଳ ସୁବିଧା ପାଇଁ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୭ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କିର ବ୍ୟବସ୍ଥା ବିଭାଗୀୟ କାର୍ଯ୍ୟାଳୟ ଠାରେ କରଯାଇଛି | ତତସହିତ ଅଞ୍ଚଳରେ ଦୁଇ ଗୋଟି ପମ୍ପ ହାଉସ ମଧ୍ୟ ନିର୍ମାଣ କରାଯାଇଛି | ସେଥି ମଧ୍ୟରୁ ଗୋଟିଏ ପମ୍ପ ହାଉସ ୨୦୦୩ ମସିହାରେ ଏବଂ ଅନ୍ୟଟି ୨୦୧୮ ମସିହାରେ ସ୍ଥାପନ ହୋଇଛି | ତେବେ ଉକ୍ତ ପମ୍ପ ହାଉସଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବନ୍ଦ ହୋଇପଡିଛି | ରୟତ କଲୋନୀରେ ମୋଟ ୧୫ଟି ସାହି ରହିଥିବା ବେଳେ ୧୫ ଶହରୁ ଉର୍ଧ୍ଵ ଘର ରହିଛି | ଏଠାକାର ଜନସଂଖ୍ୟା ପ୍ରାୟ ୫ ହଜାର ଅଟେ | ପ୍ରତ୍ୟେକ ସାହିରେ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନଳକୂପ ସହ ଷ୍ଟାଣ୍ଡପୋଷ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି | ତେବେ ସ୍ଥାପନ ହୋଇଥିବା ୩୦ରୁ ଉର୍ଧ୍ଵ ଷ୍ଟାଣ୍ଡପୋଷ୍ଟ ଏବଂ ନଳକୂପ ଅଚଳ ହୋଇ ପଡ଼ିରହିଛି | ଅପରପକ୍ଷରେ ଯେଉଁମାନେ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ସକାଶେ ପାଇପ ସଂଯୋଗ କରିଛନ୍ତି ସେଥିରେ ମଧ୍ୟ ଆବଶ୍ୟକତା ମୁତାବକ ପାଣି ଆସୁନାହିଁ | ତେବେ ବିଭାଗ ପକ୍ଷରୁ ଯାହା ପାନୀୟ ଜଳ ଯୋଗାଣ କରାଯାଉଛି ସେଥିରେ ଗୋଳିଆ ପାଣି ଆସିବା ସହ ପୋକ ଭାସୁଥିବାର ଅଞ୍ଚଳବାସୀ ପ୍ରକାଶ କରିଛନ୍ତି | ଏହିଭଳି ପାନୀୟ ଜଳ ସମସ୍ୟାରେ ହନ୍ତସନ୍ତ ହୋଇ ସାହିପଡିଶାରେ ବୋରୱେଲ ଖୋଳିଥିବା ଘରେ ହାଣ୍ଡିଏ ପାଣି ପାଇଁ କାକୁତିମିନତି ହେଉଥିବା କହିଛନ୍ତି | ପାଣି ଟୋପାଏ ପାଉନଥିଲେ ମଧ୍ୟ ମାସିକ ବିଲ ୧୯୦ ଟଙ୍କା ପୈଠ କରୁଛନ୍ତି | ଯଦି ଜିଲ୍ଲା ସଦର ମହକୁମାରେ ପାନୀୟ ଜଳର ସ୍ଥିତି ଏଭଳି ତେବେ ଗାଁ ଗହଳିରେ କିଭଳି ଅବସ୍ଥା ଥିବ ତାହା ସହଜେ ଅନୁମେୟ |

ଅପରପକ୍ଷରେ ଏନେଇ ଜନ ସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ ସୁବ୍ରତ ସିଂଙ୍କୁ ପଚାରିବାରୁ ନଦୀ ଜଳ ଦୂଷିତ ରହୁଛି ଏବଂ ପୁରୁଣା ପ୍ଲାଣ୍ଟ ପାଣିକୁ ବିଶୁଦ୍ଧ କରିବାରେ ଅକ୍ଷମ ବୋଲି କହିଛନ୍ତି | ସହରରେ ପାନୀୟ ଜଳ ସୁବିଧା ପାଇଁ ୩ ଗୋଟି ପାଣି ଟାଙ୍କି ରହିଛି | ସେଥି ମଧ୍ୟରୁ ୭ ଲକ୍ଷ ଲିଟର ବିଶିଷ୍ଟ ଦୁଇ ଗୋଟି ଟ୍ୟାଙ୍କ ମଧ୍ୟରୁ ଗୋଟିଏ ରୟତ କଲୋନୀ ପାଇଁ ଏବଂ ଅନ୍ୟଟି ପୁରୁଣା ରାୟଗଡା ପାଇଁ ରହିଛି | ଅନ୍ୟ ଗୋଟିଏ ୧୪ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନୂତନ ରାୟଗଡା ପାଇଁ ରହିଛି | କିନ୍ତୁ ଟ୍ୟାଙ୍କରେ ପାଣି ଭର୍ତ୍ତି ହେଉନଥିବା ଏବଂ ପ୍ଲାଣ୍ଟରେ ପାଣି ବିଶୁଦ୍ଧିକରଣ ହେଉନଥିବା ଯୋଗୁଁ ସହରରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି |

ଅପରପକ୍ଷେ ଏନେଇ ସହକାରୀ ଯନ୍ତ୍ରୀ ସାରଦା ନାୟକ କହିଛନ୍ତି ଯେ, ନଦୀରେ ଗୋଳିଆ ପାଣି ଆସୁଥିବାରୁ ଏହିଭଳି ସମସ୍ୟା ଲାଗି ରହୁଛି ଏବଂ ଆଗାମୀ ଦିନରେ ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇଁ ୫୦ କୋଟି ଟଙ୍କା ବିନିମୟରେ ଏକ ନୂତନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ପାଇଁ ଅନୁଦାନ ମଞ୍ଜୁରୀ ହୋଇଛି ଏବଂ ପ୍ରାୟ ଏକ ବର୍ଷ ମଧ୍ୟରେ ଏହାର ନିର୍ମାଣ ସରିଯିବ ବୋଲି ସେ କହିଛନ୍ତି | ଅନ୍ୟପଟେ ଏହି ଉତ୍କଟ ଜଳ ସମସ୍ୟା ପାଇଁ ଜନ ସ୍ୱାସ୍ଥ୍ୟ ବିଭାଗ ପୌର ବିଭାଗକୁ ଦାୟୀ କରୁଥିବା ବେଳେ ପୌର ବିଭାଗ ଜନ ସ୍ୱାସ୍ଥ୍ୟ ବିଭାଗକୁ ଦାୟୀ କରୁଛି | ହେଲେ ଏହି ପରସ୍ପର ଦୋଷାରୋପ ମଧ୍ୟରେ ପେଷି ହେଉଥିବା ରୟତ କଲୋନୀ ବାସିନ୍ଦା ବିଶୁଦ୍ଧ ଜଳ କେବେ ପାଇବେ ତାହା ଦେଖିବାକୁ ବାକି ରହିଲା | ସେହିପରି ବର୍ତ୍ତମାନ ସହରର ପ୍ରାୟ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଲାଗି ରହୁଥିବା ବେଳେ ନୂତନ ପ୍ଲାଣ୍ଟ ନିର୍ମାଣ ପରେ ପାନୀୟ ଜଳ ସମସ୍ୟା ସୁଧୁରିବ ନା ଜନସାଧାରଣ ଏମିତି ହା ହା କାରରେ ଦିନ କାଟିବେ ତାହା ଦେଖିବାକୁ ବାକି ରହିଲା |

Leave A Reply