Odisha news

ଆନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ ପାଳିତ

ରାୟଗଡା : ସମସ୍ତେ ପାଠ ପଢିବା ଆବଶ୍ୟକ ଓ ପାଠ ପଢିଲେ ହିଁ ଆମ ସମାଜ ଆଗକୁ ଯାଇ ପାରିବ ଏହି ନାରା ଦେଇ ରାୟଗଡା ଜିଲ୍ଲାରେ ପାଳିତ ହୋଇଯାଇଛି ଆନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ । ରାୟଗଡା ଜିଲ୍ଲାର ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ସ୍ତରରେ ମହିଳା ମାନଙ୍କୁ ନେଇ ବୈଠକ ଆୟୋଜନ କରାଯାଇଥିଲା । ରାୟଗଡା ପ୍ରକଳ୍ପ ଅଧିନସ୍ଥ ବାଇସିଂ ଗ୍ରାମର ମହିଳା ଓ କିଶୋରୀ ମାନଙ୍କୁ ନେଇ ସାକ୍ଷରତା ଦିବସ ପାଳନ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ସମନ୍ୱିତ ଶିଶୁ ବିକାଶ ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଂଜରୀ ପାଢୀ, ଆକ୍ସନଏଡ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ ଓ ରାୟଗଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମୀନାକ୍ଷୀ ଦାସଙ୍କ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସମସ୍ତେ ପାଠ ପଢିବା ସହିତ ନିଜ ଅଂଚଳରେ ଯେପରି ସବୁ ପିଲା ନିୟମିତ ବିଦ୍ୟାଳୟକୁ ଯିବେ ସେଥିପ୍ରତି ମା ମାନେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ବେହେରା ଅନୁରୋଧ କରିଥିଲେ ।

ଗତ ଦିନରେ ଅଙ୍ଗନବାଡି କେନ୍ଦ୍ର ସ୍ତରରେ ଗୋଷ୍ଠୀ ପାଠାଗାର ଆରମ୍ଭ ହୋଇଛି । ଏହାର ଉଦ୍ୟେଶ ହେଲା ସମସ୍ତେ ପଢିବେ ଏବଂ ନିଜେ ପଢି ସାରିଲା ପରେ ଅନ୍ୟ ମାନେ ସେହି ବହି ଗୁଡିକ ପଢିବେ, ଫଳରେ ଜ୍ଞାନର ଆଦାନ ପ୍ରଦାନ ହେବ । ଏଥି ସହ ସମସ୍ତେ କରୋନା ଟୀକା ନେବେ ଏବଂ କରୋନା ମହାମାରୀ ସଂପର୍କରେ ସମସ୍ତଙ୍କୁ ସଚେତନ କରାଇବା, ତା ଦ୍ୱାରା ଏହି ମହାମାରୀରୁ ସମସ୍ତେ ସୁରକ୍ଷିତ ରହିପାରିବେ । ପ୍ରତ୍ୟେକ ଗର୍ଭବତୀ ମହିଳା ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ, ଡାକ୍ତରଖାନାରେ ପ୍ରସବ କରାଇବେ ଫଳରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁକୁ ରୋକିପାରିବେ । ମା ମାନେ ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ କରି ସରକାରଙ୍କ ଠାରୁ ସହାୟତା ପାଇଁ ଆତ୍ମନିର୍ଭରଶୀଳ ହୋଇପାରିବେ । ବାଲ୍ୟ ବିବାହ କିପରି ରୋକାଯାଇପାରିବ ସେ ନେଇ ସମସ୍ତଙ୍କୁ ସଚେତନତା କରାଇବା ପାଇଁ ମଧ୍ୟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆହ୍ୱାନ ଦେଇଥିଲେ । ନିଜ ନିଜ ଅଂଚଳରେ ସାକ୍ଷରତା ହାର ବଢାଇବା ପାଇଁ କାର୍ଯ୍ୟକ୍ରମ ଶେଷରେ ଶପଥ ପାଠ କରାଯାଇଥିଲା ।

Comments are closed.