ରାୟଗଡ଼ା,୨୨ ।୪ Rabindra patkhandal: ଆଜି ରାୟଗଡା ଜିଲ୍ଲା କୋଲନରା ବ୍ଲକ ସ୍ଥିତ ଭୁଜବଳ ଗ୍ରାମରେ ଥିବା ସଂଗରୋଧ କେନ୍ଦ୍ରରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ମହାରାଷ୍ଟ୍ର ରାଜ୍ୟ ସୋଲାପୁର ଜିଲ୍ଲା ଅନ୍ତର୍ଗତ ନାଭାଙ୍ଗ ଗ୍ରାମର ଲକ୍ଷ୍ମଣ ନବରଥୀ ବାବର(୭୦) । ମୃତୁ୍ୟପରେ ତାଙ୍କର ଶବକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଗତ କିଛିଦିନ ହେବ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ସିରିଡି ସାଇବାବାଙ୍କ ପ୍ରଚାର ଗାଡି ଧରି ଲକ୍ଷ୍ମଣ ଓ ତାଙ୍କ ପରିବାର ବୁଲୁଥିଲେ । ସପରିବାର ସେ ଏହି କାମ ଦୀର୍ଘ ମାସ ହେବ କରିଆସୁଥିଲେ । ତେବେ ଗତ ୨୬ ତାରିଖରେ ସେ ୩୨୬ ନମ୍ବର ଜାତୀୟ ରାଜପଥରେ ରାୟଗଡା ସହର ଆଡକୁ ଆସୁଥିବା ସମୟରେ ସପରିବାର ତାଙ୍କୁ ଧର କୋଲନରା ବ୍ଲକର ଭୁଜବଳ ଠାରେ ଥିବା ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା । ତେବେ ସେ ହୃଦରୋଗରେ ପୀଡିତ ଥିଲେ । ତେଣୁ ସଂଗରୋଧରେ ରହିବା ଦିନଠାରୁ ସେ ଜେକେପୁର ସ୍ଥିତ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ହେଲେ ଗତ ରାତିରେ ତାଙ୍କର ଛାତିରେ ଗଭୀର ଯନ୍ତ୍ରଣା ହୋଇଥିଲା । ଏହାର କିଛି ସମୟପରେ ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କ ପରିବାରର ସମସ୍ତଙ୍କ ସ୍ୱାବ ସଂଗ୍ରହ ହୋଇଥିଲା ଓ ତାହା ନେଗେଟିଭ ରହିଥିଲା ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ କହିଛନ୍ତି । ମୃତୁ୍ୟପରେ ବିଡିଓ ତାପସ ଭୋଇ, ଏସଡିପିଓ ତପନ ନାରାୟଣ ରଥ ଏବଂ ଆଇଆଇସି ଅଜିତ ସ୍ୱାଇଁ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ତାଙ୍କର ଶବକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଶବ ବ୍ୟବଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।