Odisha news

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
ପୁରୀ : ଆସନ୍ତା ଜୁଲାଇ ମାସ ୧ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା। ସେହିପରି ଜୁଲାଇ ୯ ତାରିଖ ରେ ପଡୁଛି ବିଗ୍ରହମାନଙ୍କ ପବିତ୍ର
ବାହୁଡା଼ ଯାତ୍ରା। କରୋନା କଟକଣା ପ୍ରତ୍ୟାହାର ପରେ ଦୀର୍ଘ ୨ ବର୍ଷ ପରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ରଥ ଯାତ୍ରା। ଏଥର ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ରଥ ଯାତ୍ରା ଓ ବାହୁଡା଼ ଯାତ୍ରା ଦେଖିବାର ସୁଯୋଗ ପାଇବେ ଭକ୍ତମାନେ। ରଥ ଯାତ୍ରା ଦେଖିବା ପାଇଁ ପୁରୀକୁ ରାଜ୍ୟ ତଥା ବାହାରୁ ଆସିବେ ଲକ୍ଷାଧିକ ଭକ୍ତ। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି  କିପରି ଶାନ୍ତି ଶୃଙ୍ଖଳାର ସହ ରଥ ଯାତ୍ରା ସମାପନ ହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଛି । ରଥଯାତ୍ରା ସୁପରିଚାଳନା ନିମନ୍ତେ ସମସ୍ତ ଅଧିକାରୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ରଥ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ୮୬୫ ଖଣ୍ତ କାଠ ମଧ୍ୟରୁ ଗତ ବର୍ଷରୁ ୮୦ ଖଣ୍ତ ଉପଲବ୍ଧ ଥିବା ବେଳେ ୬୭୫ ଖଣ୍ତ କାଠ ଏପର୍ଯ୍ୟନ୍ତ ପହଞ୍ଚିଛି । ଆଉ ବଳକା ୧୧୦ ଖଣ୍ତ ଖୁବଶୀଘ୍ର ପହଞ୍ଚିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଚଳିତ ବର୍ଷ ଅଧିକ ଜନସମାଗମ ହେବା ଆଶା କରାଯାଉଥିବାରୁ ଆବଶ୍ୟକୀୟ ଆଶୁ ଚିକିତ୍ସା କେନ୍ଦ୍ର, ଡାକ୍ତର ଓ କର୍ମଚାରୀ ମୁତୟନ ନିମନ୍ତେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା । ୨୧୨ ଜଣ ଡାକ୍ତର ଓ କର୍ମଚାରୀ, ୨୯ ଟି ଆମ୍ବୁଲାନ୍ସ ମୁତୟନ ଓ ୫ ଜଣ ଖାଦ୍ୟ ସୁରକ୍ଷା ଅଧକାରୀଙ୍କୁ ନିଯୁକ୍ତ କରାଯିବ । ପୌରସଂସ୍ଥା ପକ୍ଷରୁ ପରିମଳ ବ୍ୟବସ୍ଥା କରାଯିବ । ଜନସ୍ବାସ୍ଥ୍ୟ ବିଭାଗ ୱାଟକୋ ପକ୍ଷରୁ ବଡଦାଣ୍ତ ସହ ଅନ୍ୟାନ୍ୟ ଗହଳିପୂର୍ଣ୍ଣ ଅଞ୍ଚଳରେ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥା କରାଯିବ । ସେହିଭଳି ଆଇନ ଶୃଙ୍ଖଳା ବ୍ୟବସ୍ଥା,  ନିରବଚ୍ଛିନ୍ନ ବିଦ୍ୟୁତସେବା, ଅତ୍ୟାବଶକୀୟ  ସାମଗ୍ରୀ ଯୋଗାଣ,ଅଗ୍ନିଶମ,ସ୍ବେରଜ ସଫେଇ, ସୂଚନାକେନ୍ଦ୍ର, ପାର୍କିଂ, ଜାତୀୟ ରାଜପଥ ମରାମତି, ପଲ୍ଲିଶ୍ରୀ ମେଳା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା ।
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଦିଲ୍ଲିପ କୁମାର ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିଶଙ୍କର ମହାପାତ୍ର, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Leave A Reply