Odisha news

ଋଷିଛି ମୋ କାଳିଆ ରଜା

ଦୀର୍ଘ ୨ବର୍ଷ ବିତି ଗଲାଣି , ତାର ଅଭିମାନ ସରିନି । ସିଏ ଖୁବ୍ ଅଭିମାନ କରିଛି । କହୁଛି କଣ ନା ତମେ ମାନେ ଆସନି ମୋ ଦୁଆରକୁ ମୁଁ ରାଗିଛି । କଣ ପାଇଁ ଏତେ ଅଭିମାନ ତାର , ସିଏ କଣ ପାଇଁ ଅଭିମାନ କରିଛି ତାର କୌଣସି କାରଣ ବି କହୁନାହିଁ ।
ମନରେ ଅସୁମାରୀ କୋହ ଧରି ଫେରି ଆସିଲି ତା ଦୁଆରୁ । ଭାବିଲି ତାକୁ ଚିଠି ଟିଏ ଲେଖି ମନେଇବି ତା ଅଭୂଜା ମନକୁ । କିନ୍ତୁ ହାତ ଗଲାନି । ଏମିତିରେ ବିତିଗଲା ଗଲା ବର୍ଷ ଅପେକ୍ଷା କରି ରହିଥିଲି ଏହି ବର୍ଷ କୁ , ହୁଏତ ମାନ ଭଞ୍ଜ ହେବ ମୋ କାଳିଆ ରାଜାର । ସଞ୍ଚି ରଖିଥିଲି କିଛି ଧନ , ସେଥିରେ କିଣି ଆଣିଲି ଭଳିକି ଭଳି ମିଠା ଓ ଖଜା , ବାଡି ରୁ ତୋଳା ତୋଳି କରି ରଖିଥିଲି ସୁଗନ୍ଧିତ ତୁଳସୀ , ଗଛ ନଡ଼ିଆ ଓ ଭଳିକି ଭଳି ସୁଗନ୍ଧିତ ଫୁଲ ।
ଲାଗୁଥିଲା ଯେମିତି ଯିବି ମୋ ଆତ୍ମୀୟ ଜନ ନିକଟକୁ । ମନରେ ଥିଲା ଅକ୍ପନୀୟ ସୁଖ । ମୋ କଳା ମାଣିକ କୁ ଦେଖିବି , ନିଜ ମନ କଥା କହିବି । କେତେ ଯେ ଅସୁମାରୀ ଯନ୍ତ୍ରଣା ନେଇ ଯିବି ତା ପାଖକୁ ତାହା କହି ହେବନାହିଁ ।
ସମୟ ଗଡି ଚାଲିଲା , ବଡ଼ ଦାଣ୍ଡ କୋଳାହଳ ହେଲା , ଆଷାଢ଼ ମାସ ଦେଖୁ ଦେଖି ଚାଲି ଆସିଲା । ଏହି ଆଷାଢ଼ ମାସକୁ ଅପେକ୍ଷା ଥିଲା ମୋର । ସଜ କଲି ସବୁ ଜିନିଷ , ପୁରୀ ଯିବି କାଳିଆ ରାଜାକୁ ଭେଟିବି । କିନ୍ତୁ ଇଏ କଣ ଘଟିଗଲା ? ଚାରିଆଡେ ପ୍ରଚାର ହେଲା ଏଇ ବର୍ଷ ମଧ୍ୟ ପୁରୀ ଯିବା ମନା । କୁଆଡେ ଆମେ ପୁରୀ ଗଲେ ହେଇଯିବ କରୋନା ।
ଯିଏ ସାରା ବିଶ୍ବ ବ୍ରହ୍ମାଣ୍ଡ କୁ ନିୟନ୍ତ୍ରିତ କରିଛି ସେ ପୁଣି ଆମ ପାଇଁ ହେବ ରୋଗ ଗ୍ରସ୍ତ । ନା ଏ କଥା କେବେବି ସତ୍ୟ ହୋଇ ପାରେନା । ଯଦି ଏହା ସତ୍ୟ ହୋଇ ଥାଆନ୍ତା ତେବେ ଆଜି କଣ ଏ ମଣିଷ ସମାଜ ବଞ୍ଚି ରହି ଥାଆନ୍ତା ।
” କରି କରାଇ ଥାଏ ମୁହିଁ , ମୋ ବିନୁ ଅନ୍ୟ ଗତି ନାହିଁ । “
ସେହି ବିଶ୍ବ ବ୍ରହ୍ମାଣ୍ଡ ନାୟକ ସବୁ ଘଟେଇ ଚାଲିଛି । ଆଜିର ମଣିଷ ସମାଜ ପାଇଁ ଏହା ଗୋଟିଏ ଶିକ୍ଷା । ନିଜର ଅହଙ୍କାର କୁ ଭାଙ୍ଗ , କ୍ରୋଧ ଭଳି ଅଗ୍ନି କୁ ତ୍ୟାଗ କର , ମନରେ ସ୍ନେହ ଓ ବନ୍ଧୁତ୍ୱ କୁ ଭରି ଆଗେଇ ଆସ ସ୍ନେହ ର ବନ୍ଧନ ରେ ବାନ୍ଧିବାକୁ । ଦେଖିବ ଯେଉଁଦିନ ମନର ଗର୍ବ ଅହଙ୍କାର କ୍ରୋଧ ଘୃଣା ପରନିନ୍ଦା ଦୂରେଇ ଯିବ ସେହିଦିନ ପୁଣି ଆଉଥରେ ଆମକୁ କୋଳେଇ ନେବ କାଳିଆ ରଜା ।
ଜୟ ଜଗନ୍ନାଥ 🙏

Comments are closed.