ଓଡ଼ିଶାରେ ୧୨ ମାସରେ ତେର ପରବ l ଓଡ଼ିଆ ପରମ୍ପରା ନିଜ ମଧ୍ୟରେ ସାଉଁଟିଛି ସାରା ଓଡ଼ିଶାର ସ୍ମୃତି କୁ l ଯାହାକୁ ନେଇ ଓଡ଼ିଶାର କୋଣ ଅନୁକୋଣ ମୁଖରିତ l ସେହିଭଳି ଆଦ୍ୟ ଆଷାଢ଼ ଆରମ୍ଭ ହେବା ମାତ୍ରକେ ଓଡ଼ିଶାର ଗାଁ ଠାରୁ ନେଇ ପୁରପଲ୍ଲୀ ଓ ସହର ପର୍ଯ୍ୟନ୍ତ ଗହଳି ରେ ଭରି ଉଠିଥାଏ l ସତେ ଯେମିତି ଲାଗେ ରଜ ରାଣୀ ର ଆଗମନରେ ଚାରିଆଡ ସଜାଇ ହୋଇଥାଏ ଗୋଟିଏ ନବବଧୂ ଭଳି l ନାଲି ଟୁକୁ ଟୁକୁ ଅଳତା ଲଗା ପାଦ ଓ ପାଉଁଜି ଶବ୍ଦ ରେ ଗାଁ ଦାଣ୍ଡ ହୋଇଥାଏ ସଂଗୀତ ମୁଖର l ସତରେ ଯେମିତି ଲାଗିଥାଏ ରଜବତୀ ଙ୍କ ସୌନ୍ଦର୍ଯ୍ୟ ରେ ବସୁଧା ମା ବିମୋହିତ ହୋଇଥାଏ l ଆଧୁନିକ ସଭ୍ୟତାର ଛାପ ରେ ଆଜି ମଧ୍ୟ ରଜପର୍ବ ୩ଦିନ ଧରି ପାଳିତ ହେଉଛି l ଗାଁ ଠାରୁ ନେଇ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇ ଉଠୁଛି l ଘରେ ଘରେ ପାଚିଲା ଆମ୍ବ, ପଣସ, ସପୁରି ଓ ବିଭିନ୍ନ ପ୍ରକାର ର ପିଠା ପଣାରେ ସୁଗନ୍ଧିତ ହୋଇ ଉଠୁଛି l
ନୂଆ ବୋହୁ ଟିଏ ଶାଶୁ ଘରକୁ ଆସିବା ପରେ ଶାଶୁ ଘର ଅଗଣାରେ ପ୍ରଥମ ରଜ ପର୍ବ ପାଳିଥାଏ, ଶାଶୁ ଘରୁ ଆସିଥିବା ନୂଆ ଶାଢ଼ୀ ଚୁଡ଼ି ପିନ୍ଧି , ଅଳତା କୁଙ୍କୁମ ଲଗାଇ ନିଜକୁ ସୁ-ସଜ୍ଜିତ କରି ରଜ ଦୋଳି ଖେଳିଥାଏ l
ଓଡ଼ିଶାରେ ରଜପର୍ବ ଗୋଟିଏ ପ୍ରସିଦ୍ଧ ପର୍ବ ଅଟେ , ଏହିପର୍ବ ଚାରି ଦିନ ଧରି ପାଳିତ ହୋଇଥାଏ l ପ୍ରଥମ ଦିନ ପହିଲି ରଜ , ଦ୍ଵିତୀୟଦିନ ରଜ ସଂକ୍ରାନ୍ତୀ , ତୃତୀୟ ଦିନ ଭୁ ଦାହ ଓ ଶେଷ ଦିନଟି ହେଉଛି ବସୁମତୀ ସ୍ନାନ l ଏହି ପାର୍ବତୀ ବିଶେଷ ଭାବରେ ଝିଅମାନେ ପାଳନ କରନ୍ତି l ଏହି ଚାରିଦିନ ବସୁମତୀ ମାତା ଙ୍କୁ ସ୍ପର୍ଶ କରିବା ନିଷେଧ ଅଟେ l ତେଣୁ କନ୍ୟା ମାନେ ଖାଲି ପାଦରେ ଚାଲନ୍ତି ନାହିଁ l କୁହାଯାଏ ଯେ ଚାଷୀ ଏହି ୩ଦିନ ନିଜର ଲଙ୍ଗଳ ପରିତ୍ୟାଗ କରିଥାଏ ଓ ଚାଷ କାର୍ଯ୍ୟରୁ ନିବୃତ ହୋଇଥାଏ l କାହିଁକି ବସୁଧା ରାଣୀ ରଜବତୀ ହୋଇଥାଏ ଓ ବିଶ୍ରାମ ନେଇଥାଏ l
ଯେପରିକି ଯେତେବେଳେ ଗୋଟିଏ କନ୍ୟା ରଜବତୀ ହୋଇ ମାତୃତ୍ଵ ଲାଭ କରିବା ପାଇଁ ସମ୍ପୂର୍ଣ ପ୍ରସ୍ତୁତ ହୋଇଥାଏ, ସେହିଭଳି ବସୁଧା ରାଣୀ ମଧ୍ୟ ରଜବତୀ ହୋଇ ଆମ ମୁହଁ ରେ ଦାନା ଦେବା ପାଇଁ ପ୍ରସ୍ତୁତ ହୋଇଯାଏ l ଏହି ସମୟରେ ବିଦେଶ ରେ ଥିବା ପରଦେଶୀ ଭାଇ ମାନେ ଘର ବାହୁଡା କରିଥାଆନ୍ତି l ନିଜକୁ ମାଟିର ସୁଗନ୍ଧ ରେ ହଜାଇ ଦେବାକୁ ଚାହିଁ ଥାଆନ୍ତି l ଗାଁ ଗହଳି ରେ ପୁଚି ଖେଳ ଓ ତାସ ଖେଳର ଆସର ଜମିଥାଏ l ସନ୍ଧ୍ୟା ପୂର୍ବରୁ ଝିଅମାନେ ଖାଇ ଦିଅନ୍ତି କାହିଁକି ନା ରାତିରେ ରଜରେ ଖାଇବାକୁ ବାରଣ କରାଯାଇ ଥାଏ l ଆଜିମଧ୍ୟ ଗାଁ ଗହଳିରେ ଏହି ନୀତିନିୟମ ଲାଗୁ ରହିଛି l
ଚାରିଦିନ ପରେ ବସୁମତୀ ସ୍ନାନ ଦିନ ମା ବସୁଧା ଙ୍କୁ ବିଧିବଦ୍ଧ ଭାବରେ ହଳଦୀ , ଗଙ୍ଗା ଜଳ , ଚନ୍ଦନ ଓ ଅଗୁର ଲଗାଈ ସ୍ନାନ କରାଯାଇ ଥାଏ l ଏହାପରେ ଚନ୍ଦନ , ସିନ୍ଦୁର , ଫୁଲ , ଧୂପ , ଦୀପ ଓ ନୈବେଦ୍ୟ ଅର୍ପଣ କରାଯାଇ ଥାଏ l ଏହାପରେ ଯାଇ ଚାଷୀ ନିଜର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ l