ଟ୍ରେନ ସମ୍ଭଧୀୟ ଗୁରୁତ୍ୱପୂର୍ଣ ସୂଚନା : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ଆଚରଣ ପାଇଁ ଏବଂ ରେଳବାଇ ଲେଭଲ୍ କ୍ରସିଂରେ ସୁରକ୍ଷା ମାନଦଣ୍ଡ ପାଳନ କରିବାକୁ ନିବେଦନ
ଭୁବନେଶ୍ୱର(Suvendra Pattanaik) : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଲେଭଲ୍ କ୍ରସିଂ (ଏଲ୍ସି) ଗେଟ୍ ଉଲ୍ଲଂଘନ ଏବଂ ସଡକ ଯାନ ଦ୍ୱାରା ଗେଟ୍ ଭାଙ୍ଗିବା ଘଟଣା ବୃଦ୍ଧି ଘଟଣା ସମ୍ବନ୍ଧରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛି, ଯାହା କେବଳ ଜୀବନକୁ ବିପଦରେ ପକାଏନାହିଁ ବରଂ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରେ ଟ୍ରେନ ସେବାରେ ବାଧା ଏବଂ ବିଳମ୍ବ ସୃଷ୍ଟି କରୁଛି I
ଅନେକ କ୍ଷେତ୍ରରେ, ଫାଟକ ବନ୍ଦ ହେବା ପରେ କିମ୍ବା ବନ୍ଦ ହେଉଥିବା ସମୟରେ ମଧ୍ୟ ସଡକ ବ୍ୟବହାରକାରୀମାନେ ଜୋରଜବରଦସ୍ତି ଏଲ୍ସି ଗେଟ୍ ପାର କରିବାକୁ ଚେଷ୍ଟା କରନ୍ତି, ଯାହା ଫଳରେ ବୁମ୍ ବାରିୟର ଏବଂ ସିଗନାଲ ବିଫଳତା କ୍ଷତି ହୁଏ I ଏହି ଦାୟିତ୍ୱହୀନ ଆଚରଣ ଟ୍ରେନ ଚଳାଚଳର ସମୟାନୁବର୍ତ୍ତିତାକୁ କ୍ଷତି ପହଞ୍ଚାଉଥିବାବେଳେ ଟ୍ରେନ ପରିଚାଳନାରେ ବାଧା ଏବଂ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ I
2024 ମସିହାରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ଲେଭଲ୍ କ୍ରସିଂ ଗେଟ୍ ଭାଙ୍ଗିବାର ମୋଟ 113ଟି ଘଟଣା ରିପୋର୍ଟ କରାଯାଇଥିଲା ଯାହା ମଧ୍ୟରୁ 92 ଜଣଙ୍କୁ ଗିରଫ କରାଯାଇଥିଲା I
2024 ମସିହାରେ (8 ଅକ୍ଟୋବର ପର୍ଯ୍ୟନ୍ତ), 88ଟି ଏପରି ଘଟଣା ରିପୋର୍ଟ କରାଯାଇଥିଲା ଏବଂ 72 ଜଣଙ୍କୁ ଗିରଫ କରାଯାଇଥିଲା I
ସେହିପରି, 2025 ମସିହାରେ (8 ଅକ୍ଟୋବର ପର୍ଯ୍ୟନ୍ତ), 64ଟି ଲେଭଲ୍ କ୍ରସିଂ ଗେଟ୍ ଭାଙ୍ଗିବା ଘଟଣା ରେକର୍ଡ କରାଯାଇଛି ଯେଉଁଥିରେ ଏପର୍ଯ୍ୟନ୍ତ 47 ଜଣଙ୍କୁ ଗିରଫ କରାଯାଇଛି I
ଚଳିତ ବର୍ଷ (2025)ରେ, ବିଭିନ୍ନ ଅଞ୍ଚଳରେ ଏଲ୍ସି ଗେଟ୍ ଭାଙ୍ଗିବା ଘଟଣା • ଭୁବନେଶ୍ୱର ଅଞ୍ଚଳରେ 11ଟି ଘଟଣା, • ବ୍ରହ୍ମପୁର ଅଞ୍ଚଳରେ 8ଟି ଘଟଣା, • ପୁରୀ, ଭଦ୍ରକ ଏବଂ ଯାଜପୁର କେଉଁଝର ରୋଡ୍ ଅଞ୍ଚଳରେ ପ୍ରତ୍ୟକ 7ଟି ଘଟଣା, • କଟକ ଅଞ୍ଚଳରେ 6ଟି ଘଟଣା, • ପଲାସା ଏବଂ ଖୋର୍ଦ୍ଧା ରୋଡ୍ ଅଞ୍ଚଳରେ ପ୍ରତ୍ୟକ 5ଟି ଘଟଣା ରିପୋର୍ଟ କରାଯାଇଅଛି I
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ନିରାପତ୍ତା ବିଭାଗ ଏବଂ ରେଳବାଇ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କ୍ରମାଗତ ସଚେତନତା ଅଭିଯାନ ଏବଂ ଲେଭଲ୍ କ୍ରସିଂରେ ସଡକ ବ୍ୟବହାରକାରୀଙ୍କ ନିରନ୍ତର ପରାମର୍ଶ ପରେ ମଧ୍ୟ ନିୟମ ଉଲ୍ଲଂଘନକାରୀଙ୍କ ଦ୍ୱାରା ଏପରି ଘଟଣା ଜାରି ରହିଛି I
ଖୋର୍ଦ୍ଧା ରୋଡ଼ ରେଳ ପ୍ରଶାସନ ପୁଣି ଥରେ ଜନସାଧାରଣଙ୍କୁ ଲେଭଲ୍ କ୍ରସିଂ ନିକଟକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବା ସହ ରେଳବାଇକୁ ସହଯୋଗ କରିବାକୁ ଅନୁରୋଧ କରୁଛି I ଟ୍ରେନ ଏବଂ ସଡକ ଯାନବାହାନ ଉଭୟର ନିରାପଦ ଏବଂ ସୁଗମ ଚଳାଚଳ ସୁନିଶ୍ଚିତ କରିବା ପାଇଁ ଜନସାଧାରଣଙ୍କ ସମର୍ଥନ ଅତ୍ୟନ୍ତ ଜରୁରୀ I
ଗତିଶୀଳ ଟ୍ରେନ ବ୍ରେକ୍ ଲଗାଇବା ପରେ ମଧ୍ୟ ତୁରନ୍ତ ଅଟକି ରହିପାରିନଥାଏ କାରଣ ଏହାର ଗତି ଏବଂ ଲୋଡ୍ ଉପରେ ନିର୍ଭର କରି ଏକ ନିର୍ଦ୍ଦିଷ୍ଟ ଦୂରତା ଅଟକିବା ଆବଶ୍ୟକ ହୋଇଥାଏ I ତେଣୁ, ବନ୍ଦଥିବା କିମ୍ବା ବନ୍ଦ କରାଯାଉଥିବା ଲେଭଲ୍ କ୍ରସିଂ ଗେଟ୍ ଅତିକ୍ରମ କରିବାର ଯେକୌଣସି ପ୍ରୟାସ ବିପର୍ଯ୍ୟୟକୁ ନିମନ୍ତ୍ରଣ କରିଥାଏ I
ଏପରି ବେପରୁଆ କାର୍ଯ୍ୟ କେବଳ ଉଲ୍ଲଂଘନକାରୀ ଏବଂ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇନଥାଏ ବରଂ ରେଳ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥାଏ ଯାହାଦ୍ୱାରା ଟ୍ରେନ ଚଳାଚଳରେ ବିଳମ୍ବ କରିଥାଏ ଓ ଯାତ୍ରୀ ଏବଂ ପଣ୍ୟବାହୀ ଟ୍ରେନଗୁଡ଼ିକର ସମୟାନୁବର୍ତ୍ତିତାକୁ ପ୍ରଭାବିତ କରିଥାଏ I
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ରେଳ ଆଇନର ବ୍ୟବସ୍ଥା ଅନୁଯାୟୀ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି I ଜନସାଧାରଣଙ୍କୁ ସୁରକ୍ଷା ବିଷୟରେ ଶିକ୍ଷା ଦେବା ପାଇଁ ସମ୍ବେଦନଶୀଳ ଲେଭଲ୍ କ୍ରସିଂ ଗେଟ୍ ରେ ନିରନ୍ତର ସଚେତନତା ଅଭିଯାନ ଏବଂ ପରାମର୍ଶ କାର୍ଯ୍ୟକ୍ରମ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ଆୟୋଜନ କରାଯାଉଛି I ରେଳ ସୁରକ୍ଷା ବଳ (RPF) ଏବଂ ସ୍ଥାନୀୟ ପ୍ରଶାସନ ଏହିପରି ଉଲ୍ଲଂଘନକୁ ବନ୍ଦ କରାଇବା ଏବଂ ସୁଗମ ଟ୍ରେନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସମନ୍ୱୟ ସହ କାର୍ଯ୍ୟ କରୁଛନ୍ତି I
ପୂର୍ବତଟ ରେଳପଥ ପୁଣି ଥରେ ସମସ୍ତ ନାଗରିକଙ୍କୁ ରେଳ ସୁରକ୍ଷା ନିୟମ ପାଳନ କରିବାକୁ, ଲେଭଲ୍ କ୍ରସିଂରେ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ଏବଂ ନିରାପଦ, ସମୟାନୁବର୍ତ୍ତୀ ଏବଂ ଦକ୍ଷ ଟ୍ରେନ ସେବା ବଜାୟ ରଖିବାରେ ସାହାଯ୍ୟ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରୁଛି I